କରୋନା ମୁକାବିଲାର ଚତୁର୍ଥ ପର୍ଯ୍ୟାୟରେ ସଫଳତା ପାଇଁ ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲାବାସୀ ରାଜ୍ୟକୁ ମାର୍ଗଦର୍ଶନ ଦିଅନ୍ତୁ: ସୁବ୍ରତ ବାଗଚୀ

୬୦ ବର୍ଷ ବୟସରୁ ଉର୍ଦ୍ଧ୍ୱ ବ୍ୟକ୍ତି ବିଶେଷ ମାତ୍ରାଧିକ କରୋନା ସମ୍ବେଦନଶୀଳ; ରାଜ୍ୟକୁ ଫେରନ୍ତାମାନେ ଏହି ସତ୍ୟକୁ ହୃଦୟଙ୍ଗମ କରନ୍ତୁ: ସୁବ୍ରତ ବାଗଚୀ

ଭୁବନେଶ୍ୱର: ନୋଭେଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ର ମୁକାବିଲା ପାଇଁ ରାଜ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ଏବେ ଚତୁର୍ଥ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ଏହି ଚତୁର୍ଥ ପର୍ଯ୍ୟାୟ ହିଁ ହେଉଛି ଆମ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କାରଣ, ଏହି ଚତୁର୍ଥ ପର୍ଯ୍ୟାୟ ଲଢ଼େଇରେ କରୋନା ସଂକ୍ରମଣକୁ ନିଜ ନିୟନ୍ତ୍ରଣରେ ରଖି ପାରିଲେ ହିଁ ଆମେ କରୋନା ବିରୋଧୀ ଲଢ଼େଇରେ ଜିତି ପାରିବା। ଏହି ସତ୍ୟକୁ ସମସ୍ତଙ୍କୁ ସ୍ୱୀକାର ଓ ହୃଦୟଙ୍ଗମ କରିବାକୁ ପଡ଼ିବ ବୋଲି କହିଛନ୍ତି ରାଜ୍ୟ କୋଭିଡ୍‌-୧୯ ପ୍ରମୁଖ ମୁଖପାତ୍ର ସୁବ୍ରତ ବାଗଚୀ।

ଆଜି ଅପରାହ୍ଣରେ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ଥାନୀୟ ଗୀତ ଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ବାଗଚୀ କହିଛନ୍ତି ଯେ ଚତୁର୍ଥ ପର୍ଯ୍ୟାୟ ପାଇଁ ମୁକାବିଲା ଆରମ୍ଭ କରିବା ପୂର୍ବରୁ ରାଜ୍ୟ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଜିଲ୍ଲା। ରାଜ୍ୟ ସରକାରଙ୍କ ସମସ୍ତ ନିର୍ଦ୍ଧାରିତ ନୀତି ନିୟମର ଉଲ୍ଲଂଘନ ପଶ୍ଚିମବଙ୍ଗ ଫେରନ୍ତାମାନେ ଏହି ତିନି ଜିଲ୍ଲାକୁ ଫେରି ଆସିବା ପରେ ରାଜ୍ୟରେ କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା ବହୁଗୁଣରେ ବଢ଼ି ଯାଇଛି।

ତେବେ, ଆତଙ୍କଜନକ ବିଷୟଟି ହେଲା ଏହି ତିନି ଜିଲ୍ଲା ମଧ୍ୟରୁ ଗୋଟିଏ ଜିଲ୍ଲାରୁ କରୋନା ଆକ୍ରାନ୍ତ ରୂପେ ଚିହ୍ନଟ ହୋଇଛନ୍ତି ଜଣେ ୭୦ ବର୍ଷ ଓ ଅନ୍ୟଜଣେ ୮୦ ବର୍ଷ ବୟସ୍କ ବୃଦ୍ଧ ବ୍ୟକ୍ତି; ଯେଉଁମାନେ କି ନିକଟ ଅତୀତରେ କେବେ ବି ସେମାନଙ୍କ ପରିବାର ଓ ଘର ମଧ୍ୟରୁ ପଦାକୁ ବାହାରି ନଥିଲେ। ପଶ୍ଚିମବଙ୍ଗ ଫେରନ୍ତାମାନେ ସାଙ୍ଗରେ ନଜ ନିଜ ଘରକୁ କରୋନାକୁ ନେଇ ଫେରିବା ପରେ ସେମାନେ କରୋନା ସଂକ୍ରମିତ ହୋଇଛନ୍ତି।

ତେବେ, ଯାହାବି ହେଉ ପରିସ୍ଥିତି ଏବେ ବି ନିୟନ୍ତ୍ରଣ ବାହାରକୁ ଯାଇନାହିଁ। ଯୁଦ୍ଧକାଳୀନ ଭିତ୍ତିରେ ପରିସ୍ଥିତିକୁ ଆୟତ୍ତାଧୀନ କରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି ରାଜ୍ୟ ସରକାର। ୬୦ ଘଣ୍ଟା ପାଇଁ ଏହି ତିନି ଜିଲ୍ଲାରେ ସଂପୂର୍ଣ୍ଣ ସଟ୍‌ଡାଉନ ଘୋଷଣା କରିବା ସହ କଣ୍ଟାକ୍ଟଟ୍ରେସିଂ, ସର୍ଭେଲାନ୍ସ ଓ ପରୀକ୍ଷଣକୁ ଜୋରଦାର କରିଛନ୍ତି। ତେଣୁ, ଏହି ତିନି ଜିଲ୍ଲାକୁ ଫେରିଥିବା ସମସ୍ତ ଫେରନ୍ତାମାନେ ଆଗକୁ ଆସନ୍ତୁ, ପ୍ରଶାସନକୁ ସହାୟତା କରନ୍ତୁ, କଣ୍ଟାକ୍ଟଟ୍ରେସିଂ ଓ ପରୀକ୍ଷଣରେ ସହାୟତା କରନ୍ତୁ ବୋଲି ଅନୁରୋଧ କରିଛନ୍ତି ଶ୍ରୀ ବାଗଚୀ। ଏହା ଦ୍ୱାରା ସେମାନେ ନିଜକୁ, ନିଜ ପରିବାର ଓ ସମାଜକୁ ସୁରକ୍ଷିତ ରଖିପାରିବେ ଓ ଚତୁର୍ଥ ପର୍ଯ୍ୟାୟ ଲଢ଼େଇରେ ସଫଳତା ପାଇଁ ଏହି ତିନି ଜିଲ୍ଲାବାସୀ ରାଜ୍ୟକୁ ମାର୍ଗଦର୍ଶନ ଦେଇପାରିବେ ବୋଲି କହିଛନ୍ତି ଶ୍ରୀ ବାଗଚୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe