ଦୁର୍ଘଟଣା ପରେ ଜୀବନ ଦୁର୍ବିସହ : ଏବେ ସରକାରୀ ସହାୟତା ଭରସ‌ାରେ 

ଦୁର୍ଘଟଣା ପରେ ଜୀବନ ଦୁର୍ବିସହ : ଏବେ ସରକାରୀ ସହାୟତା ଭରସ‌ାରେ 
ଚନ୍ଦ୍ରଗିରି : ପରିବାରକୁ ନେଇ ହସଖୁସିରେ ଚଳୁଥିଲେ। ମୂଲଲାଗି ଯାହା ରୋଜଗାର କରୁଥିଲେ ସେଥିରେ ଖାଇପିଇ ପରିବାର ମୁହଁରେ ହସ ଫୁଟାଇ ପାରୁଥିଲେ। ହେଲେ ହଠାତ୍ ଏକ ସଡ଼କ ଦୁର୍ଘଟଣା ସବୁକିଛି ଓଲଟପାଲଟ କରିଦେଲା। ଦୁର୍ଘଟଣାରେ ଗୋଟିଏ ଗୋଡ଼ ହରାଇବା ପରେ ପରିବାର ବୋଝ ବୋହୁଥିବା ଲୋକଟି ପରିବାର ପାଇଁ ବୋଝ ପାଲଟିଗଲା। ଏଭଳି ଦୁଃଖଦ ଘଟଣା ଘଟିଛି ମୋହନା ବ୍ଲକ୍ ଅଧୀନ ଲବାରସିଂ ପଞ୍ଚାୟତ ଟାଙ୍କିଲିପଦର ଗ୍ରାମରେ। ଗ୍ରାମର ଲଛମନ ନାୟକଙ୍କ ପରିବାର କହିଲେ ଦୁଇପୁଅ, ଦୁଇଝିଅ ଓ ପତ୍ନୀ ଭାଗ୍ୟଲତା। ସେ ଅନ୍ୟର ଜମିରେ ମୂଲ ଲାଗି ପରିବାର ପ୍ରତିପୋଷଣ କରି ଆସୁଥିଲେ।
ଗତବର୍ଷ ଘର ପାଇଁ ସଉଦା ଆଣିବାକୁ ପାଞ୍ଚଆମ୍ବ ଯାଉଥିବା ବେ‌ଳେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା। ପ୍ରଥମେ ତାଙ୍କୁ ଚନ୍ଦ୍ରଗିରି ପରେ ବ୍ରହ୍ମପୁର ଓ ସେଠାରୁ କଟକ ବଡ଼ମେଡିକାଲକୁ ଚିକିତ୍ସା ପାଇଁ ସ୍ଥାନାନ୍ତର କରାଯାଇଥିଲା। ହେଲେ ସେଠାରେ ଡାକ୍ତରମାନେ  ଗୋଡ଼ଟିକୁ କାଟି ବାହାର କରି ଦେଇଥିଲେ। ସେହିଦିନ ଠାରୁ ଲଛମନ ତାଙ୍କ ଗୋଟିଏ ଗୋଡ଼କୁ ସବୁଦିନ ପାଇଁ ହରାଇଥିଲେ।
ହେଲେ ତାଙ୍କ ପତ୍ନୀ ଭାଗ୍ୟଲତା ଏଥିରେ ଭାଙ୍ଗି ପଡ଼ିନଥିଲେ। ଲଛମନଙ୍କ ସେବା ସହ ଅନ୍ୟର କାମ କରି ପରିବାର ଚଳାଇବା ସହ ଚାରି ପୁଅଝିଅଙ୍କୁ ଉଚ୍ଚଶିକ୍ଷା ପ୍ରଦାନ କରିବା ପାଇଁ ପ୍ରୟାସ ଜାରି ରଖିଥିଲେ। ଇତି ମଧ୍ୟରେ ତାଙ୍କ ବଡ଼ ଝିଅ ଯୁକ୍ତ ଦୁଇ ଓ ଗୋଟିଏ ପୁଅ ଭୁବନେଶ୍ବର ସ୍ଥିତ କିସ୍ ଅନୁଷ୍ଠାନରେ ରହି ପାଠ ପଢ଼ୁଛି। ସେହିପରି ଅନ୍ୟ ଦୁଇ ଛୁଆଙ୍କୁ ଘରପାଖ ବିଦ୍ୟାଳୟରେ ପଢ଼ାଉଛନ୍ତି।
ତେବେ ବହୁଦିନ ପରେ ଏବେ ପୁଣିଥରେ ଲଛମନଙ୍କ କଟା ଗୋଡ଼ରୁ ରକ୍ତ ବାହାରୁଥିବା ଜଣାପଡ଼ିଛି। ଏହାସହ ଯନ୍ତ୍ରଣା ମଧ୍ୟ ହେଉଛି। ମାତ୍ର ତାଙ୍କର ଚିକିତ୍ସା ପାଇଁ ଭାଗ୍ୟଲତା ଅସହାୟ ହୋଇ ପଡ଼ିଛନ୍ତି। ତାଙ୍କର ସମସ୍ତ ସଞ୍ଚିତ ଅର୍ଥ ପୂର୍ବରୁ ଚିକିତ୍ସା ପାଇଁ ଖର୍ଚ୍ଚ ହୋଇ ସାରିଥିବା ବେଳେ ଏବେ ସେ କିପରି ସ୍ବାମୀଙ୍କ ଚିକିତ୍ସା କରିବେ ସେନେଇ ଚିନ୍ତାରେ ପଡ଼ିଛନ୍ତି। ସରକାରୀ ସହାୟତା ଭାବେ ରାସନକାର୍ଡ ମାଧ୍ୟମରେ କେବଳ ୩୦ କେଜି. ଚାଉଳ ମିଳୁଛି। ଆବାସ କିମ୍ବା ଭିନ୍ନକ୍ଷମ ଭତ୍ତାଟିଏ ପାଇଁ ଅନେକ ଗୁହାରି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ। ତେଣୁ ସରକାର ତଥା ପ୍ରାଶାସନିକ ଅଧିକାରୀ ମାନେ ଏଥିପ୍ରତି ଧ୍ୟାନ ଦେବାକୁ ସାଧାରଣରେ ଦାବି ହୋଇଛି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe