ଓଡ଼ିଶାରେ ଓକିଲାତି ଲାଇସେନ୍ସ ଏନରୋଲମେଣ୍ଟ ଫି' ଅଧିକ ପ୍ରସଙ୍ଗ: କେନ୍ଦ୍ର ସରକାର, ବାର୍ କାଉନସିଲକୁ ଜବାବ ତଲବ

Advertisment
ଓଡ଼ିଶାରେ ଓକିଲାତି ଲାଇସେନ୍ସ ଏନରୋଲମେଣ୍ଟ ଫି' ଅଧିକ ପ୍ରସଙ୍ଗ: କେନ୍ଦ୍ର ସରକାର, ବାର୍ କାଉନସିଲକୁ ଜବାବ ତଲବ

Sambad English

କଟକ : ଦେଶର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଓକିଲାତି ପାଇଁ ଅନୁମତି ବା ଲାଇସେନ୍ସ ପାଇବା ଲାଗି ଢେର ଅଧିକ ଟଙ୍କା ଏନରୋଲମେଣ୍ଟ ଫି’ ବାବଦରେ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଜମା କରିବାକୁ ପଡୁଛି। ଏହା ଆଡଭୋକେଟସ୍ ଆକ୍ଟର ଉଲ୍ଲଂଘନ ଓ ଆଇନଜୀବୀ ଭାବେ ଯୋଗଦେବାକୁ ଆଗ୍ରହୀ ପ୍ରାର୍ଥୀଙ୍କ ମୌଳିକ ଅଧିକାରର ଏପରି ନିୟମ ଉଲ୍ଲଂଘନ କରୁଛି ବୋଲି ଦର୍ଶାଇ ଦାୟର ଜନସ୍ବାର୍ଥ ମାମଲାକୁ ହାଇକୋର୍ଟ ବିଚାର ପାଇଁ ଗ୍ରହଣ କରିଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାରେ କେନ୍ଦ୍ର ସରକାର, ବାର୍ କାଉନସିଲ ଅଫ ଇଣ୍ଡିଆ ଓ ଓଡ଼ିଶା ରାଜ୍ୟ ଆଇନଜୀବୀ ପରିଷଦକୁ ନୋଟିସ୍ ଜାରି କରି ୪ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ  ନିର୍ଦ୍ଦେଶ ଦେଇଛନ୍ତି। ଦାଖଲ କରାଯିବାକୁ ଥିବା ଜବାବ ଉପରେ ଆବେଦନକାରୀ ପ୍ରତିଜବାବ ଦାଖଲ କରିବେ। ମାମଲାର ପରବର୍ତ୍ତୀ ଶୁଣାଣି  ଅଗଷ୍ଟ ୩କୁ ଧାର୍ଯ୍ୟ କରାଯାଇଛି। ବିନାୟକ ସୁବୁଦ୍ଧିଙ୍କ ଆବେବନର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି।

ଓଡ଼ିଶାରେ ଅନ୍ୟ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ତୁଳନାରେ ବହୁ ଅଧିକ ଟଙ୍କା ଏନରୋଲମେଣ୍ଟ ଫି’ ବାବଦରେ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ଜମା କରିବାକୁ ପଡୁଛି ବୋଲି ଦର୍ଶାଇ ଏହି ମାମଲା ଦାୟର ହାଇଛି। ଏଥିରେ ଉଲ୍ଲେଖ କରାଯାଇଛି ଯେ ଓକିଲାତି ପାଇଁ ନିୟମ ଅନୁସାରେ ଜଣେ ଯୋଗ୍ୟ, ୨୫ ବର୍ଷରୁ କମ୍ ବୟସର ସାଧାରଣ ବର୍ଗର ପ୍ରାର୍ଥୀଙ୍କୁ ଏନରୋଲମେଣ୍ଟ ଫି’ ବାବଦରେ ରାଜ୍ୟ ଆଇନଜୀବୀ ପରିଷଦ ନିକଟରେ ୪୨ ହଜାର ଶହେ ଟଙ୍କା ଜମା କରିବାକୁ ପଡୁଛି। କିନ୍ତୁ ଦିଲ୍ଲୀରେ ୧୫ ହଜାର ୩ଶହ ଟଙ୍କା, ପଶ୍ଚିମବଙ୍ଗରେ ୧୦ ହଜାର ୮ଶହ ଟଙ୍କା, ଆନ୍ଧ୍ରପ୍ରଦେଶରେ ୧୩ ହଜାର ୨୫୦ ଟଙ୍କା, ମହା‌ରାଷ୍ଟ୍ର ଓ କର୍ଣ୍ଣାଟକରେ ୧୫ ହଜାର ୫ଶହ ଟଙ୍କା ଏନରୋଲମେଣ୍ଟ ଫି’ ରହିଛି। ଓଡ଼ିଶାରେ ଓକିଲାତି ପେସାରେ ଯୋଗ ଦେବାପୂର୍ବରୁ ପ୍ରାର୍ଥୀଙ୍କ ଦ୍ବାରା ପଇଠ କରାଯାଉଥିବା ଏନରୋଲମେଣ୍ଟ ଫି’ ମଧ୍ୟରେ ‌ବିଭିନ୍ନ ୱେଲଫେୟାର ଫି’ ବାବଦରେ ନିଆଯାଉଥିବା ପ୍ରାୟ ୨୫ ହଜାର ଟଙ୍କା ଅନ୍ତର୍ଭୁକ୍ତ। ବିଭିନ୍ନ ମଙ୍ଗଳକାରୀ ଯୋଜନା ରାଜ୍ୟ ଆଇନଜୀବୀ ପରିଷଦ କରିପାରିବ। କିନ୍ତୁ, ଏପରି ଯୋଜନା ବାଧ୍ୟତାମୂଳକ କରାଯିବା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ। ଯେଉଁମାନେ ଚାହିଁବେ ଏପରି ଯୋଜନାରେ ସାମିଲ ହୋଇ ପାରିବେ ବୋଲି ଆବେଦନକାରୀ ଦର୍ଶାଇଛନ୍ତି। ଓଡ଼ିଶାରେ ଏନରୋଲମେଣ୍ଟ ଫି’ ଅଧିକ ରହିଥିବାରୁ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପ୍ରାର୍ଥୀ ଆଇନ ସ୍ନାତକ ଡିଗ୍ରି ଥାଇ ଓକିଲାତି ପେସାକୁ ଆସି ପାରୁନାହାନ୍ତି ବୋଲି ଆବେଦନରେ ଉଲ୍ଲେଖ କରାଯାଇଛି। ଆବେଦନକାରୀଙ୍କ ତରଫରୁ ଆଇନଜୀବୀ ରାମଦାସ ଆଚାରୀ ଓ ଦେବୀଦତ୍ତ ମହାପାତ୍ର ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe