ଭୁବନେଶ୍ବର: ପାଣି ପାଇଁ ବିଧାନସଭାରେ ମନ୍ତ୍ରୀ-ବିଧାୟକ କଳି ଦେଖିବାକୁ ମିଳିଛି । ବିଧାନସଭା ଶୀତକାଳୀନ ଅଧିବେଶନର ଷଷ୍ଠ ଦିନରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘେରିଛନ୍ତି ଦଳୀୟ ବିଧାୟକ ପ୍ରଦୀପ ମହାରଥୀ । ନବୀନ ବାବୁଙ୍କ ନାଁ ନେଇ ମନ୍ତ୍ରୀ ଖସିଯିବାକୁ ଚାହୁଁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ପିପିଲି ବିଧାୟକ । ଆଜି ପ୍ରଶ୍ନକାଳ ଆରମ୍ଭରୁ ଗୃହ ସ୍ବାଭାବିକ ରହିଛି । ପ୍ରାରମ୍ଭିକ ଭାବେ ପଞ୍ଚାୟତିରାଜ ଓ ନଗର ଉନ୍ନୟନ ବିଭାଗ ଉପରେ ଆଲୋଚନା ହୋଇଛି ।
କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତିଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରତାପ ଜେନା ଆଜି ବିଧାନସଭା କହିଛନ୍ତି, ୨୦୨୦ ସୁଦ୍ଧା ସବୁ ଗାଁକୁ ପାଇପ୍ ଯୋଗେ ପାଣି ଯୋଗାଇ ଦିଆଯିବ। ରାଜ୍ୟର ମୋଟ୍ ୪୭୩୬୬ ଗାଁରୁ ପ୍ରାୟ ୧୯୫୦୪ ଗାଁକୁ ପାନୀୟ ଜଳଯୋଗାଣ ହୋଇଛି । ବାକି ୨୭୮୮୨ ଗାଁକୁ ମଧ୍ୟ ଖୁବ ଶୀଘ୍ର ପାନୀୟ ଜଳ ଯୋଗାଣ କରାଯିବ ବୋଲି କହିଥିଲେ। ସହରାଞ୍ଚଳର ପ୍ରତି ଘରକୁ ପିଇବା ପାଣି ବ୍ୟବସ୍ଥା ଖୁବ ଶୀଘ୍ର ସମାପ୍ତ କରାଯିବ । ଏହାସହ ମନ୍ତ୍ରୀ କହିଛନ୍ତି ପାଇପ୍ ପାଣି ଯୋଗାଣ ପାଇଁ ରାଜ୍ୟ ସରକାର ୧୭,୩୭୨ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି । କିନ୍ତୁ ୫ ବର୍ଷରେ କେନ୍ଦ୍ର ସରକାର ମାତ୍ର ୫୪୯ କୋଟି ଟଙ୍କା ଅନୁଦାନ ଦେଇଛନ୍ତି ।
ତେବେ ମନ୍ତ୍ରୀଙ୍କ ଏହି ଉତ୍ତରକୁ ନେଇ ଟାର୍ଗେଟ କରିଛନ୍ତି ପ୍ରଦୀପ ମହାରଥୀ । ବିଧାୟକ କହିଛନ୍ତି ପାଣି ଯୋଗାଇବା ପାଇଁ ମନ୍ତ୍ରୀ କହୁଛନ୍ତି, ହେଲେ ରାସ୍ତା ନିର୍ମାଣ ବେଳେ ଫାଟିଯାଉଥିବର ପାଇପକୁ ମରାମତି କରାଯାଉନି । ଏପଟେ ମନ୍ତ୍ରୀ କହୁଛନ୍ତି ଆହୁରି ୨୭୮୮୨ ଗାଁକୁ ପାଣି ଯୋଗାଇ ଦିଆଯିବ । ଦିଲ୍ଲୀ ନା ଓଡ଼ିଶା ମେକାନିଜମରେ ପାଣି ଯୋଗାଇଦିଆଯିବ ବୋଲି ପ୍ରଶ୍ନ କରିଛନ୍ତି । ମନ୍ତ୍ରୀ ସବୁବେଳେ କହୁଛନ୍ତି ତୁରନ୍ତ ପଦକ୍ଷେଫ ନିଆଯିବ । ହେଲେ ଫଳ କିନ୍ତୁ ଓଲଟା ହେଉଛି । ମନ୍ତ୍ରୀମାନେ କାମ ନକରି ନବୀନ ବାବୁଙ୍କ ନାଁ ନେଇ ପାରିହେବାକୁ ଚାହୁଁଛନ୍ତି ବୋଲି ମହାରଥୀ ସାଂଘାତିକ ଅଭିଯୋଗ ଆଣିଛନ୍ତି ।
Follow Us