Elephant Attack: ବଡ଼ଭାଇକୁ ଛାଡ଼ି ସାନଭାଇକୁ ଦଳିଦେଲା: ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା

ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର ନନ୍ଦପୁର ଅଞ୍ଚଳରେ ଦୁଇ ଭାଇ ଛେଳି ଚରାଇବାକୁ ଯାଇଥିବା ବେଳେ ସାନ ଭାଇକୁ ହାତୀ ଦଳି ଦେଇଛି। ବଡ଼ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

Elephant

Elephant death ill Photograph: (sambad.in)

ଅନୁଗୁଳ: ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନର ନନ୍ଦପୁର ଅଞ୍ଚଳରେ ଦୁଇ ଭାଇ ଛେଳି ଚରାଇବାକୁ ଯାଇଥିବା ବେଳେ ସାନ ଭାଇକୁ ହାତୀ ଦଳି ଦେଇଛି। ବଡ଼ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ବନ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା। ବନ୍ତଳା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। 

ସୂଚନା ମୁତାବକ, ଅନୁଗୁଳ ବନାଞ୍ଚଳ କରତପଟା ସେକ୍ସନ ନନ୍ଦପୁର ଅଞ୍ଚଳରେ ସବୁ ସମୟରେ ହାତୀମାନଙ୍କ ଉପସ୍ଥିତି ରହିଛି। ଶନିବାର ସକାଳୁ ନନ୍ଦପୁର ଗାଁର ଦୁଇ ଭାଇ ନିନୁ ସାହୁ (୪୫) ଓ କୃଷ୍ଣ ସାହୁ (୬୦) ଛେଳି ଚରାଇବାକୁ ଗାଁ ନିକଟସ୍ଥ ଜଙ୍ଗଲକୁ ଯାଇଥିଲେ। ଦିନ ଗୋଟାଏ ବେଳକୁ ଜଙ୍ଗଲରୁ ଏକ ଦନ୍ତା ହାତୀ ଆସି ସାନ ଭାଇ ନିନୁଙ୍କୁ ପାଦରେ ଦଳି ମାରି ଦେଇଥିଲା। ଗାଁରେ ଥିବା ପୁରୁଣା ପଥର କୁଆଁରି ନିକଟରେ ଏଭଳି ଅଘଟଣ ଘଟିଥିଲା। ସେଠାରୁ ଅଳ୍ପକେ ବର୍ତ୍ତି ଯାଇଥିବା ବଡ଼ ଭାଇ ଗାଁରେ ଆସି ଏ ସମ୍ପର୍କରେ କହିବା ପରେ ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଏହି ଘଟଣାକୁ ନେଇ ଉତ୍ତେଜନା ଦେଖାଯାଇଥିଲା। ବନ ବିଭାଗ ପକ୍ଷରୁ ମୃତକଙ୍କ ପରିବାରର ଜଣଙ୍କୁ ଚାକିରି ଦେବା, ସ୍ଥାନୀୟ ଅଞ୍ଚଳରେ ସୌରବାଡ଼ ସହିତ ଆଲୋକୀକରଣ ବ୍ୟବସ୍ଥା ତୁରନ୍ତ କରିବାକୁ ଦାବି ହୋଇଥିଲା। ଘଟଣାସ୍ଥଳରେ ଅନୁଗୁଳ ବନାଞ୍ଚଳ ଅଧିକାରୀ ଉଦୟନାଥ ବେହେରାଙ୍କ ସମେତ ସ୍ଥାନୀୟ ଫରେଷ୍ଟର୍‌ ଲଳିତ ବେହେରା ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ। ସ୍ଥାନୀୟ ଅଞ୍ଚଳବାସୀଙ୍କ ଦାବି ପୂରଣ ନେଇ ବନ କର୍ମଚାରୀମାନେ ପ୍ରତିଶ୍ରୁତି ଦେବାପରେ ଉତ୍ତେଜନା ଥମିଥିଲା। ପରେ ବନ୍ତଳା ପୁଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe