୨୯ରେ ଲଘୁଚାପ, ୩୦ ଯାଏ କାଳବୈଶାଖୀ

Advertisment
୨୯ରେ ଲଘୁଚାପ, ୩୦ ଯାଏ କାଳବୈଶାଖୀ

image source-skymetweather.com

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ରାଜ୍ୟର ଅର୍ଦ୍ଧାଧିକ ଜିଲ୍ଲାରେ କାଳବୈଶାଖୀ ଲାଗି ରହିବ। ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବ। ସ୍ଥାନେ ସ୍ଥାନେ ଘଣ୍ଟା ପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବ। କୁଆପଥର ବର୍ଷା ବି ହୋଇପାରେ। ୨୬ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ଲାଗି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।ଆକଳନ ଅନୁଯାୟୀ ବୁଧବାର ମଧ୍ୟାହ୍ନ ସୁଦ୍ଧା ବାଲେଶ୍ବର, ଭଦ୍ରକ, ଖୋର୍ଦ୍ଧା,
କେନ୍ଦ୍ରାପଡ଼ା, କଟକ, ଢେଙ୍କାନାଳ, ଜଗତସିଂହପୁର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ କାଳବୈଶାଖୀ ବର୍ଷା ଲାଗି ରହିବ। ଘଡ଼ଘଡ଼ି ସହ ୫୦ କିମି ବେଗରେ ପବନ ହେବ। ସେହିପରି ଢେଙ୍କାନାଳ, ଅନୁଗୁଳ, କଟକ, ଯାଜପୁର, ଭଦ୍ରକ, ବାଲେଶ୍ବର ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ଉକ୍ତ ଜିଲ୍ଲାଗୁଡିକ ପାଇଁ ଅରେଞ୍ଜ ସୂଚନା ଜାରି ହୋଇଛି। ଝାରସୁଗୁଡ଼ା, ସୁନ୍ଦରଗଡ଼, ସମ୍ବଲପୁର, ଦେବଗଡ଼, ନୟାଗଡ଼, ପୁରୀ, ଗଞ୍ଜାମ, ବୌଦ୍ଧ, କଳାହାଣ୍ଡି ଓ କନ୍ଧମାଳ ଜିଲ୍ଲାରେ ବଜ୍ରପାତ ସହ ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ପବନ ବହିପାରେ। ସେହିପରି ଗୁରୁବାର ମଧ୍ୟାହ୍ନ ସୁଦ୍ଧା ଉପକୂଳ ଓଡ଼ିଶାରେ କାଳବୈଶାଖୀ ଲାଗି ରହିବ ବୋଲି ଆକଳନ କରାଯାଇଛି।

ଆଜି ଭୁବନେଶ୍ୱର ସମେତ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ହୋଇଛି। ସ୍ଥାନେ ସ୍ଥାନେ ବଜ୍ରପାତ ହୋଇଥିବା ସୂଚନା ମିଳିଛି। ଆଜି ଦିନ ସମୟରେ ଫୁଲବାଣୀରେ ସର୍ବାଧିକ ୫୮ ମିମି ବର୍ଷା ହୋଇଥିବା ବେଳେ କେନ୍ଦୁଝରରେ ୧୮, ତାଳଚେର ଓ କଟକରେ ୧୪, ବାଲେଶ୍ବରରେ ୧୧, ବାରିପଦାରେ ୧୦, ଦାରିଙ୍ଗବାଡ଼ିରେ ୫ ମିମି ବର୍ଷା ରେକର୍ଡ କରାଯାଇଛି। ଟିଟିଲାଗଡ଼ ଓ ମାଲକାନଗିରିକୁ ଛାଡ଼ି ଅନ୍ୟ ସମସ୍ତ ସହରର ତାପମାତ୍ରା ୪୦ ଡିଗ୍ରି ତଳେ ରହିଥିଲା। ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ର ନାଥ ପଶୁପାଳକଙ୍କ କହିବାନୁଯାୟୀ ଏପ୍ରିଲ ୨୫ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ କାଳବୈଶାଖୀ ଜନିତ ବର୍ଷା ଲାଗି ରହିବ। ଉତ୍ତର ଉପକୂଳ ଓଡ଼ିଶାରେ ଅଧିକ କାଳବୈଶାଖୀ ହେବାକୁ ଥିବା ବେଳେ କିଛି ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ପରେ ଦକ୍ଷିଣ ଓଡ଼ିଶା ଉପକୂଳ ଓ ଆଭ୍ୟନ୍ତରୀଣ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ହେବ। ୨୭ରୁ ୩୦ ତାରିଖ ମଧ୍ୟରେ ସାରା ରାଜ୍ୟର ଅଧିକାଂଶ ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ଆଶଙ୍କା ରହିଛି। ଏପ୍ରିଲ ୩୦ ପର୍ଯ୍ୟନ୍ତ ପ୍ରତିଦିନ ଭୁବନେଶ୍ୱରରେ କାଳବୈଶାଖୀ ଲାଗିରହିବ। ଏହି ସମୟ ମଧ୍ୟରେ ସାରା ରାଜ୍ୟରେ ଦିନର ତାପମାତ୍ରା ସ୍ୱାଭାବିକ କିମ୍ବା ସ୍ୱାଭାବିକଠାରୁ କମ ରହିବ। ଉପକୂଳବର୍ତୀ ଜିଲ୍ଲାଗୁଡିକରେ ତାପମାତ୍ରା କମିବାକୁ ଥିବା ବେଳେ ୨୫ ତାରିଖ ଯାଏ ପଶ୍ଚିମ ଓଡ଼ିଶାରେ ସର୍ବୋଚ୍ଚ ତାପମାତ୍ରା ଅପରିବର୍ତ୍ତିତ ରହିବ। ବର୍ତ୍ତମାନ ରାଜ୍ୟକୁ ବଙ୍ଗୋପସାଗରୀୟ ପବନ ଆନ୍ଧ୍ର ପ୍ରଦେଶ ଆଡୁ ବହୁଛି। ଏଥିସହ ବାୟୁମଣ୍ଡଳର ତାପମାତ୍ରା ଅଧିକ ରହିଛି। ତେଣୁ ବାୟୁମଣ୍ଡଳରେ ଅସ୍ଥିରତା ସୃଷ୍ଟି ହୋଇ କାଳବୈଶାଖୀ ସୃଷ୍ଟି ହେଉଛି, ଯାହାକି ଚଳିତ ମାସ ଶେଷ ପର୍ଯ୍ୟନ୍ତ ଜାରି ରହିବ।

୨୯ ତାରିଖ ବେଳକୁ ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହେବ। ସେତେବେଳେ ବଙ୍ଗୋପସାଗରର ପଶ୍ଚିମ ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ତାପମାତ୍ରା କମ ରହିବ। ତେବେ ବଙ୍ଗୋପସାଗରର ପୂର୍ବ ଉପକୂଳ ଯଥା ମିଆଁମାର ଅଞ୍ଚଳରେ ତାପମାତ୍ରା ଅଧିକ ରହିବ। ତେଣୁ ଲଘୁଚାପଟି ଅଧିକ ଘନୀଭୂତ ହୋଇ ମିଆଁମାର ଆଡ଼କୁ ଯିବାର ସମ୍ଭାବନା ଅଧିକ ରହିଛି। ଲଘୁଚାପ ଗତିପଥରେ ଅଣ୍ଡାମାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତେବେ ଲଘୁଚାପର ଗତି ଓ ପ୍ରକୋପ ଏହା ସୃଷ୍ଟି ହେବା ପରେ କହିହେବ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe