ବିଜେଡି ଶିବିରରେ ଶିଥିଳତା: କାହା ନେତୃତ୍ବରେ ଆଗକୁ ବଢ଼ିବେ କର୍ମୀ?

୨୦୨୪ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାରେ ବିଜେଡି ବିପର୍ଯ୍ୟୟର ଶିକାର ହୋଇଥିଲା। ୪ ବିଧାନସଭା ଆସନରୁ ଦଳ ୩ଟିରେ ପରାଜୟବରଣ କରିବା ସହିତ ନବରଙ୍ଗପୁର ଲୋକସଭା ଆସନରେ ବି ହାରିଥିଲା।

ପ୍ରଫୁଲ୍ଲ ସୁନ୍ୟାନୀଙ୍କୁ ବିଜେଡିରେ ମିଳିଲା ନୂଆ ଦାୟୀତ୍ବ

ନବରଙ୍ଗପୁର: ୨୦୨୪ ସାଧାରଣ ନିର୍ବାଚନରେ ନବରଙ୍ଗପୁର ଜିଲ୍ଲାରେ ବିଜେଡି ବିପର୍ଯ୍ୟୟର ଶିକାର ହୋଇଥିଲା। ୪ ବିଧାନସଭା ଆସନରୁ ଦଳ ୩ଟିରେ ପରାଜୟବରଣ କରିବା ସହିତ ନବରଙ୍ଗପୁର ଲୋକସଭା ଆସନରେ ବି ହାରିଥିଲା। ବିଧାନସଭା, ଲୋକସଭା ଆସନରେ ବିଜେପିର ବାଜିମାତ୍‌ ପରେ ବିଜେଡି ଶିବିରରେ ଏବେ ଶିଥିଳତା ଦେଖାଦେଇଛି। ନିର୍ବାଚନ ସରି ୯ ମାସ ବିତିଲାଣି। ଅଥଚ ଦଳକୁ ସଂଗଠିତ କରିବା ପାଇଁ ବିଜେଡି ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମର ଆୟୋଜନ କରାଯାଇନି। 

ଜିଲ୍ଲାର ଦୁଇ ତୁଙ୍ଗ ନେତା ପୂର୍ବତନ ସାଂସଦ ରମେଶ ମାଝୀ ଏବଂ ପ୍ରଦୀପ ମାଝୀଙ୍କ ଉପରେ ଦଳୀୟ ସଂଗଠନ ନିର୍ଭର କରୁଛି। ତେବେ ୨୦୨୪ ସାଧାରଣ ନିର୍ବାଚନରେ ଉଭୟଙ୍କ ଗୋଷ୍ଠୀ ଏକାଠି ନ ହେବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଥିଲା। ବର୍ଷ ବର୍ଷ ଧରି ବିଜେଡି ହାତରେ ଥିବା ନବରଙ୍ଗପୁର, ଉମରକୋଟ, ଝରିଗାଁ ଆସନରେ ବିଜେପି ପ୍ରାର୍ଥୀ ବିଜୟୀ ହୋଇଥିଲେ। ୨୦୦୯ ପରଠାରୁ ପରାଜୟର ସ୍ବାଦ ଚାଖିନଥିବା ଭେଟେରାନ୍ ନେତା ରମେଶ ମାଝୀ ଅପ୍ରତ୍ୟାଶିତ ଭାବେ ଝରିଗାଁ ବିଧାନସଭା ଆସନରେ ହାରି ଯାଇଥିଲେ। ୨୦୧୯ରେ ଏହି ଆସନରେ ବିଜେଡିର ନବାଗତ ପ୍ରାର୍ଥୀ ପ୍ରକାଶ ମାଝୀ ୩୧ ହଜାର ୩୭୦ ‌ଭୋଟ୍‌ ବ୍ୟବଧାନରେ ବିଜୟୀ ହୋଇଥିଲେ। କିନ୍ତୁ ୨୦୨୪ ନିର୍ବାଚନରେ ରମେଶ ମାଝୀ ପ୍ରାର୍ଥୀ ହେବା ସତ୍ତ୍ବେ ୩୪୩୮ ଭୋଟ୍‌ ବ୍ୟବଧାନରେ ପରାଜିତ ହୋଇଛନ୍ତି।

ବିଜେଡି ଶିବିରରେ ଶିଥିଳତା
ସାଙ୍ଗଠନିକ ପୁନର୍ଗଠନକୁ ଅପେକ୍ଷା

ରମେଶଙ୍କ ପରାଜୟ ଦଳର ଅନେକ ତୁଙ୍ଗ ନେତାଙ୍କୁ ଚକିତ କରିବା ସହିତ ବିଜେଡି ଶିବିରକୁ ନିରୁତ୍ସାହିତ କରିଛି। ଆଗକୁ ପଞ୍ଚାୟତ ଓ ପୌର ନିର୍ବାଚନ ଥିବାରୁ ଦଳକୁ ପୁଣି ସଂଗଠିତ କରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ସଭ୍ୟ ସଂଗ୍ରହ ଅଭିଯାନ ଆରମ୍ଭ ହୋଇଥିଲେ ମଧ୍ୟ ଆଶାନୁରୂପ ହୋଇ ପାରିନାହିଁ। ଜିଲ୍ଲା ସଂଗଠନ ନିର୍ବାଚନ ପାଇଁ ନିର୍ବାଚନ ଅଧିକାରୀ ଭାବେ ଆଇନଜୀବୀ ସଚିନନ୍ଦନ ସ୍ବାଇଁଙ୍କୁ ଦାୟିତ୍ବ ମିଳିଛି। ପଞ୍ଚାୟତ, ୱାର୍ଡ, ବ୍ଲକ୍‌ ଓ ପୌର ପରିଷଦ ସଭାପତି ପାଇଁ ନିର୍ବାଚନ ହେବ। ସେଥିପାଇଁ ସହକାରୀ ନିର୍ବାଚନ ଅଧିକାରୀ ନିଯୁକ୍ତି ଦିଆଯାଇଛି। ଏବେ କିଛି ଅଞ୍ଚଳରେ ୱାର୍ଡ, ପଞ୍ଚାୟତ ଓ ବ୍ଲକ୍‌ ସଭାପତି ଗଠନ ହୋଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ନିର୍ବାଚନ ସରିବା ପାଇଁ ଲକ୍ଷ୍ୟ ଥିବା ବେଳେ ଏଥିରେ ବିଳମ୍ବ ହୋଇପାରେ ବୋଲି କୁହାଯାଉଛି। ଏହା ପରେ ଜିଲ୍ଲା ସଭାପତି ଚୟନ ଓ ପରବର୍ତ୍ତୀ ସମୟରେ ଜିଲ୍ଲା କମିଟିମାନ ଗଠନ ହେବ। ଶାସକ ବିଜେପି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କୁ ମନ୍ତ୍ରୀ ପଦ ଦେଇ ବିଜେପିକୁ ସୁଦୃଢ଼ କରିବା ପାଇଁ ପ୍ରୟାସ କରିଛି। ତେବେ ଏହାର କୌଣସି ପ୍ରଭାବ ବିଜେଡି ସଂଗଠନ ଉପରେ ପଡ଼ିବ ନାହିଁ ବୋଲି ବରିଷ୍ଠ ବିଜେଡି ନେତାମାନେ ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe