ସ୍ମୃତିସଭା ଉତ୍ସବ ମୁଖର ହେଉ: ସୌମ୍ୟରଞ୍ଜନ

Advertisment

ମୀନାକ୍ଷୀଙ୍କ ଭଳି ସଫଳ, ସଶକ୍ତ, ଆଦରଣୀୟା ମହିଳା ହେବାକୁ ଚେଷ୍ଟାକର

ମୀନାକ୍ଷୀଙ୍କ ଭଳି ସଫଳ, ସଶକ୍ତ, ଆଦରଣୀୟା ମହିଳା ହେବାକୁ ଚେଷ୍ଟାକର

ସ୍ମୃତିସଭା ଉତ୍ସବ ମୁଖର ହେଉ: ସୌମ୍ୟରଞ୍ଜନ

ରାଉରକେଲା: ସ୍ମୃତିସଭାକୁ ଆବେଗମୟ ଓ ଶୋକଭରା କରିବା ଉଚିତ ନୁହେଁ। ସମସ୍ତଙ୍କୁ ଆପଣାର କରିପାରିଥିବା ଜଣେ ବ୍ୟକ୍ତିଙ୍କ ସ୍ମୃତିସଭା ଉତ୍ସବ ମୁଖର ହେଉ। ଏଭଳି ସଭାକୁ ଗର୍ବ, ଗୌରବ ତଥା ଉତ୍ସାହ ଉଦ୍ଦୀପନାର ସହ କରାଯାଉ। ଆଜିର ଏହି କାର୍ଯ୍ୟକ୍ରମ ଏକ ସତ୍‌ସଙ୍ଗ ସଦୃଶ ବୋଲି ‘ସମ୍ବାଦ’ ସମ୍ପାଦକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ରାଉରକେଲାସ୍ଥ ସିଭିକ୍‌ସେଣ୍ଟରରେ ଅନୁଷ୍ଠିତ ରାଜ୍ୟର ଲବ୍ଧ ପ୍ରତିଷ୍ଠ ଉଦ୍‌ଘୋଷିକା ତଥା ସମାଜସେବୀ ମୀନାକ୍ଷୀ ଧରଙ୍କ ପ୍ରଥମ ସ୍ମୃତିସଭାରେ ଯୋଗଦେଇ ମୁଖ୍ୟଅତିଥି ଶ୍ରୀ ପଟ୍ଟନାୟକ କହିଲେ, ଜଣେ ଲୁଟେରା ଭ୍ୟାନିଟି ବ୍ୟାଗ୍‌ ଛିନ୍‌ତାଇ କରୁଥିବାବେଳେ ମୀନାକ୍ଷୀ ପଡ଼ିଯିବାରୁ ତାଙ୍କର ଦୁଃଖଦ ମୃତ୍ୟୁ ହେଲା। ଏହି ଘଟଣା ଆମ ଭଳି ଭୋଟକାଙ୍ଗାଳ ରାଜନେତା ଯେଉଁମାନେ ବିକାଶର କଥା କହୁଛୁ ସମସ୍ତଙ୍କ ପାଇଁ ପ୍ରଶ୍ନ କରୁଛି, ନାରୀକୁ ସୁରକ୍ଷା ଦେଇପାରୁନ, ତୁମେ କି ବିକାଶ କରୁଛ?

ଶ୍ରୀ ପଟ୍ଟନାୟକ କହିଲେ, ଯଦି ସଫଳ, ସଶକ୍ତ ଓ ଆଦରଣୀୟା ମହିଳା ହେବାକୁ ଚାହଁ, ତା’ହେଲେ ମାନାକ୍ଷୀଙ୍କ ଭଳି ହେବାକୁ ଚେଷ୍ଟାକର। ସେ କେବଳ ରାଜ୍ୟର ଅନ୍ୟତମ ଶ୍ରେଷ୍ଠ ଉଦ୍‌ଘୋଷିକା ନଥିଲେ, ବରଂ ସେ ଏକାଧିକ ସାମାଜିକ, ସାଂସ୍କୃତିକ, ସ୍ବେଚ୍ଛାସେବୀ, ସାହିତ୍ୟାନୁଷ୍ଠାନ ସହ ଜଡ଼ିତ ଥିଲେ। ମିଠା କଥା ଓ ସବୁ ଭାଷାରେ ତାଙ୍କର ଦକ୍ଷତା ଥିଲା। ତାଙ୍କୁ ନେଇ ଆମେ ଗର୍ବରେ ଫୁଲି ଉଠିବା କଥା। ସେ ବହୁଲୋକଙ୍କୁ ପ୍ରଭାବିତ କରିପାରିଥିଲେ। ତାଙ୍କର ଈର୍ଷଣୀୟ ଲୋକପ୍ରିୟତା ଥିଲା। ସମ୍ମାନିତ ଅତିଥି ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ କହିଲେ, ରାଉରକେଲାର ପରିଚୟକୁ ମୀନାକ୍ଷୀ ବିସ୍ତାରିତ କରିଥିଲେ। ତାଙ୍କର ବିକଳ୍ପ ନାହିଁ। ଭଗବାନ ତାଙ୍କୁ ଆମଠାରୁ ଦୂରେଇ ନେଇଛନ୍ତି, ଆମେ କିନ୍ତୁ ତାଙ୍କୁ ଆମ ଭିତରେ ବଞ୍ଚେଇ ରଖିବା।

ସ୍ବତନ୍ତ୍ର ଅତିଥି ତଥା ସ୍ବର୍ଗତା ଧରଙ୍କ ମାମୁ ବିଶିଷ୍ଟ ନାଟ୍ୟକାର ଡ. ଦ୍ବାରୀକାନାଥ ନାୟକ କହିଲେ, ସେ ସବୁ ପ୍ରତିଭାର ଅଧିକାରୀ ଥିଲେ। ‌ରାଜ୍ୟର ବହୁ ଅଞ୍ଚଳର ବ୍ୟକ୍ତିଙ୍କଠାରୁ ସ୍ନେହଶ୍ରଦ୍ଧା ପାଇଥିଲେ। ଅବସରପ୍ରାପ୍ତ ପ୍ରଶାସକ ମହେନ୍ଦ୍ର ପଟ୍ଟନାୟକ, ବ୍ରଜେନ୍ଦ୍ର ନାୟକ, ବିବେକାନନ୍ଦ ଦାସ ପ୍ରମୁଖ ମଧ୍ୟ ମୀନାକ୍ଷୀଙ୍କ ସ୍ମୃତିଚାରଣ କରିଥିଲେ। ସ୍ମୃତିସଭାରେ ମୀନାକ୍ଷୀ ଧର ଫାଉଣ୍ଡେସନର ଅଧ୍ୟକ୍ଷ ଇଂ ନଳିନୀକାନ୍ତ ଧର ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ଏକ ସ୍ମରଣିକା ‘ମୀନାକ୍ଷୀ’କୁ ଅତିଥିମାନେ ଉନ୍ମୋଚିତ କରିଥିଲେ। ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତିନିଜଣ ପ୍ରତିଷ୍ଠିତ ବ୍ୟକ୍ତିବିଶେଷ ଗୁରୀନ୍ଦର କୌର, ଅଳକା ଚାନ୍ଦ ଓ ଜ୍ୟୋତ୍ସା ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସ୍ମୃତିସଭାରେ ସହରର ବିଭିନ୍ନ ସଂଗଠନର କର୍ମକର୍ତା, ଶ୍ରମିକ ସଂଗଠନ, ରାଜନେତା, ସମାଜସେବୀ ଯୋଗଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe