ଏବର୍ଷ ଚାଷୀଙ୍କୁ ଅଧାରୁ ଆହୁରି କମ୍ ଋଣ

Advertisment
ଏବର୍ଷ ଚାଷୀଙ୍କୁ ଅଧାରୁ ଆହୁରି କମ୍ ଋଣ

୧୩୫.୩୪ କୋଟି ବଦଳରେ ଏଥର ଦିଆ ଯାଇଛି ୬୫.୯୫ କୋଟି
ଜିଲ୍ଲାରେ ରହିଛି ୪୪ଟି ଲ୍ୟାମ୍ପସ୍‌ ଓ କେନ୍ଦ୍ର ସମବାୟ ବ୍ୟାଙ୍କର ୧୪ ଶାଖା

ରାଉରକେଲା : ଚାଷୀମାନଙ୍କୁ ସ୍ବଳ୍ପକାଳୀନ ଋଣ ଯୋଗାଣ ପାଇଁ ସୁନ୍ଦରଗଡ ଜିଲ୍ଳାରେ ରହିଛି ଲ୍ୟାମ୍ପସ୍‌ ଓ ଜିଲ୍ଲା କେନ୍ଦ୍ର ସମବାୟ ବ୍ୟାଙ୍କ। ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କର ଟାଳଟୁଳ ନୀତି ଯୋଗୁଁ ଜିଲ୍ଲାରେ ଉଭୟ ଖରିଫ ଓ ରବି ଚାଷୀଙ୍କୁ ଯେତିକି ଋଣ ମିଳିବା କଥା, ତାହା ମିଳୁ ନାହିଁ। ଗତବର୍ଷ ଜିଲ୍ଲାରେ ୯୧ ହଜାର ୬୧୦ ଚାଷୀଙ୍କୁ ୫୯୫.୬୩ କୋଟି ଟଙ୍କା ଖରିଫ୍‌ ଋଣ ଦିଆଯାଇଥିଲା। ସେମିତି ୬୭ ହଜାର ୮୧୨ ଚାଷୀଙ୍କୁ ୫୦୨. ୫୬ କୋଟି ରବି ଋଣ ଯୋଗାଇ ଦିଆଯାଇଥିଲା। ଚାଷୀଙ୍କୁ ଏତେ ପରିମାଣରେ ଋଣ ଯୋଗାଇ ଦେଇ କେନ୍ଦ୍ର ସମବାୟ ବ୍ୟାଙ୍କ ଏ ପ୍ରସଙ୍ଗରେ ଜିଲ୍ଲାରେ ଶ୍ରେଷ୍ଠ ସ୍ଥାନରେ ରହିଥିଲା। ହେଲେ ଚଳିତ ଥର ବହୁ ବ୍ୟତିକ୍ରମ ପରିଲକ୍ଷିତ ହୋଇଛି। କେନ୍ଦ୍ର ସମବାୟ ବ୍ୟାଙ୍କ ଚଳିତ ଖରିଫ ଋତୁରେ ଅଦ୍ୟାବଧି ମାତ୍ର ୬୫.୯୫ କୋଟି ଋଣ ଯୋଗାଇ ଦେଇଛି। ଗତବର୍ଷ ଏହି ସମୟକୁ ଉକ୍ତ ବ୍ୟାଙ୍କ ୧୩୫.୩୪ କୋଟି ଋଣ ଯୋଗାଇ ଦେଇଥିଲା।

ଉଲ୍ଲେଖନୀୟ ଯେ ଚାଷୀଙ୍କୁ ସ୍ବଳ୍ପ କାଳୀନ ଋଣ ଯୋଗାଇ ଦେବାଲାଗି ସୁନ୍ଦରଗଡ଼ ଜିଲ୍ଲାରେ ଏହି ବ୍ୟାଙ୍କର ୧୪ଟି ଶାଖା ଓ ୪୪ଟି ଲ୍ୟାମ୍ପସ୍‌ ରହିଛି। ଲ୍ୟାମ୍ପସ ଜରିଆରେ ଜିଲ୍ଲାରେ ଶତକଡା ୮୫%ରୁ ଅଧିକ କୃଷି ଋଣ ଏହି ବ୍ୟାଙ୍କ୍ ପ୍ରଦାନ କରେ। ଭାରତୀୟ ଷ୍ଟେଟ ବ୍ୟାଙ୍କ ସହିତ ଅନ୍ୟାନ୍ୟ ବ୍ୟାଙ୍କଗୁଡ଼ିକ ମିଳିତ ଭାବେ ଚାଷୀଙ୍କୁ ମାତ୍ର ୧୫%ରୁ କମ୍‌ ଋଣ ଦେଇଥାନ୍ତି। କିନ୍ତୁ ଚଳିତ ବର୍ଷ ଏହି ହିସାବରେ ଓଲଟପାଲଟ ହେବାର ଆଶଙ୍କା ରହିଛି। ଗତ ୨୦୨୦ ଏପ୍ରିଲ ୧ରୁ ଏହି ବ୍ୟାଙ୍କ ରାଜ୍ୟ ସମବାୟ ବ୍ୟାଙ୍କ ଠାରୁ କନ୍‌ସେସ୍‌ନାଲ ରିଫାଇନାନ୍ସ ( ପୁନଃ ଋଣ ଲଗାଣ) ପାଇବାରେ ବଞ୍ଚିତ ଥିବାରୁ ପୂର୍ବ ବର୍ଷଗୁଡ଼ିକ ଭଳି ଜିଲ୍ଲାର ଚାଷୀଙ୍କୁ ଠିକ୍ ପରିମାଣରେ ଋଣ ହଦଇ ପାରିନାହିଁ। ଯଦି ଓଡ଼ିଶା ସମବାୟ ବ୍ୟାଙ୍କ ରିଫାଇନାନ୍ସକୁ ବନ୍ଦ ରଖେ, ତେବେ ପ୍ରତିବର୍ଷ ଜିଲ୍ଲାର ହଜାର ହଜାର ଚାଷୀ ଋଣ ପାଇବାରୁ ବଞ୍ଚିତ ‌ହେବା ନିଶ୍ଚିତ।

ଉଲ୍ଲେଖନୀୟ ଯେ ଲ୍ୟାମ୍ପସ୍‌ମାନେ ୦.୫୦% ଲାଭ ରଖି ଶତକଡା ବାର୍ଷିକ ୫% ହାରରେ ଚାଷୀଙ୍କୁ ଋଣ ଦେଇଥାନ୍ତି। ଯେଉଁ ଚାଷୀମାନେ ଋଣ ଗ୍ରହଣ କରି ଠିକ୍‌ ସମୟରେ ପରିଶୋଧ କରନ୍ତି, ସେହି କ୍ଷେତ୍ରରେ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା ଚାଷୀଙ୍କର ସମସ୍ତ ସୁଧକୁ ସରକାର ଭରଣା କରନ୍ତି ଏବଂ ପୁଣି ୫ ହଜାରରୁ ୩ ଲକ୍ଷ ପର୍ଯ୍ୟନ୍ତ ଋଣ ପାଇଁ ସୁଧ ରିହାତି ସହିତ କେବଳ ୨% ସୁଧ ଚାଷୀଙ୍କୁ ପରିଶୋଧ କରିବାକୁ ପଡିଥାଏ। କିନ୍ତୁ ସାର, ବିହନ, କୀଟନାଶକ, ନଗଦ ଟଙ୍କା ତଥା ଅନ୍ୟାନ୍ୟ ଚାଷ ଉପକରଣ ପାଇଁ ଲ୍ୟାମ୍ପସ୍‌ ତଥା କେନ୍ଦ୍ର ସମବାୟ ବ୍ୟାଙ୍କରୁ ଋଣ ନେଇ ନିଜର ଚାଷ କାର୍ଯ୍ୟ କରୁଥିବା ଜିଲ୍ଲାର ହଜାର ହଜାର ଚାଷୀ ଚଳିତ ବର୍ଷ ଏକ ବଡ ଅସୁବିଧା ପଡି ପାରନ୍ତି। ଏହାର ଏକମାତ୍ର କାରଣ ହେଉଛି ଓଡ଼ିଶା ସମବାୟ ବ୍ୟାଙ୍କର ମନମୁଖୀ କାର୍ଯ୍ୟ ବୋଲି ଅଭିଯୋଗ କରିଛି ନିଖିଳ ଓଡ଼ିଶା କେନ୍ଦ୍ର ସମବାୟ ବ୍ୟାଙ୍କ କର୍ମଚାରୀ ମହାସଂଘ। ଏହାର ସଭାପତି ବିମଳ କୁମାର ବୋଷ ଓ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ନନ୍ଦ ମିଳିତ ବିବୃତ୍ତିରେ କହିଛନ୍ତି, ଜିଲ୍ଲାରେ ଜଣେ ଅନଭିଜ୍ଞ ତଥା ଦୁର୍ବଳ ଅଧିକାରୀଙ୍କୁ ନିଯୁକ୍ତି ‌ଦିଆଯାଇଥିବାରୁ ଏଭଳି ସମସ୍ୟା ଉପୁଜିଛି।

ସରକାରଙ୍କ ଘୋଷଣା ଅନୁଯାୟୀ ଶୂନ୍ୟ ବା ୨ ପ୍ରତିଶତ ସୁଧରେ ଚାଷୀଙ୍କୁ କୃଷି ଋଣ ‌ଯୋଗାଣୁ ବଞ୍ଚିତ ନକରିବାକୁ ବ୍ୟାଙ୍କ ନିଜସ୍ବ ତଥା ଜମାକାରୀଙ୍କ ଟଙ୍କା ଲଗାଇ ଏବେ ସ୍ଥାଣୁ ପାଲଟିଛି। ଜିଲ୍ଲାର ହଜାର ହଜାର ଚାଷୀଙ୍କ ସ୍ବାର୍ଥ ଦୃଷ୍ଟିରୁ ରାଜ୍ୟ ସମବାୟ ବ୍ୟାଙ୍କ ପୂର୍ବଭଳି ପୁନଃ ଋଣ ଲଗାଣ ସୁବିଧା ପ୍ରଦାନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି। ଚଳିତ ମୌସୁମୀ ପୂର୍ବରୁ ବିଧିବଦ୍ଧ ଭାବେ ଏହା ଆରମ୍ଭ କରାନଗଲେ ଏକ ବଡଧରଣ ଚାଷୀ ଆନ୍ଦୋଳନ ସୃଷ୍ଟି ହେବା ନିଶ୍ଚିତ ବୋଲି ସଂଘ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe