ସରକାରୀ ଚାକିରି ଚୟନ ପରୀକ୍ଷାରେ ସ୍ବଚ୍ଛତା ପାଇଁ ଆସିବ ଆଇନ: ଜାଲିଆତି କଲେ ୫ବର୍ଷ ଜେଲ୍

Advertisment

ସରକାରୀ ଚାକିରି ପାଇଁ ହେଉଥିବା ବିଭିନ୍ନ ଚୟନ ପରୀକ୍ଷାରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏହା ଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆଶଙ୍କା ଭିତରକୁ ଠେଲି ହୋଇଯାଉଛି।

ସରକାରୀ ଚାକିରି ପାଇଁ ହେଉଥିବା ବିଭିନ୍ନ ଚୟନ ପରୀକ୍ଷାରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏହା ଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆଶଙ୍କା ଭିତରକୁ ଠେଲି ହୋଇଯାଉଛି।

CM Mohan Charan Majhi | Suryabanshi Suraj

ଭୁବନେଶ୍ବର: ସରକାରୀ ଚାକିରି ପାଇଁ ହେଉଥିବା ବିଭିନ୍ନ ଚୟନ ପରୀକ୍ଷାରେ ଅନିୟମିତତା ନେଇ ବାରମ୍ବାର ଅଭିଯୋଗ ଆସୁଛି। ଏହା ଦ୍ବାରା ମେଧାବୀ ଛାତ୍ରଛାତ୍ରୀମାନଙ୍କ ଭବିଷ୍ୟତ ଆଶଙ୍କା ଭିତରକୁ ଠେଲି ହୋଇଯାଉଛି। ଏହାକୁ ରୋକିବା ପାଇଁ ରାଜ୍ୟ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପରୀକ୍ଷାରେ ଅନିୟମିତତା ଓ ଦୁର୍ନୀତିକୁ ବନ୍ଦ କରିବା ପାଇଁ ‘ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ୍,୨୦୨୪’ ପ୍ରଣୟନ କରିବାକୁ ଯାଉଛନ୍ତି। ଆଜି ଏଥିରେ କ୍ୟାବିନେଟ୍ ମୋହର ବାଜିଛି। 

ଆଜି ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ରାଜ୍ୟ କ୍ୟାବିନେଟ୍ ବୈଠକ ବସିଥିଲା। ଏଥିରେ ମୋଟ୍ ୮ଟି ପ୍ରସ୍ତାବ ପାରିତ ହୋଇଥିଲା। ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଗଣମାଧ୍ୟମକୁ କ୍ୟାବିନେଟ୍ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ସାର୍ବଜନୀନ ପରୀକ୍ଷା ଆଇନ୍,୨୦୨୪ ସମ୍ପର୍କରେ କୁହାଯାଇଛି, ରାଜ୍ୟ ସରକାରଙ୍କ ବିଭିନ୍ନ ସଂସ୍ଥା ଓ ସରକାରଙ୍କ ଦ୍ବାରା ନିଯୁକ୍ତ ଏଜେନ୍ସି ପକ୍ଷରୁ ପରିଚାଳିତ ବିଭିନ୍ନ ଚୟନ ପରୀକ୍ଷାରେ ମିଥ୍ୟା ପରିଚୟ ପ୍ରଦାନ, ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ହଲ୍ ଭିତରକୁ ଅନଧିକୃତ ଲୋକଙ୍କ ପ୍ରବେଶ ଆଦିର ଅଭିଯୋଗ ଆସୁଛି। ଏହି ପରୀକ୍ଷାଗୁଡ଼ିକରେ ସ୍ବଚ୍ଛତା ଆଣିବା ସହ ଅନିୟମିତତାକୁ ରୋକିବା ପାଇଁ ନୂଆ ଆଇନ ଆସିବ। ଏହି ଆଇନ ଅଧୀନରେ ସମସ୍ତ ଅପରାଧ ଜାମିନ ବିହୀନ ଓ ରଫା ଅଯୋଗ୍ୟ ହେବ। କୌଣସି ବ୍ୟକ୍ତି ଏପରି ଅପରାଧ କଲେ ତାଙ୍କୁ ତିନିରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜେଲ୍ ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନାରେ ଦଣ୍ଡିତ କରାଯିବ। ସେବା ପ୍ରଦାନକାରୀ ମଧ୍ୟ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ଜରିମାନା ସହ ଦଣ୍ଡିତ ହେବେ ଏବଂ ସେମାନଙ୍କ ଠାରୁ ଆନୁପାତିକ ପରୀକ୍ଷା ଖର୍ଚ୍ଚ ମଧ୍ୟ ଆଦାୟ କରାଯିବ। ଜରିମାନା ପଇଠ କରିବାରେ ବିଫଳ ହେଲେ ଭାରତୀୟ ନ୍ୟାୟ ସଂହିତା, ୨୦୨୩ର ବ୍ୟବସ୍ଥା ଅନୁଯାୟୀ ଅତିରିକ୍ତ ଜେଲ୍ ଦଣ୍ଡ ଲାଗୁ କରାଯିବ।

ସେବା ପ୍ରଦାନକାରୀ କୋଟିଏ ଟଙ୍କା ଜରିମାନା ଦେବେ
ଆନୁପାତିକ ପରୀକ୍ଷା ଖର୍ଚ୍ଚ ବି ଆଦାୟ କରାଯିବ
ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ ପାଇଁ ୯,୬୫୨ କୋଟି
୮ ପ୍ରସ୍ତାବରେ କ୍ୟାବିନେଟ୍‌ ମୋହର

ନୂଆ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ତଥା ସର୍ଭେ ଓ ଅନୁସନ୍ଧାନ କରିବା, ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବା ଆଦି ଲକ୍ଷ୍ୟରେ ‘ଜଳକ୍ଷେତ୍ର ଭିତ୍ତିଭୂମି ଉନ୍ନୟନ କାର୍ଯ୍ୟକ୍ରମ’ ଯୋଜନା ପୂର୍ବରୁ ରାଜ୍ୟ ସରକାର ଚଳାଇ ଆସୁଛନ୍ତି। ଏହି ଯୋଜନାର ଅବଧିକୁ ଆଉ ପାଞ୍ଚ ବର୍ଷ ବୃଦ୍ଧି କରାଯାଇ ୨୦୨୪-୨୫ରୁ ୨୦୨୮-୨୯ ପର୍ଯ୍ୟନ୍ତ ୯,୬୫୨.୨୪ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହି ପ୍ରସ୍ତାବ ଆଜି କ୍ୟାବିନେଟ୍‌ରେ ପାରିତ ହୋଇଛି। ଏହି ଯୋଜନା ଦ୍ବାରା ୬୪୩୫ ହେକ୍ଟର ସେଚାଞ୍ଚଳର ସୁଦୃଢ଼ୀକରଣ କରାଯିବା ସହିତ ୧,୫୮,୩୧୮ ହେକ୍ଟର ଅତିରିକ୍ତ ସେଚାଞ୍ଚଳ ସୃଷ୍ଟି କରାଯାଇ ରାଜ୍ୟରେ ଜଳସେଚନ ବିକାଶକୁ ତ୍ବରାନ୍ବିତ କରାଯିବ। ଏହି ଯୋଜନା ନୂଆ ଜଳସେଚନ ପ୍ରକଳ୍ପର ଭିତ୍ତିଭୂମି ସ୍ଥାପନ ତଥା ସର୍ଭେ କରିବା ଓ ପର୍ଯ୍ୟାପ୍ତ ପାଣ୍ଠିର ବ୍ୟବସ୍ଥା ସହିତ ନିର୍ମାଣାଧୀନ ଜଳସେଚନ ପ୍ରକଳ୍ପଗୁଡ଼ିକୁ ନିର୍ଦ୍ଦିଷ୍ଟ ସମୟ ଅବଧି ମଧ୍ୟରେ ସମ୍ପୂର୍ଣ୍ଣ କରିବାରେ ସହାୟତା କରିବ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe