ଆର ଆଇ ଅଫିସ ପିଅନଙ୍କୁ ହତ୍ୟା ମାମଲା: ମା’ ସହ ୩ ପୁଅଙ୍କୁ ଆଜୀବନ ଜେଲ୍‌

Advertisment
ଆର ଆଇ ଅଫିସ ପିଅନଙ୍କୁ ହତ୍ୟା ମାମଲା: ମା’ ସହ ୩ ପୁଅଙ୍କୁ ଆଜୀବନ ଜେଲ୍‌

ଧର୍ମଗଡ଼: ବହୁଚର୍ଚ୍ଚିତ ଆଟିଗାଁ ରାଜସ୍ବ ଅଧିକାରୀଙ୍କ ପିଅନ ହତ୍ୟା ମାମଲାରେ ମା’ ସହ ୩ ପୁଅକୁ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ।

ମାମଲାର ବିବରଣୀରୁ ପ୍ରକାଶ ଯେ ଗତ ୨୦୧୮ ମସିହା ଜୁନ ୧୪ ତାରିଖରେ ଜୁନାଗଡ଼ ବ୍ଳକ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ସରକାରୀ ଜମିକୁ ଅନଧିକୃତ ଅକ୍ତିଆର କରି  ସକାଳ ୮ଟା ସମୟରେ ସେହି ଗ୍ରାମର ରାଧୁ ଦଣ୍ଡସେନା,ପିତ ଦଣ୍ଡସେନା, ଯଦୁ ଦଣ୍ଡସେନା ଏବଂ ତାଙ୍କ ମା କୁଚିତା ଦଣ୍ଡସେନା  ଘର କରିବାକୁ ନିଅଁ ଖୋଳୁଥିଲେ। ତାହା ସରକାରୀ ଜମି ହୋଇଥିବାରୁ ଆଟିଗାଁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଅସ୍ଥାୟୀ ପିଅନ ଭାବେ କାମ କରୁଥିବା ଛାୟାକାନ୍ତ ଦଣ୍ଡସେନା କାମ ବନ୍ଦ କରିବାକୁ କହିବା ସହ ରାଜସ୍ବ ନିରୀକ୍ଷକଙ୍କ ଆସିବା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ରାଗିଯାଇ ଅଭିଯୁକ୍ତ ରାଧୁ ଦଣ୍ଡସେନାଙ୍କ ହାତକୁ ତାଙ୍କ ମା କୁଚିତା ଦଣ୍ଡସେନା ଟାଙ୍ଗିଆ ବଢେଇ ଦେଇଥିଲେ। ଛାୟାକାନ୍ତକୁ ଅଭିଯୁକ୍ତ ରାଧୁ ଟାଙ୍ଗିଆରେ ହାଣିବା ସମୟରେ ତା'ର ଦୁଇ ଭାଇ ପିତ ଓ ଯଦୁ ଛାୟାକାନ୍ତର ଦୁଇ ହାତକୁ ଧରି ରଖିଥିଲେ। ମୁମୁର୍ଷୁ ଅବସ୍ଥାରେ ଛାୟାକାନ୍ତକୁ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ଜୁନାଗଡ଼ ପୁଲିସ ଏନେଇ ଏକ ହତ୍ୟା ମାମଲା ରୁଜୁ କରିଥିଲା। ଶନିବାର ମାମଲାର ବିଚାର କରି  ଧର୍ମଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର କୁଚିତା ଦଣ୍ଡସେନା ଓ ତାଙ୍କ ତିନି ପୁଅ ରାଧୁ, ପିତ ଏବଂ ରାଜୁଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଏହା ସହ ପ୍ରତ୍ୟେକଙ୍କୁ ୫୦ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅଧିକ ବର୍ଷେ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି। ସରକାରଙ୍କ ତରଫରୁ ମାମଲାକୁ ସରକାରୀ ଓକିଲ ପୂର୍ଣ୍ଣଚନ୍ଦ୍ର ନାଗ ପରିଚାଳନା କରୁଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe