www.google.com
ଛତ୍ରପୁର: ୨୦୧୯ ମସିହା ଜୁନ୍ ୧ ତାରିଖରେ ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅଧୀନ କଇଠଡ଼ା ଗ୍ରାମର ଡାକ୍ତର ପ୍ରଧାନଙ୍କୁ ନିର୍ମମ ଭାବେ ହତ୍ୟା କରା ଯାଇଥିଲା। ଆଜି ଛତ୍ରପୁର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ମାମଲାର ବିଚାରଣା ଶେଷ କରି ଚୂଡ଼ାନ୍ତ ରାୟ ଶୁଣାଇଛନ୍ତି। ୨୧ ଜଣଙ୍କ ସାକ୍ଷ୍ୟ ଓ ପ୍ରମାଣକୁ ଭିତ୍ତି କରି ଛତ୍ରପୁର ଏଡିଜେ ମନୋରଞ୍ଜନ ଦାଶ ଉକ୍ତ ଗ୍ରାମର ଗାନ୍ଧୀ ପ୍ରଧାନକୁ ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ଏହାସହ ୧୦ହଜାର ଟଙ୍କା ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟସ୍ଥଳେ ଅତିରିକ୍ତ ୬ ମାସ ଜେଲ୍ଦଣ୍ଡ ଭୋଗିବାକୁ ଚୂଡ଼ାନ୍ତ ରାୟରେ ଦର୍ଶାଯାଇଛି। ସରକାରଙ୍କ ପକ୍ଷରୁ ଓକିଲ ଡମିନାଥ ସାହୁ ମକଦ୍ଦମା ପରିଚାଳନା କରିଥିଲେ।
ସୂଚନାନୁସାରେ, ଘଟଣା ଦିନ ସନ୍ଧ୍ୟା ୭ଟାରେ ଗ୍ରାମର ତଳସାହି ଚଉଁରା ନିକଟରେ ଡାକ୍ତର ପ୍ରଧାନ ବସିଥିଲେ। ଏହି ସମୟରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର ଗାନ୍ଧୀ ଗୋଟିଏ କାତିରେ ତାଙ୍କ ମୁଣ୍ଡ, ବେକ ଓ ପେଟକୁ ହାଣି ନିର୍ମମ ଭାବେ ହତ୍ୟା କରିଥିଲା। ଗ୍ରାମର କିଛି ଲୋକ ଓ ଡାକ୍ତରଙ୍କ ଭାଇ ଗୋବିନ୍ଦ ଅଟକାଇବାରୁ ସେମାନଙ୍କୁ ମଧ୍ୟ ଗାନ୍ଧୀ ଖଣ୍ଡା ଦେଖାଇ ଧମକଚମକ ଦେଇଥିଲା। ଗୁରୁତର ଅବସ୍ଥାରେ ଡାକ୍ତରଙ୍କୁ ପୁରୁଷୋତ୍ତମପୁର ଡାକ୍ତରଖାନାକୁ ନିଆ ଯାଇଥବା ବେଳେ ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ପୁରୁଷୋତ୍ତମପୁର ଥାନାରେ କେସ୍ ନମ୍ବର ୧୨୭ ଅନୁସାରେ ମାମଲା ରୁଜୁ ସହ ଅଭିଯୁକ୍ତ ଗାନ୍ଧୀକୁ ଗିରଫ କରି କୋର୍ଟ ଚାଲାଣ କରା ଯାଇଥିଲା। ଛତ୍ରପୁର ଏଡିଜେ କୋର୍ଟରେ ଏହାର ବିଚାରଣା ଚାଲିଥିବା ବେଳେ ବିଚାରପତି ଆଜି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।
Follow Us