ଭୁବନେଶ୍ବର : ବିଧାନସଭାର ଶୂନ୍ୟକାଳରେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ ଓଡ଼ିଆ ଭାଷା, ଅସ୍ମିତାର ସୁରକ୍ଷା ପ୍ରସଙ୍ଗ ଉଠାଇଥିଲେ। ସେ କହିଥିଲେ ଯେ ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଜ୍ଞାନମଣ୍ଡଳ ଆମର ସମ୍ପତ୍ତି। ଜ୍ଞାନକୁ ବିସ୍ତାରିତ କରିବା ପାଇଁ ବିନୋଦ କାନୁନ୍ଗୋ ଜ୍ଞାନମଣ୍ଡଳ ରଚନା କରିଥିଲେ। ଏକ ଅତ୍ୟାଧୁନିକ ଜ୍ଞାନମଣ୍ଡଳ ପ୍ରକାଶ ନିମନ୍ତେ ଅର୍ଥ ମଞ୍ଜୁରୀ ହୋଇଥିଲେ ବି ତାହା ଖର୍ଚ୍ଚ ହୋଇପାରୁନି। ଜ୍ଞାନମଣ୍ଡଳ ଫାଉଣ୍ଡେସନ୍ ନିୟମାବଳୀର ସଂଶୋଧନ ପ୍ରକ୍ରିୟା ବର୍ଷ ବର୍ଷ ଧରି ସରୁନି। ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ଆସିଥିଲେ ବି କଟକ ଜିଲ୍ଲା ପ୍ରଶାସନ ତାହାକୁ ପାଳନ କରୁନି। ପୂର୍ଣ୍ଣଚନ୍ଦ୍ର ଭାଷାକୋଷ ଓ ଜ୍ଞାନମଣ୍ଡଳକୁ ସଂରକ୍ଷିତ ରଖିବା ପାଇଁ ଓଡ଼ିଶା ସାହିତ୍ୟ ଏକାଡେମି ମଧ୍ୟ ଯତ୍ନବାନ ହେବା ଉଚିତ। ଏବେ ଓଡ଼ିଆ ଭାଷାର ସୁରକ୍ଷା ପାଇଁ ସମ୍ବାଦ ଓ ସମାଜ ପରି କିଛି ଅନୁଷ୍ଠାନ ଉଦ୍ୟମ କରୁଛନ୍ତି। କିନ୍ତୁ ସରକାରୀ ସ୍ତରରେ ସେତିକି ଉଦ୍ୟମ ହେଉ ନାହିଁ। ବିଧାୟକମାନେ ମଧ୍ୟ ଏଥି ପ୍ରତି ଆଗ୍ରହୀ ନାହାନ୍ତି। ସେଥି ପାଇଁ କୋଟିଆ ଆମ ହାତରୁ ଖସିବାକୁ ବସିଛି। ନିଜ ଭାଷା, ଅସ୍ମିତା ପାଇଁ ସମସ୍ତଙ୍କର ଦାୟିତ୍ବବୋଧ ରହିବା ଉଚିତ ବୋଲି ଶ୍ରୀ ସେଠୀ କହିଥିଲେ।
ଭାଷା, ଅସ୍ମିତା ପ୍ରତି ସମସ୍ତେ ଦାୟିତ୍ବବାନ ହୁଅନ୍ତୁ: ବିଷ୍ଣୁ
Advertisment
Follow Us