Photo: Kanak News
ଭୁବନେଶ୍ୱର: ନିର୍ଭୟା ଗଣଦୁର୍ଷ୍କମ ଘଟଣାର ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ଯେତେବେଳେ ଚାରିଆଡେ ଚର୍ଚ୍ଚା ହେଉଛି ସେତେବେଳେ ଫାଶୀକୁ ନେଇ ଭିନ୍ନଭିନ୍ନ କଥା ସମସ୍ତଙ୍କ ମନକୁ ଆସୁଛି। କେମିତି ଫାଶୀ ଦିଆଯାଏ? ଫାଶୀ ଦେବା ପୂର୍ବରୁ ଅପରାଧୀ ସହ କଣ ଘଟେ? ଫାଶୀ ପରେ କଣ କରାଯାଏ ? ଏମିତି ତମାମ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଛି।
ତେବେ ୨୫ବର୍ଷ ତଳେ ଫାଶୀ ଖୁଣ୍ଟରେ କେମିତି ଝୁଲିଥିଲା ଲକ୍ଷ୍ମଣ ନାୟକ। ଦୁଷ୍କର୍ମକାରୀ ଲକ୍ଷ୍ମଣ ନାୟକକୁ ବ୍ରହ୍ମପୁର ଜେଲର ଫାଶୀ ଖୁଣ୍ଟରେ ଝୁଲାଇ ଦିଆଯାଇ ଥିଲା । ୧୯୯୪ ମସିହା ଜୁଲାଇ ମାସରେ ଶେଷ ଥର ପାଇଁ ବ୍ରହ୍ମପୁର ଜେଲରେ ହିଁ ଫାଶୀ ଦିଆଯାଇଥିଲା। ତେବେ ଫାଶୀ ଦେବା ପୂର୍ବରୁ କ’ଣ ଥିଲା ଲକ୍ଷ୍ମଣର ମାନସିକ ସ୍ଥିତି? କୁକର୍ମ ପାଇଁ ଅନୁତପ୍ତ ଥିଲା କି ଦୋଷୀ ଲକ୍ଷ୍ମଣ ନାୟକ? ସେ ସମୟର ପୂରା କାହାଣୀ ବଖାଣିଛନ୍ତି, ତତ୍କାଳୀନ ସହାୟକ କାରାପାଳ ନିରାକାର ପାଢ଼ୀ।
Photo: Premium Time Nigeriaଜେଲରଙ୍କ କହିବା ମୁତାବକ ଲକ୍ଷ୍ମଣ ନାୟକଙ୍କୁ ଫାଶୀ ଦେବା ପୂର୍ବରୁ ମହାରାଷ୍ଟ୍ରରୁ ଦୁଇ ଜଣ ଜହ୍ଲାଦ ଆସିଥିଲେ। ଦୁଇ ଜହ୍ଲାଦ କଦଳୀ ଓ ଗୁଆ ଘିଅ ଦେଇ ଫାଶୀ ଦଉଡିକୁ ପ୍ରସ୍ତୁତ କରିଥିଲେ। ଫାଶୀ ଦେବା ପୂର୍ବରୁ ଦୋଷୀର ମାନସିକ ଶାନ୍ତି ପାଇଁ ତାକୁ ଭାଗବତ ଶୁଣାଯାଇଥିଲା। ଆଉ ଯେଉଁଦିନ ଲକ୍ଷ୍ମଣ ନାୟକକୁ ଫାଶୀ ଦିଆଯାଇଥିଲା, ସେଦିନ ଭୋର ସକାଳୁ ଦୋଷୀକୁ ଗାଧୋଇ ଦେଇ ତାକୁ ନୂଆ ପୋଷାକ ପିନ୍ଧାଇ ଫାଶୀ ଖୁଂଟ ପାଖକୁ ଟାଣି ଟାଣି ନିଆଯାଇଥିଲା।
ତେବେ ଏହି ପୁରା ଘଟଣାକ୍ରମ ଏତେ ସହଜ ନଥିଲା। ଲକ୍ଷ୍ମଣ ନାୟକଙ୍କ ଫାଶୀଦଣ୍ଡ ଆସିଷ୍ଟାଣ୍ଡ ଜେଲରଙ୍କୁ ଏତେ ବିବ୍ରତ କରିଥିଲା ଯେ, ସେ ୩ ଦିନ ଯାଏଁ ଠିକରେ ଶୋଇ ପାରିନଥିଲେ। ୧୯୯୪ ପରେ ଓଡ଼ିଶାରେ ଏହା ପରଠାରୁ ଆଉ କେବେ କାହାରିକୁ ଫାଶୀ ଦିଆଯାଇନାହିଁ। ଓଡ଼ିଶାର ବ୍ରହ୍ମପୁର ଜେଲରେ ହିଁ କେବଳ ଫାଶୀ ଦେବାର ବ୍ୟବସ୍ଥା ରହିଛି।
Follow Us