ନୂଆପଡ଼ା/ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନ ପ୍ରଚାରରେ ଆସି ବିଜେଡି ନେତା ପ୍ରୀତିରଞ୍ଜନ ଘଡ଼ାଇ ଖରିଆର୍ ରୋଡ୍ରେ ଏକ ଘରଭଡ଼ା ନେଇ ରହୁଛନ୍ତି। ନିର୍ବାଚନରେ ବାଣ୍ଟିବା ପାଇଁ ତାଙ୍କ ଘରେ ଟଙ୍କା ରଖାଯାଇଥିବା କୌଣସି ସୂତ୍ରରୁ ଖବର ପାଇ ଶୁକ୍ରବାର ୨ ଜଣ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ଗୋଟିଏ ପ୍ଲାଟୁନ ପୁଲିସ ଫୋର୍ସ ଚଢ଼ଉ କରିଥିଲା। ହେଲେ ଘରୁ କିଛି ନ ମିଳିବାରୁ ମାଜିଷ୍ଟ୍ରେଟ୍ ଫେରିଆସିଥିଲେ। ଶ୍ରୀ ଘଡ଼େଇ ଘରେ ନଥିବା ବେଳେ ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ପୁଲିସ ତାଙ୍କ ଭଡ଼ାଘରେ ଚଢ଼ଉ କରିବା ସହ ତାଙ୍କ ସହଯୋଗୀ ରାକେଶ ପଣ୍ଡାଙ୍କୁ ମାଡ଼ ମାରିଥିବା ଶ୍ରୀ ଘଡ଼େଇ ଅଭିଯୋଗ କରିଛନ୍ତି। ନିର୍ବାଚନ ସମୟରେ ବିନା ଅନୁମତିରେ ଏପରି ଯାଞ୍ଚକୁ ବିଜେଡି ଜୋରଦାର ବିରୋଧ କରିଛି।
ଏହାକୁ ନେଇ ବିଜେଡି ନେତା ଓ କର୍ମୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ବିଜେଡି କର୍ମୀମାନେ ଖରିଆର ରୋଡ୍ରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ହୋହଲ୍ଲା ମଧ୍ୟ କରିଥିବା ଦେଖିବାକୁ ମିଳିଛି। ନୂଆପଡ଼ାରେ ହାରିବା ସୁନିଶ୍ଚିତ ଜାଣି ଶାସକ ଦଳ କଳବଳ କୌଶଳ ଲଗାଇ ଦେଇଛି ଓ ବିଜେଡି ନେତାଙ୍କୁ ଟାର୍ଗେଟ୍ କରୁଛି ବୋଲି ବିଜେଡି ଅଭିଯୋଗ କରିଛି। ନିର୍ବାଚନରେ ପୁଲିସ ପ୍ରଶାସନର ଅପବ୍ୟବହାର ହେଉଛି। ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ବିଜେଡି ରାଜ୍ୟ ଉପସଭାପତି ଦେବୀପ୍ରସାଦ ମିଶ୍ର ଦାବି କରିଛନ୍ତି। ଭୁବନେଶ୍ବରରେ ବିଜେଡିର ଏକ ପ୍ରତିନିଧି ଦଳ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଏହି ଚଢ଼ଉର ପ୍ରତିବାଦ କରିଛନ୍ତି। ସିଇଓଙ୍କୁ ଭେଟିଲା ପରେ ଦଳର ମୁଖପାତ୍ର ଲେନିନ ମହାନ୍ତି ଏକ ପ୍ରେସ୍ ବିବୃତ୍ତିରେ କହିଛନ୍ତି, ନୂଆପଡ଼ା ଉପନିର୍ବାଚନରେ ପରାଜୟ ଆସନ୍ନ ଜାଣି ବିଜେପି ପ୍ରତିଶୋଧାତ୍ମକ ହୋଇ ପ୍ରଶାସନକୁ ବ୍ୟବହାର କରି ବିଜେଡିର ମନୋବଳକୁ ଦୁର୍ବଳ କରିବାକୁ ଅପଚେଷ୍ଟା କରୁଛି। ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ନୂଆପଡ଼ା ଗସ୍ତ କାର୍ଯ୍ୟକ୍ରମ ଜାଣିବା ପରେ ବିଜେପି ନେତାମାନେ ଆତଙ୍କିତ ହୋଇପଡ଼ିଛନ୍ତି। ବିଜେପି ପ୍ରଶାସନିକ କଳର ଅପବ୍ୟବହାର କରିବା ସହ ଆଦର୍ଶ ଆଚରଣ ବିଧିକୁ ଉଲ୍ଲଂଘନ କରୁଛି।
Follow Us