ନିର୍ବାଚନୀ ମାର୍ଗକୁ ନେଇ ଚର୍ଚ୍ଚା: ଏହି ମାର୍ଗ ପାଇଁ ଜନତାଙ୍କ ଆଗରେ ହାର ମାନିଥିଲେ ନେତା

Advertisment
ଆର୍‌ଡି ଠିକାକାମରେ ଟେଣ୍ଡର ଫିକ୍ସିଂ!

ରାମଚନ୍ଦ୍ରପୁର : ଫି’ ନିର୍ବାଚନ ଆସିଲେ ମନେ ପଡ଼େ ନିର୍ବାଚନୀ ମାର୍ଗ। ଯାହା ଆଜି ବି ଅନେକଙ୍କ ପାଇଁ ଉଦାହରଣ ହୋଇ ରହିଥିବା ବେଳେ ‌ତିନିଖଣ୍ଡ ଗାଁର ଜୀବନରେଖା ବନିଯାଇଛି। ନରଦା ଠାରୁ ଅଳତି ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ରାସ୍ତାକୁ ନେଇ ଏବେ ମଧ୍ୟ ଲୋକଙ୍କ ମଧ୍ୟରେ ଚର୍ଚ୍ଚା-ଆଲୋଚନା ହେଉଛି।

ଘସିପୁରା ନିର୍ବାଚନ ମଣ୍ତଳୀ ଅଧୀନରେ ଗଡ଼ବାନ୍ଧଗୋଡ଼ା ପଞ୍ଚାୟତର କରଡ଼ାମାଳି, ନରଦା, ଗୁଡିଆଡିହ ଗ୍ରାମ। ଲୋକ ସଂଖ୍ୟା ୧୫ଶହ ପାଖାପାଖି। ସ୍ବାଧୀନତାର ୩୮ ବର୍ଷ ପରେ ମଧ୍ୟ  ତିନି ଗାଁକୁ ଭଲ ପକ୍କା ସଡ଼କ ଟିଏ ନଥିଲା। ଗାଁକୁ ସବୁଦିନିଆ ପକ୍କା ସଡ଼କ ନିର୍ମାଣ ପାଇଁ ସରପଞ୍ଚଙ୍କଠାରୁ ମନ୍ତ୍ରୀ, ବିଡିଓଙ୍କଠାରୁ ଜିଲ୍ଲାପାଳଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ନିକଟରେ ଗୁହାରି କରାଯାଇଥିଲେ ହେଁ ସବୁଠୁ ପୁଳାପୁଳା ପ୍ରତିଶ୍ରୁତି ମିଳୁଥିଲା। ମାତ୍ର କାର୍ଯ୍ୟ ଶୂନ ଥିଲା। ପ୍ରଶାସନିକ ଦୂରଦୃଷ୍ଟି ଅଭାବରୁ ତିନି ଖଣ୍ତି ଗାଁ’ ଲୋକେ ଯାତାୟାତରେ ନାନା ଅସୁବିଧାର ସମ୍ମୁଖୀନ ହେଉଥିଲେ।

୧୯୮୫ ମସିହାରେ ବିଧାନସଭା ଏବଂ ଲୋକସଭା କ୍ଷେତ୍ରପାଇଁ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ତିନି ଖଣ୍ତ ଗ୍ରାମର ଗ୍ରାମବାସୀ ନରଦା ଗାଁର ଉମାକାନ୍ତ ବେହେରାଙ୍କ ଆହ୍ବାନ କ୍ରମେ ଗାଁ କୋଠ ଘରେ ବୈଠକ କରିଥିଲେ। ସମସ୍ତଙ୍କ ସହମତି କ୍ରମେ ଭୋଟ ବର୍ଜନ ପାଇଁ ନିଷ୍ପତ୍ତି ନିଆଯାଇଗଲା। ଗାଁ ସ୍କୁଲରେ ଭୋଟ୍‌ ଗ୍ରହଣ କେନ୍ଦ୍ର ଖୋଲିଲା। କିନ୍ତୁ ତିନି ଖଣ୍ତି ଗ୍ରାମର କେହି ଜଣେ ହେଲେ ବି ମତଦାନ କେନ୍ଦ୍ରକୁ ଆସିଲେ ନାହିଁ। ଅପରାହ୍ଣ ବେଳକୁ ଖବର ବିଭିନ୍ନ ଆଡ଼େ ପ୍ରସାରିତ ହେବା ପରେ ଗାଁକୁ ବଡ଼ବଡ଼ ଅଧିକାରୀ, ନେତାମନ୍ତ୍ରୀଙ୍କ ସୁଅ ଛୁଟିଲା। ଲୋକଙ୍କୁ ଅନେକ ପ୍ରତିଶ୍ରୁତି ମିଳିଲା ହେଲେ ଗ୍ରାମବାସୀଙ୍କ ଜିଦ୍ ଆଗରେ ପ୍ରଶାସନ ଏବଂ ରାଜନେତା ହାର ମାନିଲେ। ଲୋକେ ଭୋଟ ଦାନରୁ ବିରତ ରହିଲେ। ତହିଁ ପରଦିନ ବିଭିନ୍ନ ଆଞ୍ଚଳିକ ଗଣମାଧ୍ୟମ ସହ ଜାତୀୟ ଗଣମାଧ୍ୟମରେ ଏହି ଘଟଣା ମୁଖ୍ୟ ପ୍ରସଙ୍ଗ ହୋଇ ରହିଲା। ତତ୍ପରେ ସେହି ବର୍ଷ ନରଦା ଠାରୁ ତିନିଖଣ୍ତି ଗାଁକୁ ମିଶାଇ ଅଳତି ପର୍ଯ୍ୟନ୍ତ ଦୀର୍ଘ ୫ କିଲୋମିଟର ରାସ୍ତାକୁ ସବୁଦିନିଆ ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ ହେଲା। ସେହି ରାସ୍ତା ଏବେ ପକ୍କା ସଡ଼କରେ ପରିଣତ ହୋଇ ଲୋକଙ୍କ ଜୀବନଜୀବିକାରେ ଲାଇଫ ଲାଇନ ବନିଯାଇଛି। ଆଜି ବି ଲୋକେ ସେହି ରାସ୍ତାଟିକୁ ନିର୍ବାଚନୀ ମାର୍ଗ ବୋଲି ଆଖ୍ୟାଦେଇ ଆସୁଛନ୍ତି। ଏଠି ଜନତାଙ୍କ ଆଗରେ ହାର ମାନିଥିଲେ ନେତା। ଏକତା ହିଁ ବଳ ବୋଲି ଏଥିରୁ ବେଶ ପ୍ରମାଣିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe