ବିଦେଶରେ ପହଞ୍ଚାଯାଉ ଶାନ୍ତିର ବାର୍ତ୍ତା: ମୁଖ୍ୟମନ୍ତ୍ରୀ

ମାନସିକ ଚାପ ପରିଚାଳନା ଓ ସୁସ୍ଥ ଭାବନା ବିଷୟକୁ ଗୁରୁତ୍ବ ଦେଇ ବ୍ରହ୍ମାକୁମାରୀ ଅନୁଷ୍ଠାନ ସାଧାରଣ ଲୋକଙ୍କ ମାନସିକ ଅବସାଦ, ନିଶା ଓ ଅନ୍ୟ ବ୍ୟକ୍ତିଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି।

fhsfhsxbvbv

ଭୁବନେଶ୍ବର: ମାନସିକ ଚାପ ପରିଚାଳନା ଓ ସୁସ୍ଥ ଭାବନା ବିଷୟକୁ ଗୁରୁତ୍ବ ଦେଇ ବ୍ରହ୍ମାକୁମାରୀ ଅନୁଷ୍ଠାନ ସାଧାରଣ ଲୋକଙ୍କ ମାନସିକ ଅବସାଦ, ନିଶା ଓ ଅନ୍ୟ ବ୍ୟକ୍ତିଗତ ସମସ୍ୟାକୁ ଦୂର କରିବାରେ ସାହାଯ୍ୟ କରୁଛନ୍ତି। ନାରୀ ସଶକ୍ତୀକରଣ ଓ ସାମାଜିକ ମୂଲ୍ୟବୋଧ ଉପରେ ମଧ୍ୟ କାମ କରୁଛନ୍ତି। ଆଗାମୀ ଦିନରେ ଏହି ଅନୁଷ୍ଠାନ ଏକ ବିଶ୍ବ ଆନ୍ଦୋଳନର ରୂପ ନେଉ। ମାଉଣ୍ଟଆବୁଠାରୁ ଆରମ୍ଭ କରି ନ୍ୟୁୟର୍କ, ନାଇରୋବିଠାରୁ ଆରମ୍ଭ କରି ଲଣ୍ଡନ ପର୍ଯ୍ୟନ୍ତ ବିଶ୍ବଶାନ୍ତିର ବାର୍ତ୍ତା ପହଞ୍ଚାଉ। ରାଜ୍ୟ ସରକାର ଓ ବ୍ରହ୍ମାକୁମାରୀ ଅନୁଷ୍ଠାନର ସମ୍ମିଳିତ ପ୍ରୟାସ ଦ୍ବାରା ସମାଜରେ ନିଶ୍ଚୟ ପରିବର୍ତ୍ତନ ଆଣିବ ବୋଲି ବ୍ରହ୍ମାକୁମାରୀ ଈଶ୍ବରୀୟ ବିଶ୍ବବିଦ୍ୟାଳୟ ଭୁବନେଶ୍ୱରର ସୁବର୍ଣ୍ଣ ଜୟନ୍ତୀ ଉତ୍ସବକୁ ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି।

ବ୍ରହ୍ମାକୁମାରୀ ଅନୁଷ୍ଠାନର ସୁବର୍ଣ୍ଣ ଜୟନ୍ତୀ ସମାରୋହ

ଜନତା ମଇଦାନରେ ଅନୁଷ୍ଠିତ ସମାରୋହରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆହୁରି କହିଲେ ବ୍ରହ୍ମାକୁମାରୀ ଅନୁଷ୍ଠାନର ୫୦ ବର୍ଷର ଯାତ୍ରା କେବଳ ସମୟର ଯାତ୍ରା ନୁହେଁ, ବରଂ ମାନବତାର ଜାଗରଣ। ଆଧ୍ୟାତ୍ମିକ ଉନ୍ନତି ଓ ଦିବ୍ୟ ସେବାର ଯାତ୍ରା। ଆଧ୍ୟାତ୍ମିକ ଜୀବନଶୈଳୀ ଆମକୁ ସରଳ, ନିରାଡ଼ମ୍ବର ଓ ମିତବ୍ୟୟୀ ହେବାକୁ ପ୍ରେରଣା ଦେଇଥାଏ। ଏହାଦ୍ବାରା ଆମେ ପ୍ରକୃତିର ସମ୍ପଦକୁ ବିଚାରଯୋଗ୍ୟ ବ୍ୟବହାର କରିଥାଉ। ଆଧ୍ୟାତ୍ମିକ ଜୀବନଶୈଳୀ ଆମର ଅସନ୍ତୁଳିତ ଇଚ୍ଛାକୁ ନିୟନ୍ତ୍ରିତ କରେ। ବ୍ରହ୍ମାକୁମାରୀ ଭଉଣୀ ଶିବାନୀ, ଜଣେ ଆଧ୍ୟାତ୍ମିକ ଶିକ୍ଷକ ଭାବେ ସାରା ବିଶ୍ୱକୁ ଏହି ଶିକ୍ଷା ଦେଉଛନ୍ତି। ତାଙ୍କର ତ୍ୟାଗ ଓ ସେବା ମନୋବୃତ୍ତି ପାଇଁ ଆଜି ଦେଶର ଆଧ୍ୟାତ୍ମିକ ଜଗତରେ ଏକ ପ୍ରମୁଖ ସ୍ଥାନ ଗ୍ରହଣ କରିଛନ୍ତି। ରାଜଯୋଗ ଓ ଧ୍ୟାନର ପଥ ଶୃଙ୍ଖଳା ଓ କରୁଣା ଶିଖାଏ। ଏହା ପ୍ରଶାସନରେ ସୁଶାସନ ପାଇଁ ମଧ୍ୟ ଆବଶ୍ୟକ। ଯେତେବେଳେ ପ୍ରଶାସନ ସହାନୁଭୂତି ସହିତ ଗତି କରେ ସେତେବେଳେ ଲୋକମାନେ ବିଶ୍ବାସ ଅନୁଭବ କରନ୍ତି। ସେମାନେ ସମାଜର ନୈତିକ ଗଠନକୁ ମଜଭୁତ୍ କରିଥାନ୍ତି ବୋଲି ସେ କହିଥିଲେ।

ସୁବର୍ଣ୍ଣ ଜୟନ୍ତୀ ଅବସରରେ ‘ସମ୍ପନ୍ନ ଓଡ଼ିଶା, ସ୍ୱର୍ଣ୍ଣିମ ଓଡ଼ିଶା’ ଅଭିଯାନର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ବ୍ରହ୍ମାକୁମାରୀ ଭୁବନେଶ୍ବର ଯେଉଁଭଳି ଅଭିଯାନ ଆଜି ଆରମ୍ଭ କରିଛନ୍ତି ଆମେ ମଧ୍ୟ ୨୦୩୬ ସୁଦ୍ଧା ଓଡ଼ିଶାକୁ ସମୃଦ୍ଧ ଓଡ଼ିଶା, ବିକଶିତ ଓଡ଼ିଶା ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଛୁ ବୋଲି କହିଥିଲେ। ସମାରୋହରେ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଯୋଗଦେଇ କହିଲେ, ସମାଜକୁ ସଜାଡ଼ିବା ପାଇଁ ବ୍ରହ୍ମାକୁମାରୀ ଅନୁଷ୍ଠାନ କାର୍ଯ୍ୟ କରୁଛି। ଲୋକଙ୍କ ଚାଲିଚଳନ, ବ୍ୟବହାର ସୁଧାରିବାରେ ସହାୟକ ହେଉଛି। ୫୦ ବର୍ଷ ଧରି ଏହି ଅନୁଷ୍ଠାନ ଆମ ସମସ୍ତଙ୍କୁ ଶାନ୍ତି ଓ ମୈତ୍ରୀର ମାର୍ଗ ଦେଖାଉଥିବା ମତବ୍ୟକ୍ତ କରିଥିଲେ। ଉତ୍ସବରେ ବିଧାୟକ ବାବୁ ସିଂହ, ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ବ୍ରହ୍ମାକୁମାରୀ ଶିବାନୀ, ବନାରସୀ ଭାଇ, ଶକ୍ତିରାଜ ଭାଇ, ଭଉରୀ ଗୀତା ପ୍ରମୁଖ ମଞ୍ଚାସୀନ ଥିଲେ।
ସନ୍ଧ୍ୟାରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ବାଇଁ ପ୍ରଦୀପ ପଜ୍ଜ୍ବଳନ କରି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଆ‌କାଶ ଦାସନାୟକ, ପୂର୍ତ୍ତ ସଚିବ ଉଷା ପାଢ଼ୀ, କୃଷି ସଚିବ ଅରବିନ୍ଦ ପାଢ଼ୀ, ସ୍ବସ୍ତି ଗ୍ରୁପର ଚେୟାରମ୍ୟାନ୍‌ ଜେ କେ ମହାନ୍ତି, ରୋଟାରିଆନ୍‌ ଯଜ୍ଞାଶିଷ ମହାପାତ୍ର ପ୍ରମୁଖ ଅତିଥି ଭାବେ ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ବ୍ରହ୍ମାକୁମାରୀ ବିକେ ଶିବାନୀ ‘ସୁଖର ରହସ୍ୟ’ ସମ୍ପର୍କରେ ବାର୍ତ୍ତା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe