ରାଜ୍ୟରୁ ନିର୍ମୂଳ ହୋଇନି କୁଷ୍ଠ : ସହରାଞ୍ଚଳରେ ୩୮୨ ନୂତନ କୁଷ୍ଠ ରୋଗୀ ଚିହ୍ନଟ, ରାଜଧାନୀରେ ୧୮ଜଣ ନୂତନ କୁଷ୍ଠ ରୋଗୀ

Advertisment
ଓଡ଼ିଶାରେ ବର୍ଷକୁ ଚିହ୍ନଟ ହେଉଛନ୍ତି ୫ ହଜାର ନୂଆ କୁଷ୍ଠରୋଗୀ

dnaindia.com

ଭୁବନେଶ୍ବର : ରାଜ୍ୟରୁ କୁଷ୍ଠ ଏ ଯାଏ ନିର୍ମୂଳ ହୋଇନି। ଏବେ ବି ନୂଆ ନୂଆ ରୋଗୀ ବାହାରୁଛନ୍ତି। ରାଜ୍ୟର ସମସ୍ତ ସହରାଞ୍ଚଳରେ ୩୮୨ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ଜାତୀୟ କୁଷ୍ଠ ନିରାକରଣ କାର୍ଯ୍ୟକ୍ରମ ବା ଏନ୍‌ଏଲ୍‌ଇପି ଅଧୀନରେ କୁଷ୍ଠ ରୋଗୀ ଚିହ୍ନଟ ଅଭିଯାନ ଗତ ମାସ ୧୮ ତାରିଖରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ୪ ସହରାଞ୍ଚଳକୁ ବାଦ୍ ଦେଲେ ଅନ୍ୟ ସବୁ ସହରାଞ୍ଚଳରେ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। କେବଳ ରାଜଧାନୀରେ ୧୮ଜଣ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜଧାନୀର ବିଭିନ୍ନ ବସ୍ତି ଅଞ୍ଚଳରେ ଏହି ରୋଗୀ ରହିଥିବା ସୂଚନା ମିଳିଛି।

୨୦୦୬/୦୭ ମସିହାରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଓଡ଼ିଶାକୁ କୁଷ୍ଠମୁକ୍ତ ଘୋଷଣା କରାଯାଇଥିଲା। ମାତ୍ର ଏହାର କିଛି ବର୍ଷ ପରେ ରାଜ୍ୟକୁ ପୁଣିଥରେ କୁଷ୍ଠ ଫେରିଥିଲା। ୨୦୦୬ ମସିହାରେ ପ୍ରତି ୧୦ ହଜାର ଜନସଂଖ୍ୟାରେ କୁଷ୍ଠ ରୋଗୀଙ୍କ ସଂଖ୍ୟା ୧ପ୍ରତିଶତରୁ କମ୍ ଥିବା ବେଳେ ଏବେ ତାହା ୧.୩୯ ପ୍ରତିଶତରେ ପହଞ୍ଚିଛି। ଏହା ଜାତୀୟ ହାର ୦.୬୫ ପ୍ରତିଶତରୁ ଅଧିକ। ନୂତନ କୁଷ୍ଠ ରୋଗୀଙ୍କୁ ଚିହ୍ନଟ କରାଯିବା ରାଜ୍ୟରେ ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଛି। ଏନ୍‌ଏଲ୍‌ଇପି ଅଧୀନରେ ରାଜ୍ୟରେ ବିଭିନ୍ନ ସହରାଞ୍ଚଳରେ କୁଷ୍ଠ ରୋଗୀଙ୍କୁ ଚିହ୍ନଟ ଅଭିଯାନ ଅନୁଷ୍ଠିତ ହୋଇଥିଲା। ଏଥିରେ କଳାହାଣ୍ଡି ଜିଲ୍ଲାରେ ସର୍ବାଧିକ ୫୮ଜଣ ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ୪୬ଜଣ ନୂତନ କୁଷ୍ଠ ରୋଗୀଙ୍କୁ ନେଇ ଗଞ୍ଜାମ ଜିଲ୍ଲା ଏହାର ପଛରେ ରହିଛି। ଝାରସୁଗୁଡ଼ାରେ ୩୭, ସୁନ୍ଦରଗଡ଼ରେ ୩୬, କେଉଁଝରରେ ୨୯, ସମ୍ବଲପୁରରେ ୨୪, ସୋନପୁର ଓ ଯାଜପୁ‌ରରେ ୧୫, କୋରାପୁଟରେ ୧୪, ଢେଙ୍କାନାଳରେ ୧୧ଜଣ, ନୂଆପଡ଼ା ଓ ପୁରୀରେ ୯, ଭଦ୍ରକରେ ୮, ଖୋର୍ଧାରେ ୭, କନ୍ଧମାଳରେ ୪, ଅନୁଗୁଳ, ବଲାଙ୍ଗୀର, ବୌଦ୍ଧ, କଟକ, ନବରଙ୍ଗପୁର, ମାଲକାନାଗିରିରେ ୩ ଜଣ ଲେଖାଏଁ, ବାଲେଶ୍ବରରେ ଜଣେ ନୂତନ କୁଷ୍ଠ ରୋଗୀ ଚିହ୍ନଟ ହୋଇଛନ୍ତି। ଦେବଗଡ଼, ଗଜପତି, ଜଗତସିଂହପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଜଣେ ହେଲେ କୁଷ୍ଠ ରୋଗୀ ଚିହ୍ନଟ ହୋଇ ନ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସ୍ବାସ୍ଥ୍ୟ ବିଭାଗର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଆଶା କର୍ମୀ, ବ୍ଲକ୍ କୁଷ୍ଠ ଅଧିକାରୀ ଓ ଏଏନ୍‌ଏମ୍‌ଙ୍କ ଜରିଆରେ ଏହି ଚିହ୍ନଟ କାର୍ଯ୍ୟକ୍ରମ ହୋଇଥିଲା। ଏଥିପାଇଁ ସେମାନଙ୍କୁ ସ୍ବତନ୍ତ୍ର ଭାବେ ତାଲିମ୍ ପ୍ରଦାନ କରାଯାଇଛି। ସହରାଞ୍ଚଳର ବସ୍ତି ଅଞ୍ଚଳରେ ରହୁଥିବା ଲୋକମାନେ କୁଷ୍ଠ ରୋଗ ସଂପର୍କରେ ସଚେତନ ନୁହନ୍ତି। ତେଣୁ ସହରାଞ୍ଚଳରେ ରହୁଥିବା ଲୋକମାନଙ୍କ ପାଇଁ ସ୍ବତନ୍ତ୍ର ଭାବେ ଏହି ଅଭିଯାନ କରାଯାଇଥିଲା। ଚିହ୍ନଟ ହୋଇଥିବା ସମସ୍ତ କୁଷ୍ଠ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବା ସହ ଥଇଥାନର ମଧ୍ୟ ବ୍ୟବସ୍ଥା କରାଯିବ ବୋଲି ଅଧିକାରୀ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe