ବଣ ମୁଲକର ବିଦ୍ୟାଳୟ: ପଛୁଆ ଅଞ୍ଚଳର ଆଗୁଆ ସ୍କୁଲ୍‌

ବଣ ମୁଲକର ବିଦ୍ୟାଳୟ: ପଛୁଆ ଅଞ୍ଚଳର ଆଗୁଆ ସ୍କୁଲ୍‌

ତେଲକୋଇ : କେନ୍ଦୁଝର ଜିଲ୍ଲାର ଉପାନ୍ତ ତେଲକୋଇ ବ୍ଲକ୍‌ର ଦୁର୍ଗମ ତାଳପଦା ଅଞ୍ଚଳ। ତେଲକୋଇ ବ୍ଲକ୍‌ ମୁଖ୍ୟାଳୟରୁ ୨୨ କିମି କଚ୍ଚାରାସ୍ତାରେ ଗଲେ ପଡ଼ୁଥିବା ଏହି ଅଞ୍ଚଳର ଏକ ବ୍ଲକ୍‌ଗ୍ରାଣ୍ଟ ଉଚ୍ଚବିଦ୍ୟାଳୟ ଚର୍ଚ୍ଚାରେ ରହିଛି। ବିଦ୍ୟାଳୟ ପରିବେଶ ମ‌ନମୋହୁଛି। ସୁଉଚ୍ଚ ଫାଟକ ଓ ଫୁଲ ବଗିଚା ପାର୍କର ଭ୍ରମ ସୃଷ୍ଟି କରୁଛି।

publive-image

ପୂର୍ବରୁ ତାଳପଦାକୁ ଗମନାଗମନ ସୁବିଧା ନଥିଲା। ବିଦ୍ୟୁତ୍‌ ସଂଯୋଗ ହୋଇନଥିବା‌ବେଳେ ଉତ୍ତମ ସ୍ବାସ୍ଥ୍ୟସେବା ଏଠାକାର ଲୋକଙ୍କ ପାଇଁ ସାତସପନ ଥିଲା। ମୌଳିକ ସୁବିଧା ମିଳୁନଥିବାରୁ ଲୋକେ ଏହି ଅଞ୍ଚଳରେ ଝିଅ ବାହା ଦେବାକୁ ଅରାଜି ହେଉଥିଲେ। ବିଜୁଳି ନଥିବାରୁ ବାପଘର ଲୋକେ ଝିଅକୁ ବୈଦ୍ୟୁତିକ ସାମଗ୍ରୀ ଉପହାର ଦେଉନଥିଲେ। ଏଭଳି ଏକ ଦୁର୍ଗମ ଅଞ୍ଚଳରେ ୧୯୯୩ ମସିହାରେ ସ୍ଥାନୀୟ ଅଧିବାସୀଙ୍କ ଉଦ୍ୟମରେ ପ୍ରତିଷ୍ଠା ହୋଇଥିଲା ପିଟିଜିଏସ୍‌ ଉଚ୍ଚବିଦ୍ୟାଳୟ। ଅନେକ ବାଧାବିଘ୍ନ ସତ୍ତ୍ଵେ ସ୍ଥାନୀୟ ଅଧିବାସୀ, ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଓ ଶିକ୍ଷକଙ୍କ ସହଯୋଗରେ ବିଦ୍ୟାଳୟଟି ଏବେ ବ୍ଲକ୍‌ଗ୍ରାଣ୍ଟ ମାନ୍ୟତା ପାଇଛି। ପ୍ରଧାନଶିକ୍ଷକ ପୂର୍ଣ୍ଣଚନ୍ଦ୍ର ବିଶ୍ବାଳ, ଶିକ୍ଷକ, କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ଉଦ୍ୟମରେ ବିଦ୍ୟାଳୟର ସୌନ୍ଦର୍ଯୀକରଣ କରାଯାଇଛି। ଯାହା ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି।

publive-image

ପାହାଡ଼ ଓ ଜଙ୍ଗଲ ଘେରା ତାଳପଦା-ଗୁରୁମ ରାସ୍ତାକଡ଼ରେ ୩ ଏକର ଜମି ଉପରେ ଏହି ବିଦ୍ୟାଳୟଟି ଛିଡ଼ା ହୋଇଛି। ସୁଉଚ୍ଚ ଫାଟକ, ସୁନ୍ଦର ଫୁଲ ବଗିଚା, ଅଶୋକ ସ୍ତମ୍ଭ ନିର୍ମାଣ କରାଯାଇଛି। ବିଦ୍ୟାଳୟ ପରିସରରେ ଘାସ ଗାଲିଚା ବେଶ ଆକର୍ଷଣୀୟ ହୋଇଛି। ସ୍ପ୍ରିଙ୍କଲର ମାଧ୍ୟମରେ ଏଥିରେ ପାଣି ସିଞ୍ଚନ କରାଯାଉଛି। ଏହାଛଡ଼ା ୫୦ଟି ଆମ୍ବଗଛ, ନଡ଼ିଆ, କଦଳୀ ଗଛ ଲଗାଯିବା ସହ ଏକ ପରିବା ବଗିଚା କରାଯାଇଛି। ମାତ୍ର ୨୭ ବର୍ଷ ତଳେ ପ୍ରତିଷ୍ଠା ହୋଇଥିବା ଏହି ଶିକ୍ଷାଅନୁଷ୍ଠାନ ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛି।

publive-image

ଚଳିତ ଶିକ୍ଷାବର୍ଷରେ ମୋଟ ୧୧୪ଜଣ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ୁଛନ୍ତି। ଅଷ୍ଟମରେ ୨୬ଜଣ, ନବମରେ ୫୨ଜଣ ଓ ଦଶମ ଶ୍ରେଣୀରେ ୩୬ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଉତ୍ତମ ଶିକ୍ଷାଦାନ ଓ ହଷ୍ଟେଲ ବ୍ୟବସ୍ଥା ଥିବାରୁ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ପିଲାମାନେ ଏଠାରେ ଆସି ପାଠ ପଢ଼ୁଛନ୍ତି। ୨୦୧୦ ମସିହାରୁ ବିଦ୍ୟାଳୟରେ ସିବିଜେଡ୍ ଶିକ୍ଷକ ପଦବି ଖାଲି ପଡ଼ିଛି। ଗ୍ରାମବାସୀଙ୍କ ଦ୍ବାରା ୨୭ ବର୍ଷ ତଳେ ନିର୍ମାଣ କରାଯାଇଥିବା ଟାଇଲ ଛପର ଶ୍ରେଣୀଗୃହ ଗୁଡ଼ିକ ଦିନକୁ ଦିନ ନଷ୍ଟ ହେବାରେ ଲାଗିଛି। ଜିଲ୍ଲା ପ୍ରଶାସନ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରିବା ସହ ଶ୍ରେଣୀଗୃହ ନିର୍ମାଣ ପାଇଁ ଅନୁଦାନ ଯୋଗାଇଦେବାକୁ ଅଞ୍ଚଳବା‌ସୀ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe