ଛଟପଟ ହୋଇ ଜୀବନ ଗଲା, ହୋଇପାରିଲାନି ଡାଏଲିସିସ୍‌

Advertisment
ଛଟପଟ ହୋଇ ଜୀବନ ଗଲା, ହୋଇପାରିଲାନି ଡାଏଲିସିସ୍‌

california health care foundation

ସମ୍ବଲପୁର: ଜଣେ ଡାଏଲିସିସ୍‌ ପାଇଁ ଆସିଥିବା ରୋଗୀଙ୍କୁ କଟକ ରେଫର କରାଗଲା। ସେ ରୋଗୀ କଟକ ଯିବା ପାଇଁ ଆମ୍ବୁଲାନ୍ସ ଯୋଗାଡ଼ କରିପାରିଲେନି। ଶେଷରେ ତାଙ୍କର ମୃତ୍ୟୁ ଘଟିଲା। ଏମିତି ଘଟଣା ଆଜି ସମଗ୍ର ସମ୍ବଲପୁର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଏହି ପ୍ରସଙ୍ଗଟି ଏବେ ସ୍ବାସ୍ଥ୍ୟ ବିଭାଗ ଆଡକୁ ଏଇଥିପାଇଁ ଆଙ୍ଗୁଳି ଉଠାଇଛି, କାରଣ ରାଜ୍ୟ ସରକାର ଏବେ ବିଭିନ୍ନ ଜିଲ୍ଲା ଚିକିତ୍ସାଳୟରେ ବି ଡାଏଲିସିସ୍‌ ବ୍ୟବସ୍ଥା କରିଛନ୍ତି। ଘରୋଇ ଡାକ୍ତରଖାନା ଗୁଡ଼ିକରେ ଡାଏଲିସିସ୍ ଏକ ସାଧାରଣ ଚିକିତ୍ସାରେ ପରିଣତ ହୋଇସାରିଥିବା ସରକାର ଦାବି କରୁଛନ୍ତି। ଠିକ୍ ଏତିକି ବେଳେ ପଶ୍ଚିମ ଓଡ଼ିଶାରେ ସ୍ବାସ୍ଥ୍ୟସେବାର ସର୍ବୋଚ୍ଚ ପ୍ରତିଷ୍ଠାନରୁ କାହିଁକି ଡାଏଲିସିସ୍‌ ପାଇଁ ରୋଗୀଙ୍କୁ କଟକ ରେଫର କରାଗଲା ତାହାର ଉତ୍ତର କିଏ ଦେବ? ପୁଣି ଡାକ୍ତର ଓ ପିଜି ଛାତ୍ରଙ୍କ ଉଦ୍ୟମ ସତ୍ତ୍ବେ ଆମ୍ବୁଲାନ୍ସ ନ ମିଳିବାରୁ ରୋଗୀଙ୍କ ଜୀବନ ଯିବା ଉଦ୍‌ବେଗର କାରଣ ହୋଇଛି।

ମିଳିଥିବା ସୂଚନା ଅନୁସାରେ ରେଢ଼ାଖୋଲ ବ୍ଲକ ବଂଶଜାଲ ପଞ୍ଚାୟତ ହାଲି ଗ୍ରାମର ବିଶ୍ବମ୍ବର ଦେହୁରୀଙ୍କୁ କିଡନି ଜନିତ ସମସ୍ୟା ପାଇଁ ବୁର୍ଲା ବଡ଼ ଡାକ୍ତରଖାନାର ମେଡିସିନ୍‌ ୱାର୍ଡରେ ଭର୍ତ୍ତି କରାଯାଇଥିଲା। ସୋମବାର ତାଙ୍କର ଡାଏଲିସିସ୍‌ ହେବାର ଥିଲା। କିନ୍ତୁ ମେସିନ୍‌ ଅଚଳ ଥିବାରୁ ଏଠାରେ ତାଙ୍କ ଡାଏଲିସିସ୍‌ ହୋଇପାରିନଥିଲା। ଡାଏଲିସିସ୍‌ ତୁରନ୍ତ ନହେଲେ ତାଙ୍କର ଜୀବନ ପ୍ରତି ବିପଦ ଥିବାରୁ ରବିବାର ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ରେଫର୍‌ କରିଦେଇଥିଲେ। ବିଶ୍ବମ୍ବରଙ୍କ ପରିବାର ପକ୍ଷରୁ ୩୫ ହଜାର ଟଙ୍କା ‌ଖର୍ଚ୍ଚ କରି ଘରୋଇ ଆଇସିୟୁ ଆମ୍ବୁଲାନ୍ସ ଭଡ଼ା କରିବା ସମ୍ଭବ ନଥିଲା। ଏହା ଜାଣିବା ପରେ କିଛି ପିଜି ଡାକ୍ତର ଫୋନ୍‌ କରି ୧୦୮ ଆମ୍ବୁଲାନ୍ସକୁ ଡକାଇଥିଲେ। ମାତ୍ର ଆମ୍ବୁଲାନ୍ସ ନଥିବାରୁ ପହଞ୍ଚିବାରେ ବିଳମ୍ବ ହେବ ଓ ଆସ‌ିଲେ ଫୋନ୍‌ କରିଦିଆଯିବ ବୋଲି କଣ୍ଟ୍ରୋଲ ରୁମ୍‌ରୁ କୁହାଯାଇଥିଲା। ସୋମବାର ରାତି ଯାଏଁ କୌଣସି ଆମ୍ବୁଲାନ୍ସ ନଆସିବାରୁ ପରିବାର ଲୋକେ ବାଧ୍ୟହୋଇ ମଙ୍ଗଳବାର ସକାଳୁ କିଛି ସ୍ବେଚ୍ଛାସେବୀଙ୍କୁ ଯୋଗାଯୋଗ କରି ଆମ୍ବୁଲା‌ନ୍ସ ବ୍ୟବସ୍ଥା କରାଇବା ପାଇଁ ନେହୁରା ହୋଇଥିଲେ। ଉଦୟ ସଂଗଠନ ପକ୍ଷରୁ ମଧୁ ମୋଦକ ସକାଳୁ ୩ଥର ୧୦୮ ଆମ୍ବୁଲାନ୍ସକୁ ଫୋନ୍‌ କରିଥିଲେ। ଅଧଘଣ୍ଟାରେ ପହଞ୍ଚିବ, ଘଣ୍ଟାଏରେ ପହଞ୍ଚିବ ବୋଲି କଣ୍ଟ୍ରୋଲ୍‌ ରୁମ୍‌ ପକ୍ଷରୁ କୁହାଯାଉଥିଲା। କିନ୍ତୁ ଆମ୍ବୁଲାନ୍ସ ପହଞ୍ଚିନଥିଲା। ଶେଷରେ ଦିନ ୩ଟା ୪୦ ମିନିଟରେ ବିଶ୍ବମ୍ବର ଯନ୍ତ୍ରଣାରେ ଛଟପଟ ହୋଇ ମୃତ୍ୟୁବରଣ କରିଥିଲେ। ଏହି ଘଟଣା ଦେଖିବା ପରେ ୱାର୍ଡରେ କାର୍ଯ୍ୟରତ କର୍ମଚାରୀଙ୍କ ଆଖିର ବି ଲୁହ ଜକେଇ ଯାଇଥିଲା।

ଏନେଇ ୧୦୮ ଆମ୍ବୁଲାନ୍ସ ସଂଯୋଜକ ସଞ୍ଜୟ ତ୍ରିପାଠୀଙ୍କୁ ଯୋଗା‌ଯୋଗ କରାଯିବାରେ ସୋମବାର ଦିନତମାମ୍‌ ସମ୍ବଲପୁରରେ ୧୦୮ ଆମ୍ବୁଲାନ୍ସ ସଙ୍କଟ ରହିଥିବା କଥା କହିଥିଲେ। ସୋମବାର ସକାଳୁ ୪ଟି ଗାଡ଼ି କଟକ ଯାଇଥିବା ସମୟରେ ଅନ୍ୟ ଗୋଟିଏ ଗାଡ଼ି ସମ୍ବଲପୁର, ବୁର୍ଲା ଓ ହୀରାକୁଦ ପାଇଁ ସଂରକ୍ଷିତ ଥିଲା। ତେଣୁ ଉକ୍ତ ରୋଗୀଙ୍କୁ ଗାଡ଼ି ପ୍ରଦାନ କରାଯାଇପାରିନଥିବ ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି। ବୁର୍ଲା ଡାକ୍ତରଖାନାରୁ ଆମ୍ବୁଲାନ୍ସ ନପାଇ ସ୍ଥାନାନ୍ତର ହୋଇଥିବା ରୋଗୀଙ୍କ ମୃତ୍ୟୁ ଘଟଣା ଯେମିତି ନିତିଦିନିଆ ହୋଇଗଲାଣି। କିନ୍ତୁ ଭିମ୍‌ସାରକୁ ସ୍ବତନ୍ତ୍ର ଆମ୍ବୁଲାନ୍ସ ପ୍ରଦାନ କରାଯାଉନି କି ଏଠାକାର ଚିକିତ୍ସା ବ୍ୟବସ୍ଥାକୁ ଉନ୍ନତ କରାଯାଉନି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe