ବୌଦ୍ଧ: ୬୯ ପଞ୍ଚାୟତରେ ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ ଲୋକାର୍ପିତ

ବୌଦ୍ଧ: ୬୯ ପଞ୍ଚାୟତରେ ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହ ଲୋକାର୍ପିତ

ବୌଦ୍ଧ : ରାଜ୍ୟର ବିକାଶରେ ଶିକ୍ଷାର ପ୍ରମୁଖ ଭୂମିକା ରହିଛି। ବୌଦ୍ଧ ଜିଲ୍ଲାର ୯୦% ଲୋକ ଗ୍ରାମାଞ୍ଚଳରେ ବାସ କରୁଥିବା ବେ​ଳେ ଏହି ପାଠାଗାରଗୁଡ଼ିକ ଶିକ୍ଷାର ବିକାଶ ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିବା ସହ ଜିଲ୍ଲାର ବିକାଶରେ ସହାୟକ ହେବ ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟଜଳ ଏବଂ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ପ୍ରଦୀପ ଅମାତ କହିଛନ୍ତି। ମନ୍ତ୍ରୀ ଶ୍ରୀ ଅମାତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବୌଦ୍ଧ ଜିଲ୍ଲାର ସମସ୍ତ ୬୯ ପଞ୍ଚାୟତରେ ନିର୍ମାଣ ହୋଇଥିବା ପାଠାଗାର ଓ ଭିଡିଓ ସମ୍ମିଳନୀ ଗୃହଗୁଡ଼ିକର ଲୋକା​ର୍ପଣ କରିଛନ୍ତି। ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରୁ ଆଭାସୀ ଜରିଆରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସତ୍ୟରଞ୍ଜନ ସାହୁ ଅଧ୍ୟକ୍ଷତା କରିଥିଲେ। କଣ୍ଟାମାଳ ବିଧାୟକ ମହୀଧର ରଣା କାର୍ଯ୍ୟକ୍ରମରେ ଯୋଗଦେଇ ଜିଲ୍ଲା ପ୍ରଶାସନର ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ଏହାଦ୍ବାରା ଗ୍ରାମାଞ୍ଚଳର ଶିକ୍ଷାପ୍ରେମୀ ଉପକୃତ ହେବେ ବୋଲି କହିଥିଲେ। ଏଥିସହ ପାଠାଗାରଗୁଡ଼ିକର ସୁପରିଚାଳନା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଥିଲେ।

ଜିଲ୍ଲାର ବିକାଶରେ ପ୍ରମୁଖ ଭୂମିକା ନେବ: ମନ୍ତ୍ରୀ
ପ୍ରତି ପାଠାଗାରକୁ ୫୦ ହଜାର ଟଙ୍କାର ବହି
ଇ-ଲାଇବ୍ରେରିରେ ୮୦ ହଜାର ଉପାଦେୟ ପୁସ୍ତକ ସାମିଲ

ଆଭାସୀ ଜରିଆରେ ସମସ୍ତ ୬୯ଟି ପଞ୍ଚାୟତର କର୍ମକର୍ତ୍ତା ଓ ଅଧିକାରୀଙ୍କ ସହ ସମସ୍ତ ବିଡିଓ ବୈଠକରେ ଯୋଡ଼ି ହୋଇଥିଲେ। କଣ୍ଟାମାଳ ବ୍ଲକ ପଲଶାଗୋରା ସରପଞ୍ଚ ସୌଦାମିନୀ ମଲ୍ଲିକ, ଖଟଖଟିଆ ସରପଞ୍ଚ ଅରବିନ୍ଦ ପାଣ୍ଡେ, ହରଭଙ୍ଗା ବ୍ଲକ ମଥୁରା ସରପଞ୍ଚ ପ୍ରଦୀପ କହଁର, ବୌଦ୍ଧ ବ୍ଲକ ବ୍ରାହ୍ମଣିପାଲି ସରପଞ୍ଚ ଅରୁଣ ବାଘ, ଖୁଣ୍ଟବନ୍ଧ ସରପଞ୍ଚ ଟୁନି ମହାନନ୍ଦିଆ ପ୍ରମୁଖ ଆଭାସୀ ଜରିଆରେ ଯୋଡ଼ି​ ହୋଇ ଖୁସିବ୍ୟକ୍ତ କରିଥିଲେ। ଜିଲ୍ଲାପାଳ ଶ୍ରୀ ସାହୁ ପାଠାଗାର ଓ ସମ୍ମିଳନୀ କକ୍ଷର ସୁପରିଚାଳନା ନିମନ୍ତେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଥିଲେ। ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଓ ନିର୍ବାହୀ ଅଧିକାରୀ ଅଶ୍ବିନୀ ମେହେର ଏହା ରାଜ୍ୟରେ ପ୍ରଥମ ବୋଲି କହିଥିଲେ। ଇ-ଲାଇବ୍ରେରିରେ ସବୁ ବର୍ଗର ପାଠକଙ୍କ ପାଇଁ ୮୦ ହଜାର ଉପାଦେୟ ପୁସ୍ତକ ସାମିଲ କରାଯାଇଛି। ଏଥିସହ ପ୍ରତି ପାଠାଗାରକୁ ୫୦ ହଜାର ଟଙ୍କା ମୂଲ୍ୟର ବହି ଯୋଗାଇ ଦିଆଯାଇଛି। ଜନସାଧାରଣ ପାଠାଗାର ଉପଯୋଗ କରି ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା ସହ ରାଜ୍ୟର ସାମଗ୍ରିକ ବିକାଶରେ ସାମିଲ ହେବାକୁ ଶ୍ରୀ ମେହେର ଆହ୍ବାନ କରିଥିଲେ।

କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦାରିଦ୍ର୍ୟଭଞ୍ଜନ ମଦନ ମୋହନ ପାତ୍ର, ଉପଜିଲ୍ଲାପାଳ ରବୀନ୍ଦ୍ରନାଥ କହଁର, ଡେପୁଟି କଲେକ୍ଟର ଝରଣା ପ୍ରଧାନ, ସତ୍ୟଜିତ ମହାପାତ୍ର, ଶାଶ୍ବତ ପ୍ରଧାନ, ହୃଷିକେଶ ତ୍ରିପାଠୀ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଲକ୍ଷ୍ମଣ ଓରାମ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ ଚନ୍ଦ୍ରକାନ୍ତ ବେହେରା, ଜିଲ୍ଲା ସ୍ବଳ୍ପସଞ୍ଚୟ ଅଧିକାରୀ ବିରଞ୍ଚି ଧରୁଆ, ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ସସ୍ମିତା ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂହ ଓ ପ୍ରବିଜ୍ଞା ଦାସ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe