ପୁରୀ ଜିଲ୍ଲାରେ ‘ଆସ ସ୍କୁଲ୍‌ ଯିବା’ କାର୍ଯ୍ୟକ୍ରମ: ସ୍କୁଲ୍‌ ବାହାରେ ଅଛନ୍ତି ୩୨୩୬, ସଦର ବ୍ଲକ୍‌ରେ ସର୍ବାଧିକ

ପୁରୀ ଜିଲ୍ଲାରେ ଚାଲିଛି ‘ଆସ ସ୍କୁଲ୍‌ ଯିବା’ କାର୍ଯ୍ୟକ୍ରମ। ସ୍କୁଲ୍‌ ବାହାରେ ଥିବା ପିଲାମାନଙ୍କୁ ସ୍କୁଲ୍‌ ଫେରାଇ ଆଣିବା ସହ ଆଦୌ ସ୍କୁଲ୍‌ ଆସି ନଥିବା ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି।

ପୁରୀ: ପୁରୀ ଜିଲ୍ଲାରେ ଚାଲିଛି ‘ଆସ ସ୍କୁଲ୍‌ ଯିବା’ କାର୍ଯ୍ୟକ୍ରମ। ସ୍କୁଲ୍‌ ବାହାରେ ଥିବା ପିଲାମାନଙ୍କୁ ସ୍କୁଲ୍‌ ଫେରାଇ ଆଣିବା ସହ ଆଦୌ ସ୍କୁଲ୍‌ ଆସି ନଥିବା ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀଙ୍କଠାରୁ ଆରମ୍ଭ କରି ଜିଲ୍ଲା ଶିକ୍ଷାଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଉଦ୍ୟମ ଚଳାଇଛନ୍ତି। ଏଥିପାଇଁ ହୋଇଥିବା ସର୍ଭେରେ ଆସିଥିବା ଅଭାବନୀୟ ଚିତ୍ରକୁ ନେଇ ଚିନ୍ତା ବଢ଼ିଛି। ପୁରୀ ଜିଲ୍ଲାରେ ସ୍କୁଲ୍‌ ବାହାରେ ଅଛନ୍ତି ୩୨୩୬ ଜଣ। ଏମାନଙ୍କ ମଧ୍ୟରୁ ଆଦୌ ସ୍କୁଲ୍‌ ଆସିନଥିବା ପିଲାଙ୍କଠାରୁ ଡ୍ରପ୍‌ ଆଉଟ୍‌ଙ୍କ ସଂଖ୍ୟା ଅଧିକ ରହିଛି। ବଡ଼କଥା ହେଉଛି, ପୁରୀ ସଦର ବ୍ଲକ୍‌ରେ ସର୍ବାଧିକ ସ୍କୁଲ୍‌ ବାହାରେ ପିଲା ରହିଛନ୍ତି। ଏହି ସଂଖ୍ୟା ହେଉଛି ୬୯୧। ଯାହାକୁ ନେଇ ଚିନ୍ତା ବଢ଼ିଛି। 

ଆସ ସ୍କୁଲ୍‌ ଯିବା କାର୍ଯ୍ୟକ୍ରମ ପୂର୍ବରୁ ଜିଲ୍ଲାରେ ସିଟିଏସ୍‌ (ଚାଇଲ୍ଡ ଟ୍ରାକିଂ ସର୍ଭେ) ହୋଇଥିଲା। ଏହି ସର୍ଭେ ସମୟରେ ସାଂଘାତିକ ତଥ୍ୟ ସାମନାକୁ ଆସିଥିଲା। ସ୍କୁଲ୍‌ ବାହାରେ ରହିଥିବା ପିଲାଙ୍କ ସଂଖ୍ୟା ଆଧାରରେ ପୁରୀ ସଦରରେ କିଭଳି ଏତେ ପିଲା ସ୍କୁଲ୍‌ ବାହାରେ ରହିଲେ ତାହାକୁ ନେଇ ତନାଘନା ହୋଇଥିଲା। ପୂର୍ବରୁ ଅଭିଯୋଗ ଥିଲା କି ଅନେକ ଶିକ୍ଷକ, ଶିକ୍ଷୟିତ୍ରୀ ଅନ୍ୟ ବ୍ଲକ୍‌ରେ ନିଯୁକ୍ତି ପାଇବା ପରେ ଚାପ ପକାଇ ଡେପୁଟେସନ୍‌ରେ ପୁରୀ ସଦରକୁ ଚାଲି ଆସନ୍ତି। ସ୍ଥିତି ଏଭଳି ଥାଏ କି ଜିଲ୍ଲା ମୁଖିଆ ମଧ୍ୟ ଜାଣି ନଥାନ୍ତି କେଉଁ ସ୍କୁଲ୍‌ରେ କେତେ ଶିକ୍ଷକ ଅଛନ୍ତି। କାରଣ ଡେପୁଟେସନ୍‌ରେ ଆସିଲେ 
ଏହାର ହିସାବ ଅନେକ ସମୟରେ ମୁଖିଆଙ୍କ ପାଖରେ ଉପଲବ୍ଧ ହୁଏ ନାହିଁ। ସମସ୍ତେ ଏହି ସଦର ମହକୁମାକୁ ପସନ୍ଦ କରନ୍ତି। 

ଅଧିକାଂଶ ସ୍କୁଲ୍‌ରେ ଆବଶ୍ୟକତାଠାରୁ ଅଧିକ ଶିକ୍ଷକ ଥାଆନ୍ତି। କିନ୍ତୁ ଏଠାରେ ୬୯୧ ଜଣ ପିଲା କିଭଳି ସ୍କୁଲ୍‌ ବାହାରକୁ ଚାଲିଗଲେ? ଡେପୁଟେସନ୍‌ରେ ନିଜ ଘର ପାଖକୁ ଆସିଥିବା ଶିକ୍ଷକ, ଶିକ୍ଷୟିତ୍ରୀମାନେ କଣ କରୁଥିଲେ? ଆକଳନ ମୁତାବକ, ଯଦି ଗୋଟିଏ ସ୍କୁଲ୍‌ର ଶିକ୍ଷକ ଦୁଇଜଣ ପିଲାଙ୍କୁ ସ୍କୁଲ୍‌ ଫେରାଇ ଆଣିବାପାଇଁ ଉଦ୍ୟମ କରିଥାନ୍ତେ ତେବେ ଏହି ସଂଖ୍ୟା ବଢ଼ିବଢ଼ି ଏଭଳି ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିନଥା’ନ୍ତା। ଆଉ ଏକ ବଡ଼ କଥା ହେଉଛି, ସ୍କୁଲ୍‌ ଛାଡ଼ି ଅନେକ ଛାତ୍ରୀ ବାହା ହୋଇ ଯାଇଥିବା ବେଳେ କେତେକ ଛାତ୍ର ଦାଦନ ଖଟିବା ପାଇଁ ଚାଲି ଯାଇଥିବା ଦେଖାଯାଇଛି। ଏତେ ସବୁ ଘଟଣା ଘଟିଯିବା ପରେ ବି ସ୍କୁଲ୍‌ ଦାୟିତ୍ବରେ ଥିବା ଶିକ୍ଷକ କଣ କରୁଥିଲେ? ଜିଲ୍ଲା ଶିକ୍ଷା ଅଧିକାରୀ ବି ଏ ବାବଦରେ ପ୍ରଶ୍ନ ଉଠାଇ ନଥିଲେ କାହିଁକି? ଏଭଳି ସ୍ଥିତି ପାଇଁ ଦାୟୀ କିଏ? ଏ ବାବଦରେ କାହା ଉପରେ କାର୍ଯ୍ୟାନୁଷ୍ଠାନ ହେବ? ଏଭଳି ଅନେକ ପ୍ରଶ୍ନ ଏବେ ଜିଲ୍ଲା ଶିକ୍ଷା ବ୍ୟବସ୍ଥା ପ୍ରତି ଉଠିଛି। 

ପୁରୀ ସଦର ଏହି ତାଲିକାର ଶୀର୍ଷରେ ରହିଥିବା ବେଳେ ଅସ୍ତରଙ୍ଗ ବ୍ଲକ୍‌ ତାଲିକାର ଶେଷରେ ରହିଛି। ଏଠାରେ ୫୯ ଜଣ ସ୍କୁଲ୍‌ ବାହାରେ ରହିଛନ୍ତି। ପୁରୀ ସଦର ପଛକୁ ଗୋପ ବ୍ଲକ୍‌ ରହିଥିଲା। ଏଥିରେ ସ୍କୁଲ୍‌ ବାହାରେ ୫୦୧ ଜଣ ରହିଛନ୍ତି। ଏହା ମଧ୍ୟ ଉଦ୍‌ବେଗଜନକ ସ୍ଥିତିରେ ରହିଛି। ପିପିଲିରେ ୩୨୯ ଜଣ ରହିଥିବା ବେଳେ କଣାସରେ ୩୧୪, ନିମାପଡ଼ାରେ ୨୯୦, ବ୍ରହ୍ମଗିରିରେ ୨୫୨, ଡେଲାଙ୍ଗରେ ୨୩୧, ସତ୍ୟବାଦୀରେ ୨୨୭, କାକଟପୁରରେ ୧୮୪, କୃଷ୍ଣପ୍ରସାଦରେ ୧୭୯ ରହିଛନ୍ତି। ଏମାନଙ୍କୁ ସ୍କୁଲ୍‌ ଫେରାଇ ଆଣିବା ପାଇଁ ଉଦ୍ୟମ ଚାଲିଛି। ସ୍କୁଲ୍‌ସ୍ତର ଓ କ୍ଲଷ୍ଟରସ୍ତରରେ କମିଟିମାନ ଗଠନ କରାଯାଇଛି। କମିଟି ଘର ଘର ବୁଲି ସେମାନଙ୍କ ସମସ୍ୟା ଶୁଣିବା ସହ ସମାଧାନ କରିବାକୁ ଉଦ୍ୟମ କରୁଛି। କିନ୍ତୁ ସ୍ଥିତି ଏମିତି ଯେ ୫୦ ପ୍ରତିଶତ ପିଲା ସ୍କୁଲ୍‌ ଫେରିବା ସମ୍ଭାବନା ନାହିଁ ବୋଲି ଅଭିଭାବକମାନେ ଆଶଙ୍କା କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe