କୋଠା ସେଣ୍ଟ୍ରିଂ ଛୁଇଁଦେବାରୁ କୁଷ୍ଠରୋଗୀଙ୍କୁ ହତ୍ୟା

Advertisment
କୋଠା ସେଣ୍ଟ୍ରିଂ ଛୁଇଁଦେବାରୁ କୁଷ୍ଠରୋଗୀଙ୍କୁ ହତ୍ୟା

ବୋରିଗୁମ୍ମା : ଏକ ନୂତନ ଘର ଛାତ ପଡ଼ିବା ପାଇଁ କରାଯାଇଥିବା ସେଣ୍ଟ୍ରିଂକୁ ଛୁଇଁଦେବାରୁ ଜଣେ କୁଷ୍ଠରୋଗୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଖଣ୍ଡିଗୁଡ଼ା ଗ୍ରାମରେ ଏହି ଅଭାବନୀୟ ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଘଟଣାଟି ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି।

publive-imageସୂଚନା ଅନୁଯାୟୀ, ଗତ ସୋମବାର ରାତି ପ୍ରାୟ ୭ଟାରେ ଖଣ୍ଡିଗୁଡ଼ା ଗ୍ରାମର ଦଶରଥ ଗୌଡ ନିଜ ନୂତନ ଘରର ଛାତ ପକାଉଥିଲେ। ଏହି ସମୟରେ ସେହି ଗ୍ରାମର ଜନୈକ କୁଷ୍ଠରୋଗୀ ପରମନାଥ ଗୌଡ଼ ଏହି କାମ ଦେଖୁଥିଲେ। ତେବେ ସେ ସେଣ୍ଟ୍ରିଂକୁ ଛୁଇଁ ଦେବାରୁ ଦଶରଥ ଗୌଡ଼ ଉତ୍ତ୍ୟକ୍ତ ହୋଇ ତାଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ତାଙ୍କ ଅଣ୍ଡକୋଷକୁ ଲାତ ମାରିଥିଲେ। ଏଥିରେ ସେ ଗୁରୁତର ହୋଇପଡ଼ିଥିଲେ। କିଛି ସମୟ ମଧ୍ୟରେ ତାଙ୍କ ମୃତ୍ୟୁ ଘଟିଥିଲା।

ଗାଁକୁ ଯାନବାହନ ଯୋଗାଯୋଗ ବ୍ୟବସ୍ଥା ନଥିବାରୁ ପରଦିନ ସକାଳେ ତାଙ୍କ ପତ୍ନୀ ବୋରିଗୁମ୍ମା ଥାନାରେ ପହଞ୍ଚି ଏ ନେଇ ଏତଲା ଦେଇଥିଲେ। ପୁଲିସ ଏନେଇ ଏକ ମାମଲା ରୁଜୁ କରିବା ସହ ଖଣ୍ଡିଗୁଡ଼ା ଗ୍ରାମରେ ପହଞ୍ଚି ତଦନ୍ତ କରିଥିଲା। ପରେ ଅଭିଯୁକ୍ତ ଦଶରଥଙ୍କୁ ପୁଲିସ ଗିରଫ କରିଥିବା ତଦନ୍ତକାରୀ ଅଧିକାରୀ ଏସ୍‌ଆଇ ଅନସୂୟା ନାୟକ ଓ ଥାନା ଅଧିକାରୀ ଉତ୍ତମ କୁମାର ମହାନ୍ତି ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe