ପଟ୍ଟାମୁଣ୍ତାଇ : ବିଶିଷ୍ଟ ବାମପନ୍ଥୀ ନେତା ରବୀନ୍ଦ୍ର ବେହେରା ଥିଲେ ମାଟିମନସ୍କ ମଣିଷ। ପାର୍ଟି ନୁହେଁ, ମାଟି ଥିଲା ତାଙ୍କ ପାଇଁ ଶ୍ରେଷ୍ଠ। ଆମକୁ ମାଟିକୁ ଚିହ୍ନିବା ଦରକାର, ତା’ର ସ୍ବରକୁ ମଧ୍ୟ ଶୁଣିବା ଦରକାର। ଆମେ ସମସ୍ତେ ଏକ ଗଣତାନ୍ତ୍ରିକ ବ୍ୟବସ୍ଥାରେ ଅଛନ୍ତି। ଗଣତାନ୍ତ୍ରିକ ବିଚାରଧାରାରେ କେତେ ବାଦବିବାଦ ଓ କେତେ ଆଦର୍ଶ ବିଚାରାଧାରା ରହିଛି। ଯିଏ ଯେଉଁ ବିଚାରଧାରାରେ ବିଶ୍ବାସ କରେ ସେଥିରେ ଅଟଳ, ଦୃଢ଼ ରହିବା ଆବଶ୍ୟକ। ପରଖିବା ଦରକାର ଯେ ଆମ ବିଚାରଧାରା ଆମେ ଚାରିପାଖରେ ଥିବା ମଣିଷକୁ, ସମାଜକୁ କେତେ ପ୍ରଭାବିତ କରିପାରୁଛି। ଏଭଳି ଜଣେ ଦୃଢ଼ ବିଚାରଧାରାର ବ୍ୟକ୍ତିତ୍ବ ଥିଲେ ରବୀନ୍ଦ୍ର ବେହେରା। ପଟ୍ଟାମୁଣ୍ଡାଇ ଏମ୍ଏନ୍ ହାଇସ୍କୁଲଠାରେ ରବୀନ୍ଦ୍ର ବେହେରାଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଉତ୍ସବରେ ଯୋଗଦେଇ ‘ସମ୍ବାଦ’ର ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ କିଛିଲୋକ ଏମିତି ଥା’ନ୍ତି ଯେଉଁମାନେ ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ବେ ସ୍ରୋତର ବିପରୀତରେ ଚାଲିବାର ସଂକଳ୍ପ ରଖିଥା’ନ୍ତି। ନିଜ ବିଚାରଧାରାରେ ଦୃଢ଼ ରହି ଆମକୁ ଯାହା ଗ୍ରହଣୀୟ ବୋଲି ଲାଗୁନାହିଁ, ତାହାକୁ ପ୍ରତ୍ୟାଖ୍ୟାନ କଲେ ସମାଜରେ ପରିବର୍ତ୍ତନ ଆସିପାରିବ ବୋଲି ଶ୍ରୀ ପଟ୍ଟନାୟକ ମତ ରଖିଥିଲେ।
ସାହିତ୍ୟିକ ଅମିୟ କୁମାର ପାଣ୍ଡବଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଗଣେଶ୍ବର ବେହେରା କହିଥିଲେ ଯେ, ଜୀବନରେ ସଫଳତା ଓ ବିଫଳତାକୁ ନେଇ ଜୀବନର ମାନଦଣ୍ଡ ନିର୍ଣ୍ଣୟ ହୁଏନାହିଁ। ସ୍ବର୍ଗତ ବେହେରା ନିର୍ବାଚନ ଜିତିବାର ସ୍ବାଦ ପାଇନାହାନ୍ତି। କିନ୍ତୁ, ସବୁ ହୃଦୟରେ ତାଙ୍କ ଜିତିବାର ପଦ ଚିହ୍ନ ଛାଡ଼ିଯାଇଛନ୍ତି। ସମ୍ମାନିତ ଅତିଥି ବିଧାୟକ ଧ୍ରୁବ ସାହୁ କହିଲେ, ସାମାଜିକ ଜୀବନରେ ରବୀନ୍ଦ୍ର ବେହେରା ଜଣେ ନୀତିନିଷ୍ଠ ମଣିଷ ଥିଲେ। ଆଞ୍ଚଳିକ ବିକାଶରେ ତାଙ୍କର ଭୂମିକା ଅବିସ୍ମରଣୀୟ। ଗାଳ୍ପିକା ତଥା ସ୍ବର୍ଗତ ବେହେରାଙ୍କ ପତ୍ନୀ ସରସ୍ବତୀ ବେହେରା ନାରୀକୁ ସୃଷ୍ଟିର ପୁରାତନୀ ତତ୍ତ୍ବ ବୋଲି କହିଥିଲେ। ଅନ୍ୟତମ ଅତିଥିଭାବେ କବି ଶୁଭ ଦାଶ ଯୋଗଦେଇ ସାମାଜିକ ବିଧି ବ୍ୟବସ୍ଥାରେ ଥିବା ଅସଙ୍ଗତିକୁ କଟାକ୍ଷ କରି ମଣିଷକୁ ଦିନେ ଗ୍ରାମାଭିମୁଖୀ ହେବାକୁ ପଡ଼ିବ ବୋଲି କହିଥିଲେ।
ଏହି ଅବସରରେ ସରସ୍ବତୀଙ୍କ ଦ୍ବାରା ଲିଖିତ ‘ତମେ ଚାଲିଗଲା ପରେ’ ପୁସ୍ତକକୁ ଅତିଥିମାନେ ଉନ୍ମୋଚନ କରିଥିଲେ। ପୁସ୍ତକର ସମୀକ୍ଷା କରିଥିଲେ ଗାଳ୍ପିକ ପ୍ରଦୀପ ନାୟକ। ବିଶିଷ୍ଟ ବାମପନ୍ଥୀ ଚିନ୍ତକ ଅର୍ଜୁନ ମହାକୁଡ ଓ ବିଶିଷ୍ଟ ହେତୁବାଦୀ ତଥା ଦାର୍ଶନିକ ଦେବେନ୍ଦ୍ର ସୂତାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ଶେଷରେ ବ୍ରଜବଂଧୁ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ। ଏକ ମନୋଜ୍ଞ କବିତା ପାଠ ମଧ୍ୟ ଉତ୍ସବ ଅନୁଷ୍ଠିତ ହୋଇଥିଲା।
Follow Us