ବିଧାୟକ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ: ‘ବିକାଶରେ ବାଧକ ଶାସକ ଦଳର ନେତା’

ରାଜ ପରିବାର ୪ ହଜାର କୋଟି ଜମି ଦୁର୍ନୀତିରେ ସଂପୃକ୍ତ

ବିଧାୟକ ନରସିଂହଙ୍କ ସାମ୍ବାଦିକ ସମ୍ମିଳନୀ: ‘ବିକାଶରେ ବାଧକ ଶାସକ ଦଳର ନେତା’

Odisha Samaya

ବଲାଙ୍ଗୀର : ଯାହା ପ୍ରକଳ୍ପ ମଞ୍ଜୁର ହୋଇ ଟଙ୍କା ଆସୁଛି, ତାହା କାମରେ ଲାଗିପାରୁନି। ମହାରାଣୀ ସାଗର ପାଇଁ ୨୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଲକ୍ଷ୍ମୀଯୋର ପାଇଁ ୧୨ କୋଟି ଟଙ୍କା ମଞ୍ଜୁର ହୋଇଛି। କିନ୍ତୁ, କିଛି ବିକାଶ ବିରୋଧୀ ଗୋଷ୍ଠୀ ଏହାକୁ ବିରୋଧ କରୁଛନ୍ତି। ସ୍ଥାନୀୟ ଶାସକ ଦଳର ନେତା ହିଁ ବିକାଶରେ ବାଧକ ସାଜୁଛନ୍ତି ବୋଲି ବଲାଙ୍ଗୀର ବିଧାୟକ ନରସିଂହ ମିଶ୍ର ବୁଧବାର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ଏହାସହ ବଲାଙ୍ଗୀର ରାଜ ପରିବାର ୪ ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ସଂପୃକ୍ତ ଅଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି। ଏପରିକି ସିଲିଂ ଜମି ଦୁର୍ନୀତିରେ ବଲାଙ୍ଗୀରର ଅବସ୍ଥାପିତ ବର୍ତ୍ତମାନର ଜଣେ ରାଜସ୍ବ ଅଧିକାରୀ ଯେଉଁ ସମୟରେ ବଲାଙ୍ଗୀର ତହସିଲଦାର ଥିଲେ ସେ ବି ସଂପୃକ୍ତ ବୋଲି କହିଛନ୍ତି।

ସ୍ଥାନୀୟ ସର୍କିଟ ହାଉସରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଧାୟକ ଶ୍ରୀ ମିଶ୍ର ଜବରଦଖଲ ଉଚ୍ଛେଦ ପ୍ରସଙ୍ଗରେ କହିଥିଲେ, ‘ ଯେତେବେଳେ ବିଧାନସଭାରେ ଜମି ଜବରଦଖଲ ବିଲ୍‌ ଆସିଲା ଏବଂ କୌଣସି ବ୍ୟକ୍ତି ସରକାରୀ ଜମି ଜବରଦଖଲ କରିଥିଲେ, ତାଙ୍କୁ ୭ବର୍ଷ ଜେଲ୍‌ ସହିତ ଜରିମାନା ଦଣ୍ଡର ବ୍ୟବସ୍ଥା କରାଯାଇଥିଲା। ସେହି ବିଲ୍‌କୁ ବିଧାନସଭାରେ କେବଳ ବଲାଙ୍ଗୀର ବିଧାୟକ ଭାବେ ମୁଁ ହିଁ ବିରୋଧ କରିଥିଲି।’ ସୁପ୍ରିମକୋର୍ଟଙ୍କ ମଧ୍ୟ ନିର୍ଦ୍ଦେଶ ଅଛି ଯେ, ସମ୍ବିଧାନର ଧାରା ୨୧ ଅନୁଯାୟୀ ଲୋକଙ୍କ ବଞ୍ଚିବାର ଅଧିକାର ରହିଛି। ବଞ୍ଚିବା ପାଇଁ ରୋଜଗାର ଆବଶ୍ୟକ। ଏହି ମର୍ମରେ କିଛି ଲୋକ ଗାଁରୁ ଆସି ସହରରେ ଜବରଦଖଲରେ ରହି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି। ସେଭଳି ଭୂମିହୀନ, ବାସହୀନ ଗରିବମାନଙ୍କ ପାଇଁ ଏହି ବିଲ୍‌ରେ ସଂଶୋଧନ ଅଣାଯାଉ ଏବଂ ସେମାନଙ୍କୁ ବିନା ମୂଲ୍ୟରେ ଘର ଓ ଜମି ଯୋଗାଇ ଦିଆଯାଉ ବୋଲି ଦାବି କରିଥିବା ସେ କହିଥିଲେ।

ବିଜେଡି ପକ୍ଷରୁ କିଛି ଦିନ ପୂର୍ବରୁ କରାଯାଇଥିବା ସାମ୍ବାଦିକ ସମ୍ମିଳନୀର ପ୍ରସଙ୍ଗ ଉପରେ ହୋଇଥିବା ପ୍ରଶ୍ନରେ ଶ୍ରୀ ମିଶ୍ର କହିଥିଲେ, ବଲାଙ୍ଗୀର ରାଜ ପରିବାର ଲୋକଙ୍କୁ ଭୁଆଁ ବୁଲାଉଛନ୍ତି। ୪ ହଜାର କୋଟି ଟଙ୍କାର ଜମି ଦୁର୍ନୀତିରେ ରାଜପରିବାର ଲିପ୍ତ ଅଛନ୍ତି। ଏହି ଜମି ଦୁର୍ନୀତିକୁ ନେଇ ପିଏସି ତଦନ୍ତ ଆରମ୍ଭ କରି ସାରିଛି। ଆଗରୁ ଅନେକ ଅଭିଯୋଗ ଥିଲେ ହେଁ ରାଜ୍ୟର ବିଜେଡି ସରକାର ଏମାନଙ୍କ ବିରୋଧରେ ପଦକ୍ଷେପ ନେଉନାହିଁ। କିନ୍ତୁ ପିଏସି ତାଙ୍କ ଦଳର ନୁହେଁ। ଠିକ୍‌ ତଦନ୍ତ ହେଲେ ଏମାନଙ୍କ ଜମି ଦୁର୍ନୀତି ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଦ‌ୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହାସହ ସେ ଏହି କେଳେଙ୍କାରୀରେ ରାଜ ପରିବାର ତରଫରୁ ବହୁପୂର୍ବରୁ ଦାଖଲ ହୋଇଥିବା ଜମି ନଥିପତ୍ର ବଲାଙ୍ଗୀର ତହସିଲରୁ ତତ୍କାଳୀନ ତହସିଲଦାରଙ୍କୁ ଏକ କୋଟି ଟଙ୍କା ଲାଞ୍ଚ ଦେଇ ଏ ସମ୍ବନ୍ଧୀୟ ସମସ୍ତ କାଗଜପତ୍ର ଚୋରି କରାଯାଇଥିବା ଶୁଣାଯାଉଛି ବୋଲି କହିଥିଲେ। ସହର ମଧ୍ୟରେ ଚାରିଶହ ଏକର ଜମି ଘରବାରି ହେବା ରାଜ ପରିବାରର ଜମି କେଳେଙ୍କାରୀକୁ ସ୍ୱତଃ ପ୍ରମାଣିତ କରୁଛି ବୋଲି ସେ କହିଥିଲେ।

ଏହି ସମ୍ମିଳନୀରେ ଜିଲ୍ଲା କଂଗ୍ରେସ ଉପସଭାପତି ମନୀଷ ମିଶ୍ର, ସନ୍ତକ ମିଶ୍ର, ସେବାଦଳ ମୁଖ୍ୟ ଅସିତ ମିଶ୍ର, ଜିଲ୍ଲା କିଷାନ କଂଗ୍ରେସ ସଭାପତି ସାନନ୍ଦ ମିଶ୍ର, ଜିଲ୍ଲା ମହିଳା ସଭାନେତ୍ରୀ ମିଳନୀ ସାହୁ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe