ଶୀତଳଭଣ୍ଡାରରେ ୯ ବର୍ଷ ତଳର ପ୍ରସ୍ତାବ : ନେତାଜୀଙ୍କ ନାମରେ ନାମିତ ହେଉ କଟକ ରେଳଷ୍ଟେସନ୍

ଟ୍ବିଟ୍ କରି ଜଣାଇଲେ ରେଳମନ୍ତ୍ରୀ: ନୂଆ ରୂପ ପାଇବ କଟକ ରେଳଷ୍ଟେସନ

Bhubaneswar Buzz

କଟକ : କଟକ ରେଳଷ୍ଟେସନକୁ ନେତାଜୀଙ୍କ ନାମରେ ନାମିତ କରିବାକୁ ବିଧିବଦ୍ଧ ଭାବେ ଲିଖିତ ପ୍ରସ୍ତାବ କେନ୍ଦ୍ରକୁ ଯାଇଥିଲା ୨୦୧୨ରେ। ୯ ବର୍ଷ ବିତିଗଲାଣି। କିନ୍ତୁ ପ୍ରସ୍ତାବ ଶୀତଳଭଣ୍ଡାରରେ ପଡି ରହିଛି। ୧୨୫ତମ ନେତାଜୀ ଜୟନ୍ତୀ ପରିପ୍ରେକ୍ଷୀରେ ଏବେ ଏ ପ୍ରସ୍ତାବର ସ୍ଥିତିକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଟକରେ ଜନ୍ମଗ୍ରହଣ କରିଥିଲେ। ଓଡ଼ିଆ ବଜାରସ୍ଥିତ ତାଙ୍କ ପୈତୃକ ଘର ଏବେ ଜାତୀୟ ସଂପତ୍ତି। ନେତାଜୀଙ୍କ ପିତା ଜାନକୀନାଥ ବୋଷ ଥିଲେ ଓଡ଼ିଶା ହାଇକୋର୍ଟର ଓକିଲ। କଟକର ଦଶହରା, ପୂଜାପାର୍ବଣରେ ଜାନକୀନାଥ ଓ ନେତାଜୀଙ୍କର ବି ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଥିଲା। ଓଡ଼ିଶା ଆଉ କଟକ ସହିତ ନେତାଜୀଙ୍କର ଅନେକ ସ୍ମୃତି ଏବେ ବି ଜନମାନସରେ ରହିଛି। କଟକରେ ଜନ୍ମିତ ଏହି ବରପୁ୍ତ୍ରଙ୍କ ଜନ୍ମସ୍ଥାନକୁ ନେଇ କିନ୍ତୁ ବିଭିନ୍ନ ମହଲରେ ଏବେ ବି ଦ୍ବନ୍ଦ୍ବ ରହିଛି। ନେତାଜୀ ଓଡ଼ିଆ କହୁଥିଲେ, ଓଡ଼ିଆ ପଢୁଥିଲେ ଆଉ ଓଡ଼ିଆ ବି ଲେଖୁଥିଲେ। ଓଡ଼ିଶାର ପୁଅ ଭାବେ ତାଙ୍କ ପରିଚୟକୁ ନେଇ କୌଣସି ଶଙ୍କା ନଥିଲେ ବି କେବଳ ଜଣେ ବଙ୍ଗାଳି ଭାବେ ତାଙ୍କୁ ଅନେକେ ସଂପୂର୍ଣ୍ଣ କଲିକତାର ବୋଲି ବିଚାର କରନ୍ତି। ଏମିତିକି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ବାରବାଟୀ ଷ୍ଟାଡିୟମକୁ ଖେଳିବାକୁ ଆସି ନେତାଜୀଙ୍କ ଜନ୍ମସ୍ଥାନ ପରିଦର୍ଶନ କରିବାପରେ ଯାଇ ତାଙ୍କ ଭ୍ରମ ଦୂର ହୋଇଥିଲା ‌ବୋଲି ମତ ରଖିଥିଲେ।

ଅନ୍ୟପଟେ କଟକ ରେଳଷ୍ଟେସନକୁ ନେତାଜୀଙ୍କ ନାମରେ ନାମିତ କରିବା ପାଇଁ ଅନେକ ବର୍ଷରୁ ଦାବି ହୋଇ ଆସୁଥିବାବେଳେ ୨୦୧୨ରେ କଟକ ମହାନଗର ନିଗମ କାଉନସିଲରେ ଏ ସଂପର୍କିତ ଏକ ପ୍ରସ୍ତାବ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ସର୍ବସମ୍ମତ ପ୍ରସ୍ତାବକୁ ‌ତତ୍କାଳୀନ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରାଯାଇଥିଲା। କିନ୍ତୁ ୯ ବର୍ଷ ହେଲା ସେହି ପ୍ରସ୍ତାବ ଶୀତଳଭଣ୍ଡାରରେ ପଡି ରହିଛି। ଏହି ପ୍ରସ୍ତାବକୁ ନେଇ ବିଭିନ୍ନ ସମୟରେ ଦାବି ଉଠିଛି ସତ ହେଲେ ତାହା କାର୍ଯ୍ୟକାରୀ ହେବାରେ କେଁ କେଉଁଠି ରହୁଛି, ତାହା ବୁଝାପଡୁନାହିଁ। ସେହି ସମୟରେ କଟକ ରେଳଷ୍ଟେସନ ନିକଟରେ ନେତାଜୀଙ୍କର ଏକ ବିରାଟ ପୂର୍ଣ୍ଣାବୟବ ପ୍ରତିମୂର୍ତ୍ତି ନିର୍ମାଣ ପାଇଁ ପ୍ରସ୍ତାବ ରହିଥି‌ବା ବେଳେ ତାହା ବି ଏଯାଏ କାର୍ଯ୍ୟକାରୀ ହୋଇପାରିନାହିଁ।

ଏ ସଂପର୍କରେ କଟକର ପୂର୍ବତନ ମେୟର ‌ସୌମେନ୍ଦ୍ର ଘୋଷ କହିବା ଅନୁଯାୟୀ କାଉନସିଲର ପ୍ରସ୍ତାବକୁ ସେତେବେଳେ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ତତ୍କାଳୀନ ରେଳବାଇ ମନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା। ପରବର୍ତ୍ତୀ ସମୟରେ ଏନଡିଏ ସରକାରରେ ସୁରେଶ ପ୍ରଭୁ ରେଳବାଇ ମନ୍ତ୍ରୀ ହେବା ପରେ ତାଙ୍କୁ ବି ଏହି ପ୍ରସ୍ତାବ ଲିଖିତ ଆକାରରେ ଦିଆଯାଇଥିଲା। କିନ୍ତୁ ଏଯାଏ ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନାହିଁ। ଅନ୍ୟପଟେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କାଠଯୋଡିରେ ନିର୍ମିତ ନୂଆ ସେତୁ ନେତାଜୀଙ୍କ ନାମରେ ନାମିତ କରିଥିବା ବେଳେ କଟକରେ ହେବାକୁ ଯାଉଥିବା ଅତ୍ୟାଧୁନିକ ବସ୍ ଟର୍ମିନାଲର ନାମ ବି ନେତାଜୀଙ୍କ ନାମରେ ହେବ ବୋଲି ଘୋଷଣା କରିଛନ୍ତି। ଆସନ୍ତାକାଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କଟକ ଆସୁଥିବା ବେଳେ କଟକ ରେଳଷ୍ଟେସନକୁ ନେତାଜୀଙ୍କ ନାମରେ ନାମିତ କରିବା ଦିଗରେ ପଦକ୍ଷେପ ନେବେ ବୋଲି ଶ୍ରୀ ଘୋଷ ଆଶାବ୍ୟକ୍ତ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe