ଷ୍ଟାଫ୍ ସିଲେକସନ୍ କମିସନ କେଳେଙ୍କାରୀର ଏସ୍‌ଆଇଟି ତଦନ୍ତ ହେଉ: କଂଗ୍ରେସ

Advertisment
ଷ୍ଟାଫ୍ ସିଲେକସନ୍ କମିସନ କେଳେଙ୍କାରୀର ଏସ୍‌ଆଇଟି ତଦନ୍ତ ହେଉ: କଂଗ୍ରେସ

ଭୁବନେଶ୍ବର : ରାଜ୍ୟରେ ସ୍ବଚ୍ଛତାର ସହ ସରକାରୀ କମଚାରୀଙ୍କ ନିଯୁକ୍ତି ପାଇଁ ୧୯୯୩ ମସିହାରେ ଓଡ଼ିଶା ଷ୍ଟାଫ୍‌ ସିଲେକସନ୍ କମିସନ(ଓଏସ୍‌ଏସ୍‌ସି) ଗଠନ କରାଯାଇଥିଲା। ହେଲେ ଏବେ କମିସନ ଦୁର୍ନୀତିର ଗନ୍ତାଘର ପାଲଟି ଯାଇଛି। ଅତୀତ‌ରେ ଅନେକ ଦକ୍ଷ ଓ ସଚ୍ଛୋଟ ବ୍ୟକ୍ତିବିଶେଷ ଏହାର ଦାୟିତ୍ବରେ ରହିଥିଲେ। ବର୍ତ୍ତମାନ ସରକାର ଦୁର୍ନୀତିଗ୍ରସ୍ତ ବୋଲି ବିବେଚିତ ହେଉଥିବା ବ୍ୟକ୍ତିଙ୍କୁ ଏହି ପଦବିରେ ରଖିଛନ୍ତି। ତେଣୁ ଓଏସ୍‌ଏସ୍‌ସିରେ ହୋଇଥିବା କେଳେଙ୍କାରୀର ଏସ୍‌ଆଇଟି ତଦନ୍ତ ଦାବି କରିଛି ରାଜ୍ୟ କଂଗ୍ରେସ।

ଶନିବାର କଂଗ୍ରେସର ବରିଷ୍ଠ ନେତା ନିରସିଂହ ମିଶ୍ର ସାମ୍ବାଦିକ ସମ୍ମିଳନୀରେ କହିଲେ, ବିଧାନସଭାରେ ‘ବ୍ୟକ୍ତିଗତ ସଚିବ ଚାକିରି ଦିଅନ୍ତି ନାହିଁ’ବୋଲି ସଂସଦୀୟ ବ୍ୟାପର ମନ୍ତ୍ରୀ ସଫେଇ ରଖିଛନ୍ତି। କମିସନଙ୍କ ଅଧ୍ୟକ୍ଷ ଓ ସଦସ୍ୟଙ୍କ ବିନା ପ୍ରୋତ୍ସାହନରେ ରାଜ୍ୟରେ ବ୍ୟାପମ ଭଳି ମହାଦୁର୍ନୀତି ସମ୍ଭବ ନୁହେଁ। ତେଣୁ ଦୁହିଁଙ୍କୁ ତଦନ୍ତର ପରିସରଭୁକ୍ତ କରାଯାଇ ବହିଷ୍କାର କରାଯାଉ। ରାଜ୍ୟରେ ଲକ୍ଷଲକ୍ଷ ମେଧାବୀ ଛାତ୍ରଙ୍କ ଭବିଷ୍ୟତକୁ ନେଇ ଖେଳ ଖେଳୁଥିବା ଷ୍ଟାଫ୍ ସିଲେକସନ୍‌ଙ୍କ ବ୍ୟକ୍ତିଗତ ସଚିବ ଭିଜିଲାନ୍‌ସ ହାତରେ ଧରା ପଡ଼ିଲେ। ଗଣମାଧ୍ୟମର ଚାପ ଓ ରାଜ୍ୟବାସୀଙ୍କ ଆକ୍ରୋଶରୁ ବଞ୍ଚିବା ଲାଗି ସରକାର ବ୍ୟକ୍ତିଗତ ସଚିବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ତାଙ୍କୁ ପ୍ରଥମେ ନିଲମ୍ବନ ଓ ସେହିଦିନ ଚାକିରିରୁ ବାଧ୍ୟତାମୂଳକ ଅବସର ଦେଲେ। ହେଲେ ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପ ଦ୍ବାରା ପରୋକ୍ଷରେ ବ୍ୟକ୍ତିଗତ ସଚିବଙ୍କୁ ସହାୟତା କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ରାଜ୍ୟ ସରକାର ବାଧ୍ୟତାମୂଳକ ଅବସର ସଂପର୍କିତ ମାର୍ଗଦର୍ଶିକା ପାଳନ କରିନାହାନ୍ତି। ପରୋକ୍ଷରେ ତାଙ୍କୁ ସୁରକ୍ଷା କିମ୍ବା ନିଜ ସଂପତ୍ତି ଲୁଚାଇବାକୁ ଚତୁରତାର ସହିତ ଏହି ଉଦ୍ୟମ କରିଛନ୍ତି। ଅଭିଯୁକ୍ତକୁ ସୁରକ୍ଷା ‌ଦେଉଥିବାରୁ ରାଜ୍ୟ ସରକାର ଏହି ମହାଦୁର୍ନୀତିରେ ସାମିଲ ‌ଅଛନ୍ତି ବୋଲି ଧାରଣା ସୃଷ୍ଟି ହେଉଛି। ତେଣୁ ଦୁର୍ନୀତି ସତ୍ୟ ଉନ୍ମୋଚନ ଓ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଏସ୍‌ଆଇଟି ତଦନ୍ତ ଜରୁରୀ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି। ଏହି ମହାକେଳେଙ୍କାରୀ ପ୍ରତିବାଦରେ ଆସନ୍ତା ୭ ତାରିଖରେ ରାଜ୍ୟ ଛାତ୍ର କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଉ କରାଯବ। ଏହି ସାମ୍ବାଦିକ ସମ୍ମିଳନୀରେ ପିସିସି ମିଡିଆ ବିଭାଗ ମୁଖ୍ୟ ଗଣେଶ୍ବର ବେହେରା ଓ ମୁଖପାତ୍ର ନିଶିକାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe