ସମ୍ବଲପୁର: ୮ ଦିନରେ ବଦଳି ଯାଇଛି ଜୀବନ

ସମ୍ବଲପୁରରେ ଶାନ୍ତି ଫେରିବାକୁ ଚାହୁନି ବିଜେପି: ବିଜେଡି

ସମ୍ବଲପୁର : କରୋନା ଓ ଲକ୍‌ଡାଉନ୍‌ ପାଇଁ ଯେମିତି ଭାରତବାସୀଙ୍କୁ ଅଚାନକ ନିଜ ଜୀବନଶୈଳୀ ବଦଳାଇବାକୁ ପଡ଼ିଥିଲା, ସଂପ୍ରତି ସମ୍ବଲପୁରରେ ସୃଷ୍ଟ ପରିସ୍ଥିତି ସହରବାସୀଙ୍କୁ ନିଜ ଦୈନନ୍ଦିନ ଜୀବନଚର୍ଯ୍ୟାରେ ପରିବର୍ତ୍ତନ ଆଣିବାକୁ ଏକପ୍ରକାର ବାଧ୍ୟ କରିଛି। ଗତ ୧୩ ତାରିଖଠାରୁ ସମ୍ବଲପୁର ସହରବାସୀଙ୍କ ସାଧାରଣ ଦୈନନ୍ଦିନ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ପରିଲକ୍ଷିତ ହୋଇଛି। ୧୨ ତାରିଖ ରାତିରୁ ସମ୍ବଲପୁର ସହରରେ ୧୪୪ ଧାରା ଜାରି ହୋଇଥିଲା। କୌଣସି ସ୍ଥାନରେ ୨ ବା ଅଧିକ ଲୋକ ଏକତ୍ରିତ ହୋଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଜାରି ହେଲା। ୧୩ ତାରିଖ ପୂର୍ବାହ୍ନରୁ ସମ୍ବଲପୁର ଜିଲ୍ଲାରେ ଇଣ୍ଟର୍‌ନେଟ୍‌ ସଂପୂର୍ଣ୍ଣ ବନ୍ଦ ହୋଇଗଲା। ପାଣି, ବିଦ୍ୟୁତ୍ ପରେ ବୋଧହୁଏ ଏହା ଲୋକଙ୍କ ପାଇଁ ତୃତୀୟ ଜରୁରୀ ମୌଳିକ ଆବଶ୍ୟକତା ଥିଲା। ଏହି ସେବା ବନ୍ଦ ହେବା ପିଲାଠୁ ବୟସ୍କ, କର୍ମଜୀବୀଠୁ ଗୃହିଣୀ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନକୁ ଇତସ୍ତତ କରିଦେଲା। ୧୩ ତାରିଖ ସକାଳୁ ଘରୁ ବାହାରିବା ମାତ୍ରେ ଲୋକଙ୍କୁ ମାଳମାଳ ପୁଲିସ୍‌ଙ୍କ ସାମ୍‌ନା କରିବାକୁ ପଡ଼ିଲା। ବିଭିନ୍ନ ସ୍ଥାନରେ ଯାଞ୍ଚର ସମ୍ମୁଖୀନ ହେବାକୁ ହେଲା।

ଇଣ୍ଟର୍‌ନେଟ୍ ନଥିବା ଯୋଗୁଁ ଅନେକଙ୍କ କାମ ଠପ୍‌ ହୋଇଗଲା। ବହୁ ଲୋକଙ୍କ ପାଇଁ ଅଘୋଷିତ ଛୁଟି ସଦୃଶ ହେଲା। ୧୪ ତାରିଖ ହନୁମାନ ଜୟନ୍ତୀ ପାଇଁ ଦିନସାରା ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ହେଲା। ୪୨ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ ହେଲେ। ସେଦିନ ରାତିରେ ଜୟନ୍ତୀ ସମୟରେ ପୁଣି ହିଂସକ ଘଟଣା କାରଣରୁ ମଧ୍ୟରାତ୍ରିରେ ସହରରେ କର୍ଫ୍ୟୁ ଜାରି ହେଲା। ଏହି କର୍ଫ୍ୟୁ ସମ୍ବଲପୁରବାସୀଙ୍କ ମନରେ ଦୀର୍ଘ ୩୧ ବର୍ଷ ତଳେ ଲାଗିଥିବା କର୍ଫ୍ୟୁ ସମୟର କଷ୍ଟଦାୟକ ଅନୁଭୂତିକୁ ତାଜା କରି ଦେଇଥିଲା।

publive-image Times of India

ଗତ ଶୁକ୍ରବାର ରାତାରାତି କର୍ଫ୍ୟୁ ପରେ ଅନେକ ଆତଙ୍କିତ ଅବସ୍ଥାରେ ରହିଲେ। କେତେବେଳେ କଣ ହେବ ସେନେଇ ସମସ୍ତେ ଅନିଶ୍ଚିତ ଥିଲେ। ଶନିବାର ସକାଳ ସମ୍ବଲପୁର ସହରବାସୀଙ୍କ ପାଇଁ ଏକ ଭିନ୍ନ ସକାଳ ଥିଲା। ସକାଳୁ କର୍ଫ୍ୟୁ କୋହଳ ସମୟରେ ନିଜ ଜରୁରୀ ଜିନିଷପତ୍ର କିଣାକିଣି କରି ସମସ୍ତେ ଘରେ ଆବଦ୍ଧ ହୋଇ ରହିଲେ। ଇଣ୍ଟର୍‌ନେଟ୍ ବନ୍ଦ କାରଣରୁ ଅନେକଙ୍କ ଘରେ ଟିଭି ବି ଚାଲୁ ନଥିଲା। ଲୋକେ ସହରର ସ୍ଥିତି ଜାଣି‌ବାକୁ ବ୍ୟଗ୍ର ଥିଲେ ବି ଅନେକଙ୍କ ନିକଟରେ ଠିକ୍ କଥା ଜାଣିବାକୁ ସାଧନ ନଥିଲା। ସକାଳୁ ହକରମାନେ ନେଇ ‌ପକାଉଥିବା ଖବରକାଗଜ ସେମାନଙ୍କ ପାଇଁ ଖବର ଜାଣିବାର ଏକମାତ୍ର ମାଧ୍ୟମ ଥିଲା। ଏମିତିରେ ଦିନେ, ଦୁଇ ଦିନ ହୋଇ ସପ୍ତାହେ ବିତି ଗଲାଣି। କର୍ଫ୍ୟୁ ଲୋକଙ୍କ ଦେହସୁହା ହେଲାଣି।

publive-image

କିଛିଦିନ ହେଲା ସହରର ଅଧିକାଂଶ ଲୋକ ରାତିରେ ବାହାରକୁ ବାହାରିବା ଭୁଲି ଗଲେଣି। ତା’ରି ଭିତରେ ଗତ ୧୯ ତାରିଖ ଦିନ ସହର ସଂପୂର୍ଣ୍ଣ ବନ୍ଦ ରହିବାରୁ ସେଦିନ ଦିନବେଳା ବି ସମସ୍ତଙ୍କର ଘର ଭିତରେ କଟିଥିଲା। ପ୍ରବଳ ଖରା, ଗରମ ସାଂଗକୁ କର୍ଫ୍ୟୁ ଓ ଇଣ୍ଟର୍‌ନେଟ୍ କଟକଣା ଲୋକଙ୍କୁ ଅତିଷ୍ଟ କରିଥିଲେ ବି ଶାନ୍ତିପ୍ରିୟ ଓ ଶୃଂଖଳିତ ସମ୍ବଲପୁରବାସୀ ସହରରେ ସ୍ବାଭାବିକ ସ୍ଥିତି ଫେରି ଆସିବା ଅପେକ୍ଷାରେ ଏହାକୁ ସାଦରେ ଗ୍ରହଣ କରି ନେଇଛନ୍ତି। ପ୍ରଶାସନର ସବୁ କଟକଣାକୁ ମାନିବା ସହ ସହଯୋଗ କରୁଛନ୍ତି। ଆଗାମୀ ଦିନରେ ସମ୍ବଲପୁରରେ ପୁଣି ଶାନ୍ତି, ସୌହାର୍ଦ୍ଦ୍ୟର ବାତାବରଣ ଫେରି ଆସିବ, ଭାଇଚାରା ଲେଉଟିବ ସେ ନେଇ ସମସ୍ତେ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe