‘ଦ୍ବିତୀୟ ଡୋଜ୍‌ର ଟିକା ନେବାକୁ ଥିବା ଲୋକଙ୍କୁ ବାଟ ଛାଡ଼ନ୍ତୁ’

Advertisment
‘ଦ୍ବିତୀୟ ଡୋଜ୍‌ର ଟିକା ନେବାକୁ ଥିବା ଲୋକଙ୍କୁ ବାଟ ଛାଡ଼ନ୍ତୁ’

Sambad

ସଂକ୍ରମିତ ହେଲେ ଛାନିଆ ହୋଇ ହସ୍ପିଟାଲ ଆସନ୍ତୁନି
ରାଜ୍ୟରେ ରହିଛି ୪୩ହଜାର ରେମଡେସିଭିର ଷ୍ଟକ୍

ଭୁବନେଶ୍ବର : ଯେଉଁ ଲୋକମାନଙ୍କର ଦ୍ବିତୀୟ ଡୋଜ୍ ଟିକା ନେବାର ସମୟ ହୋଇଯାଇଛି, ସେମାନଙ୍କୁ ପ୍ରଥମେ ଟିକା ନେବା ପାଇଁ ଅନ୍ୟମାନେ ବାଟ ଛାଡ଼ନ୍ତୁ। ନଚେତ୍ ସେମାନେ ନେଇଥିବା ପ୍ରଥମ ଡୋଜ୍ ଟିକା ଅକାମି ହୋଇଯିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର।

ଶ୍ରୀ ମହାପାତ୍ର ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ ୪୫ ବର୍ଷର ଅଧିକ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଟିକା ଦେଉଛନ୍ତି। ମାତ୍ର ରାଜ୍ୟରେ 'କୋଭିସିଲ୍‌ଡ' ଟିକାର ଅଭାବ ରହିଛି। ଟିକା ଦେବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି। ଏହାସହ ଆସନ୍ତାକାଲିଠାରୁ ୧୮ବର୍ଷରୁ ଅଧିକ ବ୍ୟକ୍ତିଙ୍କ ଟିକାକରଣ ଆରମ୍ଭ ହେଉଥିବା ବେଳେ ରାଜ୍ୟରେ ସପ୍ତାହାନ୍ତ ସଟ୍‌ଡାଉନ୍ ପାଇଁ ଟିକାକରଣ ବନ୍ଦ ରହିବ। ଏହି ଦୁଇଦିନ ଟିକାକରଣ କେନ୍ଦ୍ରଗୁଡ଼ିକ ସାନିଟାଇଜ୍ କରାଯିବ। ତୁରନ୍ତ ଟିକା ପ୍ରଦାନ କରିବା ଲାଗି ଦୁଇ ଟିକା କମ୍ପାନି ସହିତ ଆଲୋଚନା ଜାରି ରହିଛି। ଏ ନେଇ ଦୁଇ କମ୍ପାନିକୁ କେଉଁ ମାସରେ କେତେ ଟିକା ପ୍ରଦାନ କରିବା ନେଇ ସୂଚନା ଦିଆଯାଇଛି। ଯେତେଶୀଘ୍ର ଟିକା ଆସିବ, ପଞ୍ଜୀକରଣ କରିଥିବା ଲୋକମାନଙ୍କୁ ଟିକା ଦିଆଯିବାର ବ୍ୟବସ୍ଥା କରାଯିବ।

ଅପରପକ୍ଷରେ ରାଜ୍ୟରେ ଏବେ ୪୫ ହଜାର ରେମଡେସିଭିର ଇଞ୍ଜେକସନ୍ ମହଜୁଦ ରହିଛି। ରାଜ୍ୟ ସରକାରଙ୍କ କୋଭିଡ୍‌ ହସ୍ପିଟାଲରେ ଦିନକୁ ୧୨ଶହ ଇଞ୍ଜେକସନ୍‌ର ଆବଶ୍ୟକତା ଥିବାବେଳେ ଆସନ୍ତାକାଲି ଆହୁରି ୨୧ହଜାର ଭାଏଲର ରେମଡେସିଭିର ଇଞ୍ଜେକସନ୍ ଆସୁଛି। ରାଜ୍ୟ ଔଷଧ ନିଗମ ମଧ୍ୟ ଆହୁରି ୩ ଲକ୍ଷ ରେମଡେସିଭିର ଇଞ୍ଜେକସନ୍ ପାଇଁ ବରାଦ ଦେଇଛି। ତେଣୁ ନିକଟରେ ରାଜ୍ୟରେ ରେମଡେସିଭିର ସଂକଟ ହୋଇଥିବା ନେଇ ଖବର ଆସିଥିଲା, ‌ତାହା ରାଜ୍ୟର ଘରୋଇ ହସ୍ପିଟାଲରେ ଦେଖିବାକୁ ମିଳିଛି। ଏହାସହ ଘରୋଇ ହସ୍ପିଟାଲଗୁଡ଼ିକୁ ମଧ୍ୟ ରାଜ୍ୟ ସରକାର ନିଜ କୋଟାରୁ ଏହି ଇଞ୍ଜେକସନ୍ ପ୍ରଦାନ କରୁଛନ୍ତି। ସେହିପରି ରାଜ୍ୟରେ ମାସ୍କ, ଗ୍ଲୋଭସ, ପିପିଇ କିଟ୍‌ ଇତ୍ୟାଦିର ୨ ମାସର ଷ୍ଟକ୍ ରହିଛି।

ସେ ଆହୁରି ମଧ୍ୟ କହିଥିଲେ ଯେ କରୋନାରେ ସଂକ୍ରମିତ ହେଉଥିବା ଲୋକ ଛାନିଆ ହୋଇ ହସ୍ପିଟାଲକୁ ଦୌଡ଼ୁଛନ୍ତି। ରାଜ୍ୟରେ ଏବେ ଯେତିକି ସଂଖ୍ୟକ ଚିକିତ୍ସାଧୀନ ‌‌ରୋଗୀ ଅଛନ୍ତି, ତାହାର ୮୯ ପ୍ରତିଶତ ଗୃହ ପୃଥକବାସରେ ରହିଛନ୍ତି। କୋଭିଡ୍‌ ହସ୍ପିଟାଲରେ ଥିବା ୮୪୬୩ ସାଧାରଣ ଶଯ୍ୟାରୁ ୪୪ ପ୍ରତିଶତ ହାରରେ ୩୭୯୧ ରୋଗୀ, ଆଇସିୟୁ/ଏଚ୍‌ଡିୟୁର ୨୦୬୩ ଶଯ୍ୟାରୁ ୧୪୨୬ଜଣ ରହିଛନ୍ତି। ଯାହାକି ୬୯ ପ୍ରତିଶତ। ସେହିପରି ରାଜ୍ୟରେ ଥିବା ୭୦୧ଟି ଭେଣ୍ଟିଲେଟର୍‌ରେ ୨୭୦ଜଣ ରୋଗୀ ଚିକିତ୍ସିତ ହେଉଛନ୍ତି। ରାଜ୍ୟରେ ଦିନକୁ ୪୫ମେଟ୍ରିକ୍ ଟନ୍‌ର ଅକ୍ସିଜେନ୍‌ ଆବଶ୍ୟକତା ପଡ଼ୁଛି। ଏହାସହ ୧୩୦ଟନ୍ ସିଲିଣ୍ଡର ଓ ଏଲଏମ୍‌ଓ ସୁବିଧା ମଧ୍ୟ ରହିଛି ରାଜ୍ୟରେ। ଓଡ଼ିଶା ଅନ୍ୟ ୭ଟି ରାଜ୍ୟକୁ ଅକ୍ସିଜେନ୍ ଯୋଗାଉଛି। ଏହାସହ ୪୦ ହଜାର ଶଯ୍ୟାରେ ଅକ୍ସିଜେନ୍‌ର ବ୍ୟବସ୍ଥା କରାଯାଇଛି। ଯେଉଁମାନଙ୍କର ହସ୍ପିଟାଲ ଶଯ୍ୟା ନିତାନ୍ତ ଆବଶ୍ୟକ, ‌ସେମାନଙ୍କ ପାଇଁ ଶଯ୍ୟା ଖାଲି ରଖିବାକୁ ସେ ଆନୁରୋଧ କରିଥିଲେ। ରାଜ୍ୟରେ ଏବେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଥି‌ବା ବେଳେ ଏହାକୁ ନଜରରେ ରଖି ନମୁନା ପରୀକ୍ଷା ସଂଖ୍ୟାରେ ବୃଦ୍ଧି କରାଯାଇଛି। ଆଗାମୀ ଦିନରେ ରାଜ୍ୟରେ ଦୈନିକ ପ୍ରାୟ ୨୫ ହଜାର ଆର୍‌ଟି-ପିସିଆର୍‌ ନମୁନାକୁ ମିଶାଇ ସମୁଦାୟ ୫୦ହଜାର ପରୀକ୍ଷା କରିବା ଲକ୍ଷ୍ୟ ରହିବ ବୋଲି ଶ୍ରୀ ମହାପାତ୍ର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe