ବୁଗୁଡ଼ା: ବାର୍ହା ଶିକାର ପାଇଁ ବିଛା ଯାଇଥିବା ଫାଶରେ ଫସିଗଲା କଲରାପତରିଆ। ବାଘକୁ ଜାଲ ଗୁଡାଇ ଆଣିବା ବେଳେ କାମୁଡି ଦେବାରୁ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ଜଣାପଡିଛି।ଏହି ଘଟଣା ଘଟିଛି ଗଂଜାମ ଜିଲ୍ଲାର ବୁଗୁଡ଼ା ବନାଞ୍ଚଳ ଅନ୍ତର୍ଗତ ମାଣିତରା ବିଟର ଶଙ୍କରୁ ଗ୍ରାମ ନିକଟ ବଡ଼ ପଥର ପାହାଡ଼ରେ। ଫାଶରେ ଲାଗିଥିବା ଏକ ବିରାଟକାୟ ଅଣ୍ଡିରା କଲରାପତରିଆ ବାଘକୁ ବନ ବିଭାଗ ଗ୍ରାମବାସୀଙ୍କ ସହାୟତାରେ ଉଦ୍ଧାର କଲା ପରେ ପୁଣି ଜଙ୍ଗଲରେ ଛାଡି ଦେଇଛି l
ଆଜି ସକାଳ ପ୍ରାୟ ଆଠଟା ସମୟରେ ମାଣିତରା ଫରେଷ୍ଟ ଗାର୍ଡ ସରସ୍ବତୀ ନାୟକ ବଡ଼ ପଥର ପାହାଡ଼କୁ ଯାଇଥିଲେ। ସେ ସମୟରେ ବାଘ ଗର୍ଜନ ଶୁଣିଥିଲେ। ସେ ଆଖପାଖରେ ଖୋଜାଖୋଜି କରିବା ବେଳକୁ ବାରହା ଶିକାର ପାଇଁ ପକା ଯାଇଥିବା ଫାସ ତାରରେ କଲରାପତରିଆ ବାଘଟିଏ ଫସିଯାଇଥିବା ଦେଖିବାକୁ ପାଇଥିଲେ। ବାଘ ଅଣ୍ଟାରେ ଫାଶ ଲାଗି ଯାଇଥିବାରୁ ବାଘଟି ଯାଇ ପାରୁ ନଥିବା ଦେଖିବାକୁ ପାଇ ଉପରିସ୍ଥ ଅଧିକାରୀଙ୍କୁ ଖବର ଦେଇଥିଲେ ସେ । ଖବର ପାଇ ରେଞ୍ଜର ଫକୀର ଚରଣ ବେହେରାଙ୍କ ନେତୃତ୍ୱରେ ଫରେଷ୍ଟ ଟିମ ଜାଲ ଧରି ଘଟଣାସ୍ଥଳରେ ପହଞ୍ଚି ଥିଲେ ହେଁ ପାଖରେ ଲଟା ବୁଦା ଥିବାରୁ ଜାଲ ପକାଇ ବାଘକୁ ଧରିବା କଷ୍ଟକର ହୋଇଥିଲା।
/sambad/media/post_attachments/wp-content/uploads/2021/01/1883da0d-da9b-4d3d-b973-86807a4049d2-1024x556.jpg)
ବାଘ ଦେଖିବା ପାଇଁ ଘଟଣାସ୍ଥଳରେ ପ୍ରବଳ ଭିଡ଼ ଜମିଥିଲା। ପ୍ରାୟ ୩ ଘଣ୍ଟା କାଳ କସରତ ପରେ ବାଘ ଧରା ନ ଦେବାରୁ ଜେସିବି ସାହାଯ୍ୟରେ ଲଟା ବୁଦା ସଫା କରାଯାଇ ଶେଷରେ ବାଘକୁ ଅପରାହ୍ନ ପ୍ରାୟ ୩ଟା ବେଳେ ଜାଲ ପକାଇ ଧରା ଯାଇଥିଲା। ତେବେ ଦୋଳା କରି ଗାଡି ପାଖକୁ ଅଣାଯାଉଥିବା ବେଳେ ବୁଗୁଡ଼ାର ଦିଲ୍ଲୀପ କୁମାର ଦାଶଙ୍କ ଜଙ୍ଘକୁ ବାଘଟି କାମୁଡି ଦେଇଥିଲା l
ଆକ୍ରମଣର ଶିକାର ହେବା ପରେ ଦିଲ୍ଲୀପଙ୍କୁ ତୁରନ୍ତ ବୁଗୁଡ଼ା ମେଡିକାଲକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ବାଘଟିକୁ ପ୍ରଥମେ ବୁଗୁଡ଼ା ବନ ବିଭାଗ କାର୍ଯ୍ୟାଳୟକୁ ଅଣାଯିବା ପରେ କିରିଆମ୍ବା ଜଙ୍ଗଲର ନୂଆପଲ୍ଲୀଠାରେ ଛାଡି ଦିଆଯାଇଛି l
Follow Us