ଲକ୍ଷ୍ମୀନାରାୟଣ ଭେଟ କରାଇଲେ ଗଜପତି: ମା’ ବିମଳାଙ୍କ ଅନୁରୋଧ ପରେ ଆସିଲେ ମା’ ଲକ୍ଷ୍ମୀ

ଶ୍ରୀମନ୍ଦିରଠାରୁ ମା’ଙ୍କୁ ପାଛୋଟି ଆଣିଲେ ଗଜପତି

ଲକ୍ଷ୍ମୀନାରାୟଣ ଭେଟ କରାଇଲେ ଗଜପତି: ମା’ ବିମଳାଙ୍କ ଅନୁରୋଧ ପରେ ଆସିଲେ ମା’ ଲକ୍ଷ୍ମୀ

ପୁରୀ: ଆଜି ଶ୍ରୀନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସଂପନ୍ନ ହୋଇଛି। ଗଜପତି ମହାରାଜାଙ୍କ ମଧ୍ୟସ୍ଥତା ପରେ ମହାପ୍ରଭୁଙ୍କୁ ଆଜି ମା’ ଲକ୍ଷ୍ମୀ ସାଆନ୍ତାଣୀ ଦେଖା ଦେଇଛନ୍ତି। ନୀଳାଦ୍ରି ବିଜେ ପୂର୍ବରୁ ଆଜି ଆଜ୍ଞାମାଳ ଦେଇ ଅପମାନ ଜର୍ଜ୍ଜରିତ ମା’ ଲକ୍ଷ୍ମୀଙ୍କ ମାନଭଞ୍ଜନ ଉଦ୍ୟମ ଆରମ୍ଭ କରିଛନ୍ତି ମହାପ୍ରଭୁ। ଏ ନେଇ ଆଜି ଶ୍ରୀନଅରଠାରେ ରଥ ଉପରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହୋଇଛି। ରାଜନଅରଠାରେ ରାତି ୮ଟା ୫ରେ ନନ୍ଦିଘୋଷ ରଥ ଅଟକିବା ପରେ ମହାଲକ୍ଷ୍ମୀ ବିଜେ କରିଥିଲେ। ରାତି ୮ଟା ୨୫ରେ ଲକ୍ଷ୍ମୀ-ନାରାୟଣ ଭେଟ ନୀତି ସମ୍ପନ୍ନ ହେବା ପରେ ମା’ ଲକ୍ଷ୍ମୀ ପୁଣି ଶ୍ରୀମନ୍ଦିର ଫେରିଯାଇଛନ୍ତି।

ରୁକ୍ମିଣୀ ହରଣ ଏକାଦଶୀରେ ବିବାହ ପରେ ଚତୁର୍ଥୀରେ ସ୍ନାନବେଦିରେ ଅତ୍ୟଧିକ ସ୍ନାନ ପରେ ମହାପ୍ରଭୁ ଜ୍ୱରରେ ପଡ଼ି ଅଣସର ଘରେ ଗୋପନ ଚିକିତ୍ସାରେ ଥିଲେ। ଭଲ ହୋଇ ଅଣସର ଘରୁ ବାହାରିଛନ୍ତି କି ନାହିଁ, ଭାଇଭଉଣୀଙ୍କୁ ସାଙ୍ଗରେ ଧରି ଶ୍ରୀଗୁଣ୍ଡିଚା ଯାତ୍ରାରେ ଚାଲିଆସିଥିଲେ। ନବବିବାହିତ ମା’ ଲକ୍ଷ୍ମୀଙ୍କ ଅଙ୍ଗବାସରୁ ବିବାହ ଗଇଣ୍ଠାଳ ବି ଫିଟିନଥିଲା। ନବବିବାହିତା ମା’ ଲକ୍ଷ୍ମୀ ବିରହ ବେଦନା ସହ୍ୟ କରିନପାରି ମା’ ବିମଳାଙ୍କ ପରାମର୍ଶକ୍ରମେ ହେରାପଞ୍ଜମୀରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରୀମନ୍ଦିରରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗୋପନଯାତ୍ରା କରିଥିଲେ। ମା’ ଲକ୍ଷ୍ମୀ ସାଆନ୍ତାଣୀ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଠିଆ ହୋଇ ରହିଥିବା ବେଳେ ସଂଧ୍ୟାଧୂପ ପାଇଁ ଜୟବିଜୟ ଦ୍ବାର ବନ୍ଦ ହୋଇଯାଇଥିଲା। ମହାପ୍ରଭୁଙ୍କ ଦର୍ଶନରୁ ବଞ୍ଚିତ ମା’ ଅଭିମାନରେ ନାକଚଣା ଦ୍ୱାର ଦେଇ ଫେରି ‌ଆସିବା ସହ ରାଗରେ ନନ୍ଦିଘୋଷ ରଥ ଭାଙ୍ଗି ଦେଇଥିଲେ। ସେବେଠୁ ମା’ ଲକ୍ଷ୍ମୀ ମହାପ୍ରଭୁଙ୍କ ଉପରେ ମାନ କରିଛନ୍ତି। ଏହି ମାନଭଞ୍ଜନ ପାଇଁ ଆଜି ରାଜନଅରଠାରେ ଲକ୍ଷ୍ମୀ-ନାରାୟଣ ଭେଟ ହୋଇଛି। ନଅ ଦିନ ଧରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିନଥିବା ମା’ ଲକ୍ଷ୍ମୀ ସାଆନ୍ତାଣୀ ଆଜି ମା’ ବିମଳାଙ୍କ ଅନୁରୋଧ ରକ୍ଷା କରି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe