Business Today
ଭୁବନେଶ୍ୱର: ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ମୋଟାମୋଟି ନିୟନ୍ତ୍ରଣାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଧାନସଭାରେ ପ୍ରକାଶ କରିଛନ୍ତି।
ଘରୋଇ ବିଭାଗର ଖର୍ଚ୍ଚ ଦାବି ଉପରେ ବିତର୍କର ଆଲୋଚନାର ଉତ୍ତରରେ ନବୀନ କହିଲେ ଯେ,ଚଳିତ ବର୍ଷ ରାଜ୍ୟରେ କୌଣସି ଆଖିଦୃଶିଆ ସାଂପ୍ରଦାୟିକ ଓ ଛାତ୍ର ଅଶାନ୍ତି ଘଟି ନାହିଁ। କାଁ ଭାଁ ଶିଳ୍ପ,କୃଷକ ଏବଂ ଶ୍ରମିକ ଅଶାନ୍ତି ଜନିତ ଆଇନ ଶୃଙ୍ଖଳା ଘଟଣା ଘଟିଛି। ଯାହା ଖୁବ୍ ସତର୍କତା ଓ ତତ୍ପରତା ସହ ନିୟନ୍ତ୍ରଣ କରାଯାଇଛି।
ଗତ କେତେ ବର୍ଷ ହେଲା ରାଜ୍ୟରେ ମାଓବାଦୀ କାର୍ଯ୍ୟକଳାପ ଆଖିଦୃଶିଆ ଭାବେ ହ୍ରାସ ପାଇଛି। ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ସୀମାନ୍ତରେ ଥିବା କେତେକ ପାର୍ବତ୍ୟ ଓ ଦୁର୍ଗମ ଅଂଚଳରେ ମାଓ ଉପଦ୍ରବ ସୀମିତ ରହିଛି।
୨୦୧୮ ମସିହାରେ ୧୯ ଜଣ ମାଓବାଦୀ ନିହତ ହୋଇଥିବା ବେଳେ ଏବଂ ଚଳିତ ବର୍ଷ ୯ ଜଣ ନକ୍ସଲ ପ୍ରାଣ ହରାଇଛନ୍ତି। ଗୁରୁପ୍ରିୟା ସେତୁର ଉଦ୍ଘାଟନ ପରେ ‘ସ୍ୱାଭିମାନ ଅଂଚଳ’ରେ ଉନ୍ନୟନମୂଳକ କାର୍ଯ୍ୟ ତ୍ୱରାନ୍ଵିତ ହୋଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।
ମହିଳା ,ଶିଶୁ ଏବଂ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ସୁରକ୍ଷା ପ୍ରତି ରାଜ୍ୟ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି ଏବଂ ମହିଳାଙ୍କ ବିରୁଦ୍ଧରେ ଅପରାଧ ଅନୁସନ୍ଧାନ ପାଇଁ ୨୯ଟି ଜିଲ୍ଲାରେ ସ୍ୱତନ୍ତ୍ର ଶାଖା ଖୋଲାଯାଇଛି। ନାବାଳିକା ଧର୍ଷଣ ଓ ସମସ୍ତ ଗୁରୁତ୍ୱପୂର୍ଣ୍ଣ ମାମଲାଗୁଡ଼ିକୁ ‘ରେଡ୍ ଫ୍ଲାଗ୍’କେସ୍ ରୂପେ ବିବେଚନା କରାଯାଉଛି ବୋଲି ସେ କହିଥିଲେ।
Follow Us