କଟକ : ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ରେ ଅଧ୍ୟାପକ ନିଯୁକ୍ତି ସମ୍ପର୍କିତ ମାମଲାରେ ହାଇକୋର୍ଟ ନୋଟିସ୍ ଜାରି କରିଛନ୍ତି। ଜଷ୍ଟିସ ବିଶ୍ୱନାଥ ରଥଙ୍କୁ ନେଇ ଗଠିତ ଖଣ୍ଡପୀଠ ଆଦିତ୍ୟ କିରଣ ପଢିହାରୀଙ୍କ ପକ୍ଷରୁ ଆଗତ ମାମଲାର ଶୁଣାଣି କରି ପକ୍ଷ ରଖିବାକୁ ଓୟୁଏଟି ରେଜିଷ୍ଟ୍ରାର ଓ କୁଳପତିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ଆଇନଜୀବୀ ନିରଂଜନ ସିଂ ମାମଲା ପରିଚାଳନା କରୁଛନ୍ତି।
ମାମଲାର ବିବରଣୀରୁ ପ୍ରକାଶ ଯେ ଓୟୁଏଟିରେ ଅଧ୍ୟାପକ ନିଯୁକ୍ତି ପାଇଁ ୨୦୧୭, ସେପ୍ଟେମ୍ବର ୨୬ରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ୨୦୧୭, ଅକ୍ଟୋବର ୫ ତାରିଖକୁ ଆବେଦନର ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଥିଲା। ନିର୍ଦ୍ଧାରିତ ସମୟରେ ଆବେଦନକାରୀ ଆବେଦନ ଦାଖଲ କରିଥିଲେ। ଜାନୁୟାରୀ ୨୩ ତାରିଖ ସାକ୍ଷାତକାର ପାଇଁ ଧାର୍ଯ୍ୟ କରାଯାଇଥିଲା। ଅନ୍ୟପକ୍ଷରେ ଇତି ମଧ୍ୟରେ ଓୟୁଏଟି କର୍ତ୍ତୃପକ୍ଷ ପୂର୍ବ ପ୍ରକାଶିତ ବିଜ୍ଞପ୍ତିରେ କେତେକ ସଂଶୋଧନ କରିଥିଲେ। ପ୍ରଥମେ ପ୍ରକାଶ ପାଇଥିବା ବିଜ୍ଞପ୍ତିରେ ଯେଉଁ ସର୍ତ୍ତ ରହିଥିଲା ସେଥିରେ ପରିବର୍ତ୍ତନ କରାଯାଇଥିଲା। ଫଳରେ ଆବେଦନକାରୀଙ୍କ ପ୍ରାର୍ଥୀତ୍ୱ ପ୍ରଭାବିତ ହୋଇଥିଲା। ଏପରି ସଂଶୋଧନକୁ ବିରୋଧ କରି ଆବେଦନକାରୀ ହାଇକୋର୍ଟରେ ମାମଲା ରୁଜୁ କରିଛନ୍ତି।
Follow Us