ହତ୍ୟା ମାମଲାରେ ୮ ଜଣଙ୍କୁ ‌ଆଜୀବନ କାରାଦଣ୍ଡ

Advertisment
ଶିଶୁକନ୍ୟାକୁ ଦୁଷ୍କର୍ମ ମାମଲାରେ ୫ ବର୍ଷ କାରାଦଣ୍ଡାଦେଶ

ଯାଜପୁରସଦର: ଏକ ଠିକାକାମକୁ କେନ୍ଦ୍ରକରି ୨୦୧୨ରେ ସଂଘଟିତ ଧନେଶ୍ବର ହତ୍ୟା ଘଟଣାରେ ଆଜି ରାୟ ପ୍ରକାଶ ପାଇଛି। ହତ୍ୟା ମାମଲାରେ ସଂପୃକ୍ତ ୮ ଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି ଯାଜପୁର ଜିଲ୍ଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର। ଯାଜପୁର ଥାନା ଚଇନପୁର ପଞ୍ଚାୟତ ଗଣେଶ୍ୱରପୁର ଛକରେ ଅଭିଯୁକ୍ତମାନେ ସ୍ପଷ୍ଟ ଦିବାଲୋକରେ ଧନେଶ୍ୱର ବେହେରାଙ୍କୁ ହତ୍ୟା କରିଥିଲେ। ୨୦୧୨ ସେପ୍ଟେମ୍ବର ୨୨ ତାରିଖ ଅପରାହ୍‌ଣ ୨ଟାରେ ଘଟିଥିଲା ଏହି ହତ୍ୟାକାଣ୍ଡ। ଦଣ୍ଡାଦେଶ ପାଇଥିବା ଦୋଷୀମାନେ ହେଲେ ଯାଜପୁର ଥାନା ଚଇନପୁର ପଞ୍ଚାୟତ ବେଲେଶ୍ୱର ଗ୍ରାମର ମହେନ୍ଦ୍ର ଜେନା, ନାରାୟଣ ବେହେରା, ମାର୍କଣ୍ଡ ଜେନା(ଗୋଧି), ଚକ୍ରଧର ଜେନା, ସମ୍ପଦ ଜେନା(କୁନିଆ), ଗୋବର୍ଦ୍ଧନ ଜେନା, ପ୍ରକାଶ ଜେନା ଓ ବ୍ରଜ ଜେନା।

ଏକ ଠିକାକାମକୁ ନେଇ ଧନେଶ୍ୱର ବେହେରାଙ୍କ ସହ ଅଭିଯୁକ୍ତମାନଙ୍କର ବିବାଦ ରହିଥିଲା। ଏହାକୁ କେନ୍ଦ୍ରକରି ପୂର୍ବରୁ ଅଭିଯୁକ୍ତମାନେ ଧନେଶ୍ୱରଙ୍କୁ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିଲେ। ଶେଷରେ ୨୦୧୨ ସେପ୍ଟେମ୍ବର ୨୨ ତାରିଖରେ ଗଣେଶ୍ୱରପୁର ଛକରେ ତାଙ୍କୁ ହତ୍ୟା କରିବାରେ ସେମାନେ ସକ୍ଷମ ‌ହୋଇଥିଲେ। ଅଭିଯୁକ୍ତମାନେ ମିଳିତ ଭାବେ ବିଭିନ୍ନ ମାରଣାସ୍ତ୍ରରେ ଆକ୍ରମଣ କରିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏନେଇ ଧନେଶ୍ୱରଙ୍କ ଭାଇ ବିଜୟ ବେହେରା ଯାଜପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ଏ ସଂକ୍ରାନ୍ତରେ ନଂ.୧୩୧/୨୦୧୨ ଏକ ହତ୍ୟା ମାମଲା ରୁଜୁ କରି ୮ ଜଣଙ୍କୁ ଗିରଫ କରିଥିଲା। ଜିଲ୍ଲା ଦୌରାଜଜ୍ ଶ୍ରୀକାନ୍ତ ମିଶ୍ର ୧୬ଜଣ ସାକ୍ଷୀଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତିକରି ସମସ୍ତ ୮ଜଣ ଅଭିଯୁକ୍ତଙ୍କୁ ଆଜି ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ଜଣପ୍ରତି ୨ହଜାର ଟଙ୍କାଲେଖାଏଁ ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅତିରିକ୍ତ ୬ ମାସ କାରାଦଣ୍ଡ ଭୋଗିବା ନେଇ ରାୟରେ ଉଲ୍ଲେଖ ରହିଛି। ଏହି ମାମଲାକୁ ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ସରକାରୀ ଓକିଲ ସମରେନ୍ଦ୍ର ଦାସ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe