ହିନ୍ଦୋଳ ବନାଞ୍ଚଳରୁ କଲରାପତରିଆର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

Advertisment
ହିନ୍ଦୋଳ ବନାଞ୍ଚଳରୁ କଲରାପତରିଆର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

Representative Image Source: Hindustan Times

ଢେଙ୍କାନାଳ/ ଖଜୁରିଆକଟା/ହିନ୍ଦୋଳ : ଢେଙ୍କାନାଳ ବନଖଣ୍ଡରେ ବନ୍ୟପ୍ରାଣୀଙ୍କ ଜୀବନ ଅସୁରକ୍ଷିତ ହୋଇପଡ଼ିଛି। ମଙ୍ଗଳବାର ସଦର ବନାଞ୍ଚଳ ଅଧୀନ ମହୁଲପଡ଼ା ଗ୍ରାମ ନିକଟ ପାଟପୁରି ସଂରକ୍ଷିତ ଜଙ୍ଗଲରୁ ଏକ ଛୁଆହାତୀର ମୃତଦେହ ମିଳିବାର ୨୪ ଘଣ୍ଟା ନପୂରୁଣୁ ଆଜି ହିନ୍ଦୋଳ ବନାଞ୍ଚଳ ସତମାଇଲ ଜଙ୍ଗଲରେ ଏକ କଲରାପତରିଆ ବାଘର ମୃତଦେହ ଠାବ ହୋଇଛି। ହିନ୍ଦୋଳ ବନାଞ୍ଚଳ ଖଜୁରିଆକଟା ସେକ୍ସନ୍ ଅନ୍ତର୍ଗତ ଦୁଦୁରକୋଟ ବରିହାରଗଡ଼ି ଗ୍ରାମ ନିକଟ ଏକ ନାଳ ପାଖରେ ଆଜି ସକାଳେ ଏକ କଲରାପତରିଆ ବାଘର ମୃତଦେହ ପଡ଼ିଥିବା ଗ୍ରାମବାସୀ ଦେଖି ବନ ବିଭାଗକୁ ଖବର ଦେଇଥିଲେ। ଜିଲ୍ଲା ବନଖଣ୍ତ ଅଧିକାରୀ ପ୍ରକାଶଚାନ୍ଦ ଗୋଗିନେନୀ, କଞ୍ଜରଭେଟର୍ ଏମ୍ ଜଗଦାନନ୍ଦ ନନ୍ଦ,ଏସିଏଫ୍ ସୁବ୍ରତ ପାତ୍ର, ହିନ୍ଦୋଳ ରେଞ୍ଜର ଲୋହିତ କୁମାର ରଥ, କପିଳାସ ରେଞ୍ଜର ତରୁଣ କୁମାର ମହାନ୍ତି ,ଖଜୁରିଆକଟା ସେକ୍ସନ ଫରେଷ୍ଟର ମୁକ୍ତିକାନ୍ତ ବେହେରା ଓ ବନ ବିଭାଗର ଅନ୍ୟ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ।

publive-image

ଏ ସଂପର୍କରେ ଜିଲ୍ଲା ବନଖଣ୍ତ ଅଧିକାରୀ ଗୋଗିନେନୀଙ୍କୁ ପଚାରିବାରୁ ସେ କହିଲେ, ଜଙ୍ଗଲର ୫/୬ କିଲୋମିଟର ଭିତରେ ଏକ ଲଟାମୂଳେ ବାଘଟି ମରିପଡିଥିଲା। ଦୁଇଦିନତଳେ ବାଘଟି ମରିଥିବା ଅନୁମାନ କରାଯାଉଛି। ମୃତ ବାଘର ବୟସ ୩ ବର୍ଷରୁ ଉର୍ଦ୍ଧ୍ବ ହେବ। ତା ଶରୀରରେ କୌଣସି କ୍ଷତ ହୋଇନଥିବା ବେଳେ ତଣ୍ଟି ଭିତରେ ରବର ଭଳି କିଛି ରହିଥିବା ଜଣାପଡିଛି। ଆଖପାଖରେ ଶିକାର କରାଯାଇଥିବା ସଂପର୍କରେ କୌଣସି ଚିହ୍ନବର୍ଣ୍ଣ ମିଳୁନାହିଁ କିମ୍ବା ଅଧିକ କିଛି ଜଣାପଡି ନାହିଁ। ଶବ ବ୍ୟବଚ୍ଛେଦ ପରେ ସେହିଠାରେ ତାକୁ ପୋଡି ଦିଆଯାଇଛି। ତେବେ ବିଭିନ୍ନ ଦିଗକୁ ତଦନ୍ତ ପରିସରକୁ ନିଆଯାଇ ବାଘ ମରିବା ସଂପର୍କରେ ତନାଘନା ଜାରି ରହିଛି। ସେହିପରି ହିନ୍ଦୋଳ ବନାଞ୍ଚଳ ଅଧିକାରୀଙ୍କୁ ପଚାରିବାରୁ ସେ କହିଲେ, ବର୍ତ୍ତମାନ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବାଘର ଶବ ବ୍ୟବଚ୍ଛେଦ ରି‌ପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ପ୍ରକାଶ କରିଛନ୍ତି। ଘଟଣାସ୍ଥଳରେ ହିନ୍ଦୋଳ ଏସ୍‌ଡିପିଓ ଓ ହିନ୍ଦୋଳ, ବାଲିମି ପୁଲିସ ପହଞ୍ଚି ଛାନ୍‌ଭିନ୍‌ ଚଳାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe