କମିଛି ପାଣି, ବଢ଼ିଛି ଦୁର୍ଦ୍ଦଶା,ପହଞ୍ଚିଲାନି ପ୍ରଶାସନ

କମିଛି ପାଣି, ବଢ଼ିଛି ଦୁର୍ଦ୍ଦଶା,ପହଞ୍ଚିଲାନି ପ୍ରଶାସନ

ବାଲେଶ୍ବର: ପାଣି ଛାଡ଼ିଛି, ହେଲେ ବଢ଼ିଛି ଦୁର୍ଦ୍ଦଶା। ପାଣିଘେରରେ ରହିଥିବା ସହରର ୧୦୦ରୁ ଊର୍ଦ୍ଧ୍ବ ପରିବାରରୁ ଆଜି କିଛି ପରିବାର ନିଜ ନିଜ ଘରକୁ ଫେରିଛନ୍ତି। ଆଉ ଘରର ଅବସ୍ଥା ଦେଖି ସେମାନଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବନ୍ୟା ପାଣି ପଶି ଘର ଅବସ୍ଥା ଅତ୍ୟନ୍ତ ଦୟନୀୟ କରିଦେଇଛି। ଘର ଭିତରେ କାଦ ପଚପଚକୁ ପଟୁ ମାଟି ଜମିରହିଛି। ଚୁଲି ଭିତରେ ପାଣି। ଅଳିଆ ଆବର୍ଜନା ଆସି ଘର ଭିତରେ ଜମିଛି। ସେସବୁ ସଫା କରିବାରେ ସେମାନେ ଲାଗିପଡ଼ିଛନ୍ତି। ଦୁଇଦିନ ଧରି ଲୋକେ ପାଣି ଘେରରେ ରହିଥିବା ବେଳେ ଏପରି ସମୟରେ ପୌର କି ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସହାୟତା ଦିଆଯାଇନାହିଁ। ଫଳରେ ସହାୟତା ଆଶାରେ ଅନାଇ ବସିଥିବା ପ୍ରଭାବିତ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।

ବୁଢ଼ାବଳଙ୍ଗ ନଦୀପାଣି ଆସି ସହରର ୨୭, ୨୮, ୩୦, ୧୨ ଓ ୨୪ ନମ୍ବର ୱାର୍ଡରେ ପାଣି ପଶିଥିଲା। ରାତିସାରା ଲୋକେ ଉଜାଗର ରହି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ୱାର୍ଡର ମହାପାତ୍ର ସାହି, ବାଲିଘାଟ, ଦରଜିପୋଖରୀ, ନୂଆପୁର, ତଳସାହିର ଶ୍ରୀଲଙ୍କା, ମଝିସାହି, ପୋଖରୀ ସାହି ଓ ଅଙ୍ଗନବାଡ଼ି ସ୍ଥିତ ସାହି, ଗଳାପୋଲ, ଅରଡ଼ବଜାର ଆଦି ଅଞ୍ଚଳରେ ୫/୬ ଫୁଟ୍‌ ଉଚ୍ଚରେ ପାଣିର ସୁଅ ଛୁଟିଥିଲା। ୨୭ ନମ୍ବର ୱାର୍ଡ ତଳସାହି ଅଞ୍ଚଳର ପାଖାପାଖି ୮/୯ଟି ଘର ଭାଙ୍ଗିଯାଇଛି। ସେହିପରି ୨୪ ନମ୍ବର ୱାର୍ଡର ରାଧାକୃଷ୍ଣ ନଗର କଲୋନିର ୧୦/୧୧ ପରିବାର ବନ୍ୟାରେ ପ୍ରଭାବିତ ହୋଇଛନ୍ତି।

publive-image

ଦୁଇଦିନ ଧରି ପାଣି ଘେରରେ ଲୋକେ ରହିଥିଲା ବେଳେ ଚୁଡ଼ାମୁଢ଼ିରେ ଭୋକ ମେଣ୍ଟାଇଲେ। ହେଲେ ଦୁର୍ଭାଗ୍ୟ, ପୌର ପ୍ରଶାସନ ପକ୍ଷରୁ ଏହି ସ୍ଥାନରେ କାହାରି ପାଦ ପଡ଼ିଲାନାହିଁ। ରିଲିଫ୍‌ କି ରନ୍ଧାଖାଦ୍ୟ ବି ଦିଆଗଲା ନାହିଁ। ପ୍ରଶାସନର ଏଭଳି ମ‌ନୋଭାବକୁ ନେଇ ପ୍ରଭାବିତ ଲୋକେ ଅସନ୍ତୋଷ ଝାଡ଼ିଛନ୍ତି। ପରିସ୍ଥିତିକୁ ଦୃଷ୍ଟି‌ରେ ରଖି ପୌର ପ୍ରଶାସନ ପକ୍ଷରୁ ପ୍ରଭାବିତ ଅଞ୍ଚଳରେ ବ୍ଲିଚିଂ ପକାଇବାକୁ ନେଇ ଆଜି ୨୪ ନମ୍ବର ୱାର୍ଡ କାଉନସିଲର ମୀନା ମହାନ୍ତି ବିଧାୟକ ସ୍ବରୂପ କୁମାର ଦାସ ଲିଖିତ ଭାବେ ଦାବିପତ୍ର ଦେଇଛନ୍ତି। ସେହିପରି ପ୍ରଶାସନ ପକ୍ଷରୁ ଅନୁଧ୍ୟାନ କରାଯାଇ ପ୍ରଭାବିତ ଲୋକଙ୍କୁ ସହାୟତା କରାଯିବାକୁ ଦାବି ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe