ଲୋକପ୍ରିୟ ସରକାର ସୁଶାସନ ଦେବ ବୋଲି ମାନେ ନାହିଁ: ଜଷ୍ଟିସ୍‌ ପଟ୍ଟନାୟକ

ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ‘ମନେଅଛି ଯେତିକି’ ଲୋକାର୍ପିତ

ଲୋକପ୍ରିୟ ସରକାର ସୁଶାସନ ଦେବ ବୋଲି ମାନେ ନାହିଁ: ଜଷ୍ଟିସ୍‌ ପଟ୍ଟନାୟକ

ଭଲ ବିଚାରପତି ହେବା ପାଇଁ ଆଗ ଭଲ ମଣିଷ ହେବା ଦରକାର: ମୁଖ୍ୟ ବିଚାରପତି ଜଷ୍ଟିସ୍ ମୁରଲୀଧର
ସଫଳ ବ୍ୟକ୍ତିଙ୍କ ଜୀବନ କାହାଣୀ ସମକାଳୀନ ଇତିହାସକୁ ସମୃଦ୍ଧ କରେ: ସୌମ୍ୟରଂଜନ
‘ମନେଅଛି ଯେତିକି’ ଏକ ଛଳନାମୁକ୍ତ, ହୃଦୟନିସୃତ ଆତ୍ମକାହାଣୀ: ଜଷ୍ଟିସ୍‌ ପରିଚ୍ଛା

କଟକ : ଶିଖିବାର ଭୂମି ହେଉଛି ଓଡ଼ିଶା। ଓଡ଼ିଆ ଭାଷା ସୁନ୍ଦର ଓ ମଧୁର ମଧ୍ୟ। କଳା, ସାହିତ୍ୟ, ସଂସ୍କୃତି, ବିଜ୍ଞାନ ଆଦି ବିଭିନ୍ନ କ୍ଷେତ୍ରରେ ଓଡ଼ିଶା ଅନେକ କିମ୍ବଦନ୍ତୀ ପୁରୁଷଙ୍କୁ ସୃଷ୍ଟି କରିଛି। ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ ସେହିଭଳି ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜ‌ଷ୍ଟିସ୍ ଡକ୍ଟର ଏସ୍. ମୁରଲୀଧର। ‘ଆମ ଓଡ଼ିଶା’ ଦ୍ବାରା ପ୍ରକାଶିତ ଜଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ମନେଅଛି ଯେତିକି’ର ଉନ୍ମୋଚନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ‌ଡକ୍ଟର ମୁରଲୀଧର କହି‌ଛନ୍ତି ଯେ ବିଚାରପତିଙ୍କ ଜୀବନ‌ରେ ସର୍ବଦା ନୂଆ ନୂଆ ଆହ୍ବାନ ଆସିଥାଏ। ଯାହା ବାର୍‌ରେ ଦେଖାଯାଏ, ‌ତାହା ଉପରେ ଚୂଡ଼ାନ୍ତ ରାୟ ପ୍ରଦାନ କରିବା ଅନେକ ସମୟରେ ସମସ୍ୟାଯୁକ୍ତ ହୋଇଥାଏ। ବିଚାରପତି ହେବା ସହଜ ନୁ‌ହେଁ। କାରଣ ବିଚାରପତିଙ୍କ ଜୀବନ ଅନେକ ଅଭିଜ୍ଞତା, ବହୁ ଅଧ୍ୟୟନ, ଅନେକ ପର୍ଯ୍ୟବେକ୍ଷଣର ସମାହାର। ଏଥିପାଇଁ ନିରନ୍ତର ସାଧନା ଆବଶ୍ୟକ। ଜଣେ ଭଲ ବିଚାରପତି ହେବା ପାଇଁ ପ୍ରଥ‌‌ମେ ଭଲ ମଣିଷ ହେବା ଉଚିତ। ଓଡ଼ିଶାରେ ଏବେ ଅନେକ ମେଧାବୀ ଛାତ୍ରଛାତ୍ରୀ ଆଇନବୃତ୍ତିରେ ପାଦ ଦେଉଛନ୍ତି। ଏଭଳି ଧାରା ଜାରି ରହିଲେ, ବାର୍‌ ଓ ବେଞ୍ଚ ମଧ୍ୟରେ ସମନ୍ବୟ ରହିବ ଓ ଗୁଣାତ୍ମକ ତଥା ତ୍ବରିତ ନ୍ୟାୟପ୍ରଦାନ ସମ୍ଭବ ହୋଇପାରିବ ବୋଲି ଜଷ୍ଟିସ୍ ମୁରଲୀଧର ଆଶାବ୍ୟକ୍ତ କରିଥିଲେ। କୋଭିଡ୍-୧୯ ଆମକୁ ହତାଶ କରିବା ସହ ଆମ ପାଇଁ ସୁଯୋଗ ମଧ୍ୟ ସୃ‌ଷ୍ଟି କରିଛି। ଏହି ସମୟରେ ବୈଷୟିକ ଜ୍ଞାନକୌଶଳ ବଳରେ ଆମେ ନ୍ୟାୟିକ ପ୍ରକ୍ରିୟାକୁ ତ୍ବରିତ କରି ପାରୁଛୁ। ଜଷ୍ଟିସ୍ ପଟ୍ଟନାୟକଙ୍କ ଆତ୍ମଜୀବନୀରେ ଅନେକ ଅଭିଜ୍ଞତା ଓ ସଫଳତାର ଉଲ୍ଲେଖ ରହିଥିବାରୁ ଏହା ତରୁଣ ଆଇନଜୀବୀଙ୍କ ପାଇଁ ପ୍ରେରଣାର ଉତ୍ସ ହେବ ବୋଲି ଜଷ୍ଟିସ୍ ମୁରଲୀଧର ମତବ୍ୟକ୍ତ କରିଥିଲେ। ବୃହତ୍ତର ସ୍ବାର୍ଥ ପାଇଁ ଜଷ୍ଟିସ୍ ପଟ୍ଟନାୟକ ତାଙ୍କ ଆତ୍ମଜୀବନୀକୁ ଇଂରାଜୀରେ ଲେଖିବାକୁ ମୁଖ୍ୟ ବିଚାରପତି ପରାମର୍ଶ ଦେଇଥିଲେ। ଆଇନ ବୃତ୍ତିରେ ଥିବା ବ୍ୟକ୍ତିମାନେ ନ୍ୟାୟମୂର୍ତ୍ତି ପଟ୍ଟନାୟକଙ୍କ ଭଳି ଆତ୍ମଜୀବନୀ ଅଧିକ ସଂଖ୍ୟାରେ ଲେଖିଲେ ‘ବ୍ୟବସ୍ଥାରେ କଣ ହେଉଛି ସାଧାରଣ ଲୋକ ଜାଣନ୍ତିନି’ ବୋଲି ଅଭିଯୋଗ କମିଯିବା ନେଇ ମତ ଦେଇଥିଲେ ଜଷ୍ଟିସ ମୁରଲୀଧର।

publive-image

ନିଜ ଇଷ୍ଟଦେବ ରାଧାକାନ୍ତ ଦେବଙ୍କୁ ସ୍ମରଣ କରି ପୂର୍ବତନ ପ୍ରଧାନ ବିଚାରପତି ଜ‌ଷ୍ଟିସ୍ ଗୋପାଳବଲ୍ଲଭ ପଟ୍ଟନାୟକ କହିଥିଲେ, ସେ ଜୀବନରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିଲେ ମଧ୍ୟ ପରିସ୍ଥିତି ପାଇଁ ଓକିଲାତି ବୃତ୍ତିରେ ଯୋଗ ଦେଇଥିଲେ। ତାଙ୍କ ଜୀବନରେ ଦୁଇ ଜଣ ଗୁରୁ ଜଷ୍ଟିସ୍ ବିମଳ ପାଲ୍‌ ଓ ଜଷ୍ଟିସ୍ ବି.ଏମ୍. ପଟ୍ଟନାୟକଙ୍କ ପାଇଁ ସେ ଆଇନବୃତ୍ତିରେ ସଫଳତାର ଶୀର୍ଷ ଛୁଇଁଥିଲେ। କିନ୍ତୁ ୧୯୭୧ରେ ତାଙ୍କ ନାମ ଯେତେବେଳେ ବିଚାରପତି ପଦ ପାଇଁ ସୁପାରିସ ହୋଇଥିଲା, ସେ ସମୟରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମୋରାରଜୀ ଦେଶାଇଙ୍କ ପାଖରେ ତାଙ୍କ ନାମରେ ମିଥ୍ୟା ଅଭିଯୋଗ ହୋଇଥିଲା। ସୁପ୍ରିମ କୋର୍ଟରେ ବିଚାରପତି ପଦ ପାଇଁ ଅନ୍ୟ ରାଜ୍ୟରେ ‌ଲବି ଜୋରଦାର ହେଉଥିବା ବେଳେ ଓଡ଼ିଶାରେ ଏପରି ହେଉ ନଥିବା ଜଷ୍ଟିସ୍ ପଟ୍ଟନାୟକ ‌କ୍ଷୋଭପ୍ରକାଶ କରିଥିଲେ। ‌ଜଷ୍ଟିସ୍ ପଟ୍ଟନାୟକ କହିଥିଲେ ଯେ ଲୋକପ୍ରିୟ ସରକାର ଯେ ନିହାତି ସୁଶାସନ ଦେବ, ସେମିତି ମାନେ ନାହିଁ। ନୋଟ୍‌ ବନ୍ଦି ନିଷ୍ପତ୍ତି ହେଉ କି କୋଭିଡ୍‌ର କୁପରିଚାଳନା ହେଉ କି ଦରଦାମ୍ ବୃଦ୍ଧି -ଏହାର ପ୍ରଭାବ ନାଗରିକଙ୍କ ଉପରେ ପଡିଛି। ନାଗରିକମାନଙ୍କୁ ଉତ୍ତମ ଖାଦ୍ୟ ସୁରକ୍ଷା, ଶିକ୍ଷା, ସ୍ବାସ୍ଥ୍ୟ ଆଦି ସେବା ମିଳିବା ହେଉଛି ବାସ୍ତବ ସୁଶାସନ। ଜଷ୍ଟିସ ପଟ୍ଟନାୟକ କହିଥିଲେ ଯେ ଓକିଲଙ୍କୁ ମାଡ଼ ହେଲେ ଏକଜୁଟ୍ ହୋଇ ଜୋରଦାର ପ୍ରତିବାଦ କରାଯାଉଛି। କିନ୍ତୁ ଓଡ଼ିଶାର ଆଇନଜୀବୀଙ୍କୁ ସୁପ୍ରିମକୋର୍ଟରେ ବିଚାରପତି ଭାବେ ସେଭଳି ସୁଯୋଗ ମିଳୁ ନଥିଲେ ବି ସେଭଳି ଜୋରଦାର ପ୍ରତିବାଦ ଅଥବା ଦାବି ହେଉ ନାହିଁ। ତାଙ୍କୁ ଆତ୍ମଜୀବନୀ ଲେଖିବାକୁ ପ୍ରେରଣା ଦେଇଥିବା ତଥା ସହାୟତା କରିଥିବା ଅନନ୍ତ ମହାପାତ୍ର, ଅସିତ ମହାନ୍ତି, ଜେ.ପି, ଦାସ, ନୀଳମାଧବ ମହାନ୍ତି, ତାଙ୍କ ଧର୍ମପତ୍ନୀଙ୍କୁ ଜଷ୍ଟିସ୍ ପଟ୍ଟନାୟକ କୃତଜ୍ଞତା ଅର୍ପଣ କରିଥିଲେ। ଜାତୀୟସ୍ତରରେ ଓଡ଼ିଶାର ଅଧିକ ଭଲ ଆଇନଜୀବୀ ଓ ନ୍ୟାୟିକ ଅଧିକାରୀ ସୃ‌ଷ୍ଟି ହୁଅନ୍ତୁ ବୋଲି ଜଷ୍ଟିସ୍ ପଟ୍ଟନାୟକ ଆଶାବ୍ୟକ୍ତ କରିଥିଲେ।

publive-image

ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ହାଇକୋର୍ଟର ପୂର୍ବତନ ବିଚାରପତି ତଥା ସାହିତ୍ୟିକ ଜଷ୍ଟିସ୍ ଅରୁଣ ପରିଚ୍ଛା ଜଷ୍ଟିସ ପଟ୍ଟନାୟକଙ୍କ ଆତ୍ମଜୀବନୀର ସମୀକ୍ଷା କରିଥିଲେ। ଜଷ୍ଟିସ୍ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ମନେଅଛି ଯେତିକି ଛଳନାମୁକ୍ତ, ହୃଦୟନିସୃତ, ନିଚ୍ଛକ ଆତ୍ମକାହାଣୀ ବୋଲି କହିବା ସହିତ ଏହି ପୁସ୍ତକ ଉତ୍ତରପିଢ଼ି ପାଇଁ ଆଲୋକବର୍ତ୍ତିକା ସଦୃଶ ‌ବୋଲି ଜଷ୍ଟିସ୍ ପରିଚ୍ଛା ମତବ୍ୟକ୍ତ କରିଥିଲେ।

କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଶା ସଂଗୀତ ନାଟକ ଏକାଡେମୀ କବି ସମ୍ରାଟ ଉପେନ୍ଦ୍ରଭଞ୍ଜ ସମ୍ମାନପ୍ରାପ୍ତ ଅନନ୍ତ ମହାପାତ୍ର, ଆତ୍ମଜୀବନୀ ରଚନା ଆଭିମୁଖ୍ୟ ସଂପର୍କରେ ଆଲୋଚନା କରିଥିଲେ।

publive-image

ଉତ୍ସବରେ ଅଧ୍ୟକ୍ଷତା କରି ‘ସମ୍ବାଦ’ର ସଂପାଦକ, ‘ଆମ ଓଡ଼ିଶା’ର ଅଧ୍ୟକ୍ଷ ତଥା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଆତ୍ମଜୀବନୀ କେବଳ ସାହିତ୍ୟର ଏକ ବିଭାଗ ନୁହେଁ, ଏହା ସମକାଳୀନ ଇତିହାସର ଏକ ଅଭିନ୍ନ ଅଂଶ। ତେଣୁ ସଫଳ ଲୋକଙ୍କର ଆତ୍ମଜୀବନୀ ଅଧିକରୁ ଅଧିକ ପ୍ରକାଶ ପାଇବା ଆବଶ୍ୟକ। ଜଷ୍ଟିସ୍ ପଟ୍ଟନାୟକ ପ୍ରବଳ ଈଶ୍ବର ବିଶ୍ବାସୀ ଓ କର୍ତ୍ତବ୍ୟନିଷ୍ଠ ହୋଇଥିବାରୁ ଏତେ ମାତ୍ରାରେ ସଫଳ ହୋଇଥିଲେ। ତାଙ୍କ ଜୀବନୀରୁ ଅନେକ କଥା ଶିଖିବାର ରହିଛି। ଓକିଲାତି ଏକ ଭଲ ବୃତ୍ତି ଓ ବିନା ଧର୍ମ ବାପାରେ ଏହି ବୃତ୍ତିରେ ସଫଳତା ମିଳିପାରେ ବୋଲି ଜଷ୍ଟିସ୍ ପଟ୍ଟନାୟକ ପ୍ରମାଣିତ କରିଛନ୍ତି। ଏହି ଅବସରରେ ଶ୍ରୀ ପଟ୍ଟନାୟକ ଓଡ଼ିଶା ରାଜ୍ୟର ବିଭିନ୍ନ ସଂପ୍ରଦାୟର ଲୋକଙ୍କ ମଧ୍ୟରେ ଥିବା ଅନନ୍ୟ ଏକତା ଓ ଭାଇଚାରା ବି‌ଷୟରେ କହିଥ‌ିଲେ। ସାରା ଭାରତ ଓଡ଼ିଶାକୁ ଉଦାହରଣ ଭାବେ ଗ୍ରହଣ କରିବାକୁ ଶ୍ରୀ ପଟ୍ଟନାୟକ ଆହ୍ବାନ ଦେଇଥିଲେ।

ବୁଧବାର ଦିନ ରେଭେନ୍ସା ବିଶ୍ବବିଦ୍ୟାଳୟ ସେଭେନ୍‌ ପିଲାରସ ଅଫ୍ ୱିସଡମ୍‌ରେ ଆୟୋଜିତ ଏହି ଉତ୍ସବରେ ‘ଆମ ଓଡ଼ିଶା’ର ସଂପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଆମ ଓଡ଼ିଶା ପ୍ରକାଶନ ବିଭାଗ ମୁଖ୍ୟ ଅସିତ ମହାନ୍ତି ଧନ୍ୟବାଦ ଦେଇଥିଲେ। ସମାରୋହରେ ହାଇକୋର୍ଟର ବହୁ ବିଚାରପତି, ପୂର୍ବତନ ବିଚାରପତି, ବରିଷ୍ଠ ଆଇନଜୀବୀ, ପ୍ରଧାନବିଚାରପତିଙ୍କ ପରିବାରବର୍ଗ, ସହରର ବହୁ ବୁଦ୍ଧିଜୀବୀ ତଥା ବିଭିନ୍ନ ବର୍ଗର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe