ବାଘଛାଲ ଜବତ, ମାଷ୍ଟର ମାଇଣ୍ଡ୍ ସହ ୪ ଗିରଫ

Advertisment
ବାଘଛାଲ ଜବତ, ମାଷ୍ଟର ମାଇଣ୍ଡ୍ ସହ ୪ ଗିରଫ

ଟିକାବାଲି/ଚକାପାଦ : କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ୍ ଟିକାବାଲି ବନାଞ୍ଚଳ ଅଧୀନ ବ୍ରାହ୍ମଣପାଦ ଗ୍ରାମରେ ଆଜି ଏସଟିଏଫ୍ ଟିମ୍ ଓ ଟିକାବାଲି ବନାଞ୍ଚଳ ପକ୍ଷରୁ ମିଳିତ ଭାବେ ଚଢ଼ଉ କରାଯାଇ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସଂପୃକ୍ତ ମାଷ୍ଟର୍‌ମାଇଣ୍ଡ୍ ସମେତ ସୁକୁମା କହଁର ସମେତ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ଅଭିଯୁକ୍ତମାନେ ହେଲେ, ବୀରେନ୍ ମିତ୍ର ନାୟକ, ରଞ୍ଜିତ କହଁର ଓରଫ ହାଡ଼ି ଓ ରବିନାରାୟଣ କହଁର। ଏନେଇ ଫୁଲବାଣୀ ଅତିରିକ୍ତ ବନଖଣ୍ଡ ଅଧିକାରୀ ମଳୟ ରଞ୍ଜନ କାଲୋ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କଠୁ ବାଘଛାଲ (ମୁଣ୍ଡରୁ ଲାଞ୍ଜ ପର୍ଯ୍ୟନ୍ତ ୨୨୦ ସେମି, ଆଗଗୋଡ଼ ଓ ପଛଗୋଡ଼ ୧୨୨ ସେମି) ସମେତ ଦେଶୀବନ୍ଧୁକ, ଧନୁତୀର ଓ ଫାର୍ସା ଜବତ ହୋଇଛି। ଗତକାଲି ମଧ୍ୟରାତ୍ରରେ କୌଣସି ସୂତ୍ରରୁ ଖବର ପାଇ ସ୍ବତନ୍ତ୍ର ଟାସ୍କଫୋର୍ସ ବ୍ରାହ୍ମଣପାଦ ଛକରେ ବୀରେନ୍‌କୁ କାବୁ କରିଥିଲା। ସେ ଏକ ଅଖାରେ ବାଘଛାଲ ଧରିଥିଲା। ପରେ ମାଷ୍ଟରମାଇଣ୍ଡ୍ ସୁକୁମା ସମେତ ଅନ୍ୟମାନଙ୍କୁ ଗିରଫ କରାଯାଇଥିଲା। ସୁକୁମା ନୟାଗଡ଼ ଜିଲ୍ଲାର ବାସିନ୍ଦା ବୋଲି ଜଣାପଡ଼ିଛି। ଏହି ବାଘଛାଲ ରାକେଟ୍ ନୟାଗଡ଼ରୁ କନ୍ଧମାଳ ଜିଲ୍ଲା ପର୍ଯ୍ୟନ୍ତ ଲମ୍ବିଥିବା ଅନୁମାନ କରାଯାଉଛି। ବିଭିନ୍ନ ଦିଗରୁ ତଦନ୍ତ ଜାରି ରହିଥିବା ସୂଚନା ମିଳିଛି। କେସ୍ ନମ୍ବର ୫୫ ସମେତ ବିଭିନ୍ନ ଦଫା ଓ ବନ୍ୟଜନ୍ତୁ ସୁରକ୍ଷା ଆଇନ-୧୯୭୨ ଆଧାରରେ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ବନାଞ୍ଚଳ ଅଧିକାରୀ ବିଭୂପ୍ରସାଦ ପ୍ରଧାନ, ବନପାଳ ଶ୍ରୀଧର ସାହୁ, ଅରୁଣ କୁଭାର ପାଳ ଓ ବନରକ୍ଷୀ ମନୋଜ କୁମାର ମହାପାତ୍ର ଓ ସ୍କ୍ବାଡ୍ ଟିମ୍ ଚଢ଼ଉରେ ସାମିଲ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe