କୁଷ୍ଠ ନିରାକରଣ ମାମଲା: କେତେ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି ଜଣାଇବେ ସରକାର

Advertisment
ଓଡ଼ିଶାରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୫ ହଜାର ନୂଆ କୁଷ୍ଠରୋଗୀ

dnaindia.com

କଟକ : ରାଜ୍ୟରେ କୁଷ୍ଠ ନିରାକରଣ ଓ କୁଷ୍ଠ ଆକ୍ରାନ୍ତଙ୍କ ଥଇଥାନ ପ୍ରସଙ୍ଗକୁ ନେଇ ଦାୟର ମାମଲାର ହାଇକୋର୍ଟ ଶୁଣାଣି କରି ରାଜ୍ୟ ସରକାରଙ୍କ ନିକଟରୁ ଜବାବ ତଲବ କରିଛନ୍ତି। କୁଷ୍ଠ ନିରାକରଣ କାର୍ଯ୍ୟରେ କେତେଜଣ ବହୁମୁଖୀ ସ୍ବାସ୍ଥ୍ୟକର୍ମୀ ନିୟୋଜିତ ଅଛନ୍ତି ସେ ନେଇ ଜବାବରେ ସ୍ପଷ୍ଟ କରିବାକୁ ହାଇକୋର୍ଟ କହିଛନ୍ତି।

ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ମୁରାହରି ଶ୍ରୀ ରମଣଙ୍କୁ ନେଇ ଗଠିତ ଖଣ୍ଡପୀଠ ସତ୍ୟନାରାୟଣ ସେବା ସମିତି ପକ୍ଷରୁ ଦାୟର ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟରେ କୁଷ୍ଠ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି ବୋଲି ଅଭିଯୋଗ ହୋଇଛି। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମର ତଥ୍ୟ ଅନୁସାରେ ୧୯୮୧ରୁ ୨୦୦୨ ମଧ୍ୟରେ କୁଷ୍ଠ ଚିହ୍ନଟ ହାର ୨୦ ପ୍ରତିଶତ ଥିଲା। ୨୦୦୨ରୁ ଅଦ୍ୟାବଧି ଏହା ୪୯ ପ୍ରତିଶତରେ ପହଞ୍ଚିବା ବେଳେ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ଅନ୍ତର୍ଗତ ୩୧୨ ପଦବି ଖାଲି ପଡିଛି ବୋଲି ଆବେଦନରେ ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ସତ୍ୟପାଠରେ ଦର୍ଶାଯାଇଥିଲା ଯେ କୁଷ୍ଠ ନିରାକରଣ ପାଇଁ ରହିଥିବା ପାରାମେଡିକାଲ ପଦବି ଉଚ୍ଛେଦ ହୋଇସାରିଛି। ଏ କ୍ଷେତ୍ରରେ ସାଧାରଣ ସ୍ବାସ୍ଥ୍ୟ କର୍ମଚାରୀ ଯଥା ଆୟୁଷ, ଆଶା ଓ ଅନ୍ୟ ସ୍ବାସ୍ଥ୍ୟକର୍ମୀମାନେ କାର୍ଯ୍ୟ ନିର୍ବାହ କରୁଛନ୍ତି। ଏହିଭଳି ଭାବେ କେତେ ସ୍ବାସ୍ଥ୍ୟ କର୍ମୀଙ୍କୁ ନିୟୋଜିତ କରାଯାଇଛି ସେ ନେଇ ପରବର୍ତ୍ତୀ ଶୁଣାଣିର ଏକ ସପ୍ତାହ ପୂର୍ବରୁ ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ କୁଷ୍ଠ ନିରାକରଣ ପ୍ରସଂଗରେ ବିପିନବିହାରୀ ପ୍ରଧାନଙ୍କ ମୂଳ ଜନସ୍ବାର୍ଥ ମାମଲାରେ ଗତ ସେପ୍ଟେମ୍ବର୨୪ରେ ହାଇକୋର୍ଟ ପ୍ରଦାନ କରିଥିବା ନିର୍ଦ୍ଦେଶ କାର୍ଯ୍ୟକାରୀ ସଂପର୍କିତ ସତ୍ୟପାଠ ସହ ରିପୋର୍ଟ ,ଫଟୋଚିତ୍ର ଓ ଭିଡିଓ କ୍ଲିପ ସରକାରଙ୍କ ପକ୍ଷରୁ ଦାଖଲ ହୋଇଛି। ଡିସେମ୍ବର ୭କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe