୧୩ ବର୍ଷରେ ଘର ଛାଡ଼ିଥିଲେ, ୬୨ ବର୍ଷରେ ଫେରିଲେ; ଓଡ଼ିଆ ଭୁଲିଯାଇଛନ୍ତି

Advertisment
୧୩ ବର୍ଷରେ ଘର ଛାଡ଼ିଥିଲେ, ୬୨ ବର୍ଷରେ ଫେରିଲେ; ଓଡ଼ିଆ ଭୁଲିଯାଇଛନ୍ତି

ଭଞ୍ଜନଗର/ବେଲଗୁଣ୍ଠା: ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ ରତଙ୍ଗ ଗ୍ରାମର କାଳୁ ରଣା। ‌ରୋଜଗାର ଆଶା ନେଇ ମାତ୍ର ୧୩ ବର୍ଷ ବୟସରେ ଘର ଛାଡ଼ି ପଳାଇଥିଲେ। ଆଉ ଦୀର୍ଘ ୪ ଦଶନ୍ଧି ପରେ ତଥା ୬୨ ବର୍ଷ ବୟସରେ ଘରକୁ ଫେରିଛନ୍ତି। କାଳୁଙ୍କ ପରିବାର କହିଲେ ବାପାମାଆ ଓ ୫ ଭାଇ ଥିଲେ। ମାଙ୍କ ଅକାଳ ମୃତ୍ୟୁ ପରେ ବାପା ରଘୁନାଥ ରଣା ଦ୍ବିତୀୟ ବିବାହ କରିଥିଲେ। ଗାଁ ସ୍କୁଲ୍‌ରେ ତୃତୀୟ ଶ୍ରେଣୀ ପଢ଼ିବା ପରେ ତାଙ୍କ ପାଠପଢ଼ାରେ ଡୋରି ବନ୍ଧାଯାଇଥିଲା। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବାରୁ କାଳୁ ରୋଜଗାର ପାଇଁ ଗାଁ ଛାଡ଼ିବାକୁ ନିଷ୍ପତ୍ତି ନେଇଥିଲେ। ନିଜ ସଂଘର୍ଷମୟ ଜୀବନର ଅନୁଭୂତି ବଖାଣି କାଳୁ କହିଛନ୍ତି, ୧୯୭୪ ମସିହାରେ ଦିନେ ଭଞ୍ଜନଗରରୁ ବସ୍‌ରେ ଚଢ଼ି ଭୁବନେଶ୍ବର ପଳାଇଥିଲେ। ସେଠାରୁ ଟ୍ରେନରେ ମଣିପୁରର ରାଜଧାନୀ ଇମ୍ଫାଲ୍ ଚାଲି ଯାଇଥିଲେ। ସେଠାରେ ଏକ ଡ୍ୟାମ୍‌ କାମରେ ନିୟୋଜିତ କର୍ମଚାରୀଙ୍କୁ ସେ ଚାହା ଓ ପାଣି ‌ଦେବା କାମ କରିଥିଲେ। କିଛି ମାସ ପରେ ମଧ୍ୟପ୍ରଦେଶର ଫୁଲପୁର, ଆନ୍‌ପୁର ଓ ବିଜୟପୁରରେ ରହିଥିଲେ।

ବିଜୟପୁରରେ କାଳୁ ଜଣେ ଡାକ୍ତରଙ୍କ ସଂସ୍ପର୍ଶରେ ଆସିଥିଲେ। ସଂପୃକ୍ତ ଡାକ୍ତର ଜଣକ ତାଙ୍କ ଶ୍ବଶୁର ଘରକୁ ଯାଇ କାମ କରିବାକୁ ପ୍ରସ୍ତାବ ଦେଇଥିଲେ। ଏଥିରେ କାଳୁ ରାଜି ହୋଇ ଉତ୍ତରପ୍ରଦେଶରର ବାଲିଆ ଜିଲ୍ଲା ଇଲାକାକୁ ପଳାଇଥିଲେ। ସେଠାରେ କାଳୁ ସଂପୃକ୍ତ ବ୍ୟକ୍ତିଙ୍କ ଘର କାମ କରିବା ସହ ଚାଷ କାର୍ଯ୍ୟ କରୁଥିଲେ। ଦୀର୍ଘ ବର୍ଷ ସେଠାରେ ରହିବା ପରେ ସେଠାକାର ଚାଲିଚଳଣକୁ ଆପଣାଇ ସେ ଓଡ଼ିଆ କହିବା ଭୁଲିଯାଇଥିଲେ। ଏହାମଧ୍ୟରେ ଗାଁ କଥା ବହୁବାର ମନେ ପଡ଼ିଥିଲା। ଏପରିକି ସେ ବହୁବାର ତାଙ୍କ ମୃତ ମା’ଙ୍କୁ ସ୍ବପ୍ନରେ ଦେଖୁଥିବା କାଳୁ କହିଛନ୍ତି। ଏହା ପରେ ସେ ଗାଁକୁ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଭଞ୍ଜନଗର ବ୍ଲକ୍ ଗାମୁଣ୍ଡି ପଞ୍ଚାୟତର ପୂର୍ବତନ ସରପଞ୍ଚ ଇଂ. ଲିଙ୍ଗରାଜ ପ୍ରଧାନ, ଗଣମାଧ୍ୟମ ପ୍ରତିନିଧି, ଆଇନଜୀବୀ ସନ୍ତୋଷ ପାଳ ଓ ‘ବିପଦର ବନ୍ଧୁ’ ଅନୁଷ୍ଠାନର ସଦସ୍ୟଙ୍କ ସହଯୋଗରେ ଗତକାଲି କାଳୁ ଗାଁରେ ପହଞ୍ଚିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe