ସେବାରେ ଆଜୀବନ ବ୍ରତୀ ନୀଳକଣ୍ଠ : ଆଜି ସୁଦ୍ଧା ୧୦୧ ଥର କରିସାରିଲେଣି ରକ୍ତଦାନ, ଅଙ୍ଗଦାନ ପାଇଁ ବି କରିସାରିଛନ୍ତି ଚୁକ୍ତି

Advertisment
ସେବାରେ ଆଜୀବନ ବ୍ରତୀ ନୀଳକଣ୍ଠ : ଆଜି ସୁଦ୍ଧା ୧୦୧ ଥର କରିସାରିଲେଣି ରକ୍ତଦାନ, ଅଙ୍ଗଦାନ ପାଇଁ ବି କରିସାରିଛନ୍ତି ଚୁକ୍ତି

ଗୋଳନ୍ଥରା : ଦୁର୍ଦ୍ଦିନ ସମୟରେ ଲୋକଙ୍କ ସେବା ହେଉଛି ତାଙ୍କ ଜୀବନର ବ୍ରତ। ଯେ‌ତେବେଳେ ଯାହାକୁ ଯେଉଁଠି ବି ରକ୍ତର ଦରକାର ପଡ଼େ ଖବର ପାଇ ତତ୍‌କ୍ଷଣାତ୍ ପହଞ୍ଚିଥାନ୍ତି ନୀଳକଣ୍ଠ। ନିଜ ସ୍ବାର୍ଥକୁ ପଛରେ ପକାଇ ଅନ୍ୟର ଜୀବନକୁ ବଞ୍ଚାଇବାରେ ପ୍ରାଣପଣେ ଉଦ୍ୟମ କରନ୍ତି। ଏଥିପାଇଁ ସେ ଆଜି ସୁଦ୍ଧା ୧୦୧ ଥର ରକ୍ତଦାନ କରିସାରିଲେଣି। 'ଆଉ ଶରୀରରେ ବଳ ଓ ମନରେ ଉତ୍ସାହ ଥିବା ପର୍ଯ୍ୟନ୍ତ ସେବାକୁ ନିଜର ଜୀବନର ବ୍ରତ କରିଥିବି' ବୋଲି ନୀଳକଣ୍ଠ କହନ୍ତି।

publive-image

ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ୍ ଅଧୀନ ହଟିବାଡ଼ି ଗାଁର ନୀଳକଣ୍ଠ ପଟ୍ଟନାୟକ (୩୯)। ରଘୁନାଥ ପଟ୍ଟନାୟକ ଓ ସୁକୁମାରୀଙ୍କ ଏକ ମାତ୍ର ପୁଅ। ୩ ଭଉଣୀଙ୍କ ଭିତରେ ଗୋଟିଏ ଭାଇ। ଗୋଟିଏ ମାତ୍ର ପୁଅ ହୋଇଥିବାରୁ ନୀଳକଣ୍ଠ ପିଲାଟି ବେଳୁ ବାପାଙ୍କୁ ଚାଷ କାମରେ ସହଯୋଗ କରିଆସୁଥିଲେ। ମାଟ୍ରିକ୍ ପାସ୍ କରିବା ପରେ ସେ ଅଶୋକ ଲେଲ୍ୟାଣ୍ଡ୍ କମ୍ପାନିରେ କିଛି ବର୍ଷ କାମ କରିଥିଲେ। ସେଠାରୁ ତାଙ୍କର ରକ୍ତଦାନ ପ୍ରତି ଆଗ୍ରହ ବଢ଼ିଥିଲା। ଆଉ ରକ୍ତ ଦେଇ ଅନ୍ୟର ଜୀବନକୁ ବଞ୍ଚାଇବାକୁ ନୀଳକଣ୍ଠ ପଣ କରିଥିଲେ। ୧୦ ବର୍ଷ ଧରି କର୍ମମୟ ଜୀବନ ମଧ୍ୟରେ ସେ ଦିଲ୍ଲୀ, ହାଇଦ୍ରାବାଦ, ବିଶାଖାପାଟଣା, ଶ୍ରୀକାକୁଲମ ସମେତ ଗଜପତି ଜିଲ୍ଲା ଓ ବ୍ରହ୍ମପୁରର ବିଭିନ୍ନ ସ୍ଥାନରେ ରକ୍ତଦାନ କରିଛନ୍ତି। ଏପରିକି ଦିଲ୍ଲୀସ୍ଥିତ ସଫଦରଜଙ୍ଗ୍ ମେଡ଼ିକାଲ୍ ସହ ଅଙ୍ଗଦାନ କରିବାକୁ ଚୁକ୍ତି କରିସାରିଛନ୍ତି।

ଏହାମଧ୍ୟରେ ଗତକାଲି ସେ ବ୍ରହ୍ମପୁର ବଡ଼ ମେଡ଼ିକାଲ୍‌ରେ ୧୦୧ ଥର ପାଇଁ ରକ୍ତଦାନ କରିଛନ୍ତି। ଏଥିପାଇଁ ପୂର୍ବରୁ ସେ ରେଡ୍‌କ୍ରସ୍ ଓ ରାଜ୍ୟପାଳଙ୍କ ତରଫରୁ ପ୍ରଶଂସା ଏବଂ ମାନପତ୍ର ପାଇସାରିଛନ୍ତି। ନୀଳକଣ୍ଠ ତାଙ୍କ ଶ୍ବଶୁର ଘର ରଙ୍ଗେଇଲୁଣ୍ଡା ବ୍ଲକ୍ ଷୋଳବିନ୍ଧା ଗ୍ରାମକୁ ଆସିଥିବା ବେଳେ ଆମ ପ୍ରତିନିଧିଙ୍କୁ ନିଜ ଜୀବନୀ ଅନୁଭୂତି ବଖାଣିଥଲେ। 'ରକ୍ତଦାନ କରି ମୁଁ ଆତ୍ମସ‌ନ୍ତୋଷ ଲାଭ କରୁଛି। କାରଣ ଏହା ଜଣେ ଗୁରୁତର ଅସୁସ୍ଥ ‌ରୋଗୀ ଓ ଗର୍ଭବତୀଙ୍କ ପାଇଁ ସଞ୍ଜୀବନୀ ସଦୃଶ। ଯେତେ ପର୍ଯ୍ୟନ୍ତ ସୁସ୍ଥ ଓ ନିରୋଗ ଅଛି, ରକ୍ତଦାନ ଅଭିଯାନ ଜାରି ରଖିବି' ବୋଲି ନୀଳକଣ୍ଠ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe