ଜନଜାତିଙ୍କ ଉପରେ ଅଧିକ ଗବେଷଣା ହେଉ: ରାଷ୍ଟ୍ରପତି

ଧରଣୀଧର ବିଶ୍ୱବିଦ୍ୟାଳୟରେ ଜାତୀୟ ପାଠଚକ୍ର

ଜନଜାତିଙ୍କ ଉପରେ ଅଧିକ ଗବେଷଣା ହେଉ: ରାଷ୍ଟ୍ରପତି

କେନ୍ଦୁଝର: ଜନଜାତିଙ୍କ ସଂସ୍କୃତି ଓ ପରମ୍ପରା ଉପରେ ଅଧିକ ଗବେଷଣା ହେବା ଆବଶ୍ୟକ। ଆଜି ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ‘ଜନଜାତି, ଜନ ସଂସ୍କୃତି ଓ ଐତିହ୍ୟ’ ଶୀର୍ଷକ ଜାତୀୟ ପାଠଚକ୍ରକୁ ଉଦ୍‌ଘାଟନ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏହା କହିଛନ୍ତି। କେନ୍ଦୁଝର ଧରଣୀଧର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଜାତୀୟ ପାଠଚକ୍ରରେ ଯୋଗଦେଇ ରାଷ୍ଟ୍ରପତି କହିଥିଲେ, ଜନଜାତିଙ୍କ ଅସ୍ମିତାକୁ ଋଦ୍ଧିମନ୍ତ କରିବା ସହ ଲୋପ ପାଇଯାଉଥିବା ଜନଜାତି ସଂସ୍କୃତି, ଐତିହ୍ୟ, ପରମ୍ପରାର ପୁନରୁଦ୍ଧାର କରିବା ସମସ୍ତଙ୍କ ଦାୟିତ୍ବ। ଜନଜାତି ସଂପ୍ରଦାୟକୁ ଆଗକୁ ଆଣିବା କେବଳ ସରକାରଙ୍କ ଦାୟିତ୍ୱ ନୁହେଁ, ସମସ୍ତେ ସହଯୋଗ କରିବା ଆବଶ୍ୟକ।

ରାଷ୍ଟ୍ରପତି ଆହୁରି ମଧ୍ୟ କହିଥିଲେ ଯେ କେନ୍ଦୁଝର ଜିଲ୍ଲାରେ ବିପ୍ଳବୀ ଧରଣୀଧର ନାୟକଙ୍କ ଜନ୍ମ। ସେହି ମହାପୁରୁଷଙ୍କ ନାମରେ ନାମିତ ଧରଣୀଧର ବିଶ୍ୱବିଦ୍ୟାଳୟରେ ବିପ୍ଳବୀ ଧରଣୀଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସୁଯୋଗ ପାଇଛି। ମାତୃଭୂମି ପାଇଁ ତାଙ୍କର ତ୍ୟାଗ, ବୀରତ୍ୱ ଆଗାମୀ ପିଢ଼ିପାଇଁ ପ୍ରେରଣାର ଉତ୍ସ ହୋଇରହିବ ବୋଲି ରାଷ୍ଟ୍ରପତି କହିଥିଲେ। ବିଶ୍ବବିଦ୍ୟାଳୟ ପରିସରରେ ଜନଜାତିଙ୍କ ପାରମ୍ପରିକ ପୋଷାକ, ଖାଦ୍ୟ, ନୃତ୍ୟ, ଗୀତ, ବାଦ୍ୟଯନ୍ତ୍ରକୁ ନେଇ ଆୟୋଜିତ ପ୍ରଦର୍ଶନୀ ତାଙ୍କୁ ଖୁବ୍ ଉତ୍ସାହିତ କରିଛି। ବିଜ୍ଞାନ ଯୁଗରେ ମଧ୍ୟ ଜନଜାତିମାନେ ନିଜର ସଂସ୍କୃତି, ପରମ୍ପରା, ଜୀବନଶୈଳୀୟଠାରୁ ବିଚ୍ଛିନ୍ନ ହୋଇନାହାନ୍ତି। ଦୁନିଆର ଚାକଚକ୍ୟ ମଧ୍ୟରେ ନିଜର ମୌଳିକତା ବଜାୟ ରଖିଛନ୍ତି। ୟୁଜି ଓ ପିଜି ବିଭାଗରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଜନଜାତି ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବେଶ୍‌ ଉତ୍ସାହପ୍ରଦ ବୋଲି ସେ କହିଥିଲେ।

ଏଥିସହିତ, ମହାମହିମ ସୁବିଧା, ଅସୁବିଧା ଜାଣିବା ସହ ତାହାର ସମାଧାନ ଦିଗରେ ଖସଡ଼ା ପ୍ରସ୍ତୁତ କରିବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଥିଲେ। ପାଠଚକ୍ରରେ ବିଶିଷ୍ଟ ଅତିଥିଭାବେ ରାଜ୍ୟପାଳ ତଥା କୁଳାଧିପତି ରଘୁବର ଦାସ, ସମ୍ମାନିତ ଅତିଥି ବିଦ୍ୟାଳୟ, ଗଣଶିକ୍ଷା, ରାଜସ୍ୱ ଓ ବିପର୍ଯ୍ୟୟ ପ୍ରସମନ ବିଭାଗ ମନ୍ତ୍ରୀ ସୁଦାମ ମାର୍ଣ୍ଡି ନିଜର ବକ୍ତବ୍ୟ ରଖିଥିଲେ। ଧରଣୀଧର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରତାପ କୁମାର ମହାନ୍ତି ପାଠଚକ୍ରରେ ଅଧ୍ୟକ୍ଷତା କରି ଏହାର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସଂପର୍କରେ ଆଲୋକପାତ କରିଥିଲେ। ଏହିଅବସରରେ ବିଶ୍ୱବିଦ୍ୟାଳୟ ପକ୍ଷରୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଜିଲ୍ଲାପାଳ ବିଶାଲ ସିଂହ ଓ ଏସ୍‌ପି ନୀତିନ କୁଶଲକର ଡାଗୁଡ଼ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe