ନେତାଙ୍କ ୨୪ ଚିନ୍ତା: ବବିଙ୍କ ସହ ଏକାଠି ବସିଲେ ବରଗଡ଼ର ବିଜେଡି ନେତା

Advertisment
ନେତାଙ୍କ ୨୪ ଚିନ୍ତା: ବବିଙ୍କ ସହ ଏକାଠି ବସିଲେ ବରଗଡ଼ର ବିଜେଡି ନେତା

ବରଗଡ଼: ବରଗଡ଼ରେ ବିଜେଡି ସାଂଗଠାନିକ ସଂପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏବଂ ସ୍ଥାନୀୟ ନେତୃବୃନ୍ଦଙ୍କ ବୈଠକ ରାଜନୀତି ମହଲରେ ଉଷ୍ଣତା ଭରି ଦେଇଛି। ବବି ଦାସ ଯେଉଁ ସମୟରେ ବରଗଡ଼ ଆସିଛନ୍ତି, ନିଶ୍ଚିତ ଭାବେ ତାହା ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି। କାରଣ, ନିକଟ ଅତୀତରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ବେଳେ ବିଧାୟକ ସୁଶାନ୍ତ ସିଂଙ୍କ ସମର୍ଥକ ନାଖୁସ ଥିବା ଚର୍ଚ୍ଚା ହୋଇଥିଲା। ପରେ ଶ୍ରୀ ସିଂଙ୍କୁ ଭୁବନେଶ୍ବର ଡାକି ମୁଖ୍ୟମନ୍ତ୍ରୀ ଓ ବବି ଦାସ ପୃଥକ୍‌ ପୃଥକ୍‌ ଆଲୋଚନା କରିଥିଲେ। ଯଦିଓ ଶ୍ରୀ ସିଂ ଏହି ଘଟଣାକୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ସହ ନ ଯୋଡ଼ିବାକୁ କହିଥିଲେ, ତଥାପି ଘଟଣାକୁ ନେଇ ଏଯାଏଁ ଚର୍ଚ୍ଚା ଥମିନାହିଁ। ଅନ୍ୟପକ୍ଷରେ ଆସନ୍ତା ୨୬ ଓ ୨୭ ତାରିଖ ୫-ଟି ସଚିବ ଭି କେ ପାଣ୍ଡିଆନ୍‌ ବରଗଡ଼ ଜିଲ୍ଲା ଗସ୍ତ କରୁଛନ୍ତି। ସ୍ଥାନୀୟ ଅନ୍ନପୂର୍ଣ୍ଣା ପେଲେସ୍‌ଠାରେ ଏହି ଦୁଇଘଣ୍ଟିଆ ବୈଠକ ସଂପର୍କରେ ଉପସ୍ଥିତ ନେତା ସେଭଳି କିଛି ବଡ଼ ବୟାନବାଜି କରିନାହାନ୍ତି। ଜିଲ୍ଲାରେ ସଂଗଠନକୁ ମଜଭୁତ କରିବା ଏବଂ ୫-ଟି ସଚିବଙ୍କ ଗସ୍ତର ପ୍ରସ୍ତୁତି ସକାଶେ ଏହି ବୈଠକ ଡକାଯାଇଥିବା ନେତାମାନେ ହାଲୁକା ଭାବେ କହୁଛନ୍ତି। ବିଗତ ଦିନରେ ଜିଲ୍ଲାରେ କିଛି ରାଜନୈତିକ ଅସ୍ଥିରତା ଘଟିଥିଲା।

ରୀତା ସାହୁଙ୍କୁ ମନ୍ତ୍ରୀ ପଦ ଓ ସୁଶାନ୍ତ ସିଂ ବାଦ୍‌ ପଡ଼ିବା, ପଦ୍ମପୁର ଉପନିର୍ବାଚନରେ ପ୍ରାର୍ଥୀ ଚୟନ ଛକାପଞ୍ଝା ଆଦି ପ୍ରସଂଗକୁ ଏଡ଼ାଇ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ବୈଠକରେ ଗୁରୁତ୍ବାରୋପ କରାଯାଇଥିବା ଭିତିରିଆ ମହଲରୁ ଖବର ଆସୁଛି। ବିଜୟ ରଂଜନ ସିଂ ବରିହାଙ୍କ ଦେହାନ୍ତ ପରେ ଜିଲ୍ଲାରେ ବିଜେଡି ସଭାପତି ପଦ ଫାଙ୍କା ରହିଛି। ଏ ନେଇ ମଧ୍ୟ କିଛି ଆଲୋଚନା ଆଗେଇଥିବା ବିଶ୍ବସ୍ତ ସୂତ୍ରରୁ ପ୍ରକାଶ। ବୈଠକରେ ରାଜ୍ୟ ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ରୀତା ସାହୁ, ଭଟଲି ବିଧାୟକ ସୁଶାନ୍ତ ସିଂ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ପଦ୍ମପୁର ବିଧାୟିକା ବର୍ଷା ସିଂ ବରିହା, ପର୍ଯ୍ୟବେକ୍ଷକ ତଥା ଢେଙ୍କାନାଳ ବିଧାୟକ ସୁଧୀର ସାମଲ, ରାଜ୍ୟ ପଣ୍ୟଗାର ଅଧ୍ୟକ୍ଷ ମହେନ୍ଦ୍ର ବଢ଼େଇ, ବରିଷ୍ଠ ନେତା ସମ୍ବିତ ଆଚାର୍ଯ୍ୟ, ଆପିକଲ୍‌ ଅଧ୍ୟକ୍ଷ ପ୍ରଭାତ ଆଦିତ୍ୟ ମିଶ୍ର, ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ସାଧୁ ଚରଣ ନେପାକଙ୍କ ସମେତ ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ। ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ବୈଠକରେ ଅଧ୍ୟକ୍ଷତା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe