ମାଁ ସମଲେଶ୍ୱରୀଙ୍କ ପୀଠରେ ଲାଇଟ୍‌ ସାଉଣ୍ଡ ସୋ ଉଦ୍‌ଘାଟିତ: ଝଲସିଲା ଐତିହ୍ୟ ଓ ଇତିହାସ ଚିତ୍ର

Advertisment
ମାଁ ସମଲେଶ୍ୱରୀଙ୍କ ପୀଠରେ ଲାଇଟ୍‌ ସାଉଣ୍ଡ ସୋ ଉଦ୍‌ଘାଟିତ: ଝଲସିଲା ଐତିହ୍ୟ ଓ ଇତିହାସ ଚିତ୍ର

ସମ୍ବଲପୁର : ଶନିବାର ପବିତ୍ର ନୂଆଁଖାଇ ଅବସରରେ ମାଁ ସମଲେଶ୍ବରୀଙ୍କ ମନ୍ଦିରରେ ଆକର୍ଷଣୀୟ ଲାଇଟ୍ ଆଣ୍ଡ ସାଉଣ୍ଡ ସୋ ଉଦ୍‌ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସାଢ଼େ ୭ କୋଟି ଟଙ୍କାର ପ୍ରକଳ୍ପକୁ ଲୋକଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି। ୩୭ ମିନିଟ୍‌ର ଏହି ଆକର୍ଷଣୀୟ ଓ ନିଆରା କାର୍ଯ୍ୟକ୍ରମଟି ସମ୍ବଲପୁରର ଇତିହାସ, ଐତିହ୍ୟ, କଳା, ସଂସ୍କୃତି, ଆଧ୍ୟାତ୍ମିକତା, କୃଷି, ଲୋକ ପରଂପରା ଉପରେ ଆଧାରିତ ହୋଇଥିଲାବେଳେ ଏହାର କଥାବସ୍ତୁ, ରଂଗିନ ଆଲୁଅ, ଶବ୍ଦ ଆଦି ଉପସ୍ଥିତ ଦର୍ଶକଙ୍କୁ ମନ୍ତ୍ରମୁଗ୍‌ଧ କରିଛି। ଏଥିରେ ସମ୍ବଲପୁର ସଂପର୍କରେ ଗ୍ରିକ୍ ଦାର୍ଶନିକ ଟଲେମିଙ୍କ ଉକ୍ତିଠୁ ଆରମ୍ଭ କରି ଚୌହାନ ବଂଶର ଆଗମନ, ବଳରାମ ଦେବଙ୍କ ଦ୍ବାରା ସମଲେଶ୍ବରୀ ମନ୍ଦିର ନିର୍ମାଣ ଓ ସମ୍ବଲପୁର ନଗରର ସ୍ଥାପନା, ମରହଟ୍ଟା ଓ ବ୍ରିଟିସ୍‌ ରାଜ୍‌, ସୁରେନ୍ଦ୍ର ସାଏଙ୍କ ସଂଗ୍ରାମ ଆଦି ବିଭିନ୍ନ ଐତିହାସିକ କଥାବସ୍ତୁ ସ୍ଥାନିତ ହୋଇଛି। ମାଁ ସମଲେଶ୍ବରୀଙ୍କ ପୂଜାବିଧି, ପର୍ବପର୍ବାଣୀ, ହୀରାକୁଦର ହୀରା, ହୀରାକୁଦ ବନ୍ଧ ନିର୍ମାଣ ଓ ଏ ଅଞ୍ଚଳର ଚାଷ, ଚଳଣି ଓ ପରଂପରା, ଦେବ୍ରିଗଡ଼, ହୁମା ବକ୍ରି ମନ୍ଦିର, ନୃସିଂହନାଥ, ହରିଶଂକର ଆଦି ପର୍ଯ୍ୟଟନସ୍ଥଳୀ ସଂପର୍କରେ ଉଲ୍ଲେଖ କରାଯାଇଛି। ଏହାଛଡ଼ା ସମ୍ବଲପୁରୀ ହସ୍ତତନ୍ତ, ନୃତ୍ୟଗୀତ, ସାହିତ୍ୟ ଆଦି ସ୍ଥାନ ପାଇଛି। ୩୭ ମିନିଟ୍‌ର ଏହି ସୋକୁ ଲୋକେ ଓଡ଼ିଆ ଓ ହିନ୍ଦୀ ଭାଷାରେ ଉପଭୋଗ କରି ପାରିବେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଇତିହାସ ବିଭାଗର ଅଧ୍ୟାପକମାନଙ୍କ ଗବେଷଣାତ୍ମକ ତଥ୍ୟକୁ ଏହି ସୋରେ ଜୀବନ୍ତ ରୂପ ଦେବାକୁ ପ୍ରୟାସ କରାଯାଇଛି। ପଦ୍ମଶ୍ରୀ ହଳଧର ନାଗଙ୍କ କବିତା ଓ ପଙ୍କଜ ଜାଲଙ୍କ ସଙ୍ଗୀତ ଏହାକୁ ଅଧିକ ଆକର୍ଷଣୀୟ କରିଛି।

publive-image

ଭର୍ଚୁଆଲ୍ ମୋଡ୍‌ରେ ସୋର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ମାଁ ସମଲେଶ୍ୱରୀଙ୍କ ପୀଠକୁ ଲକ୍ଷଲକ୍ଷ ଭକ୍ତ ଆସୁଛନ୍ତି । ଏହି ସୋ ସେମାନଙ୍କୁ ଆକର୍ଷିତ କରିବା ସହ ପର୍ଯ୍ୟଟନ ବିକାଶରେ ସହାୟକ ହେବ। ନିଜ ବାର୍ତ୍ତାରେ ସେ କହିଛନ୍ତି ଯେ ସମ୍ବଲପୁରୀ ଭାଷା ଖୁବ୍ ସ୍ମୃତି ମଧୁର। ସମ୍ବଲପୁରୀ ଗୀତ, ନୃତ୍ୟ ଓ ବାଦ୍ୟ ବେଶ ପ୍ରସିଦ୍ଧ ଓ ମନଛୁଆଁ। ସମ୍ବଲପୁରୀ ଶାଢ଼ୀ ଆମର ଗୌରବ। ସ୍ବାଧୀନତା ସଂଗ୍ରାମରେ ଏ ଅଞ୍ଚଳର ଅବଦାନ ଅତୁଳନୀୟ। ଭାଷା ଓ ସାହିତ୍ୟ ବି କାଳଜୟୀ। ଏ ଅଞ୍ଚଳରେ ପର୍ଯ୍ୟଟନର ଅପାର ସମ୍ଭାବନା ଥିଲାବେଳେ ଏହାକୁ ବିକଶିତ କରିବା ପାଇଁ ସରକାର ବହୁମୁଖୀ କାର୍ଯ୍ୟ ଆରମ୍ଭ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

publive-image

ଏହି ଉଦଘାଟନ କାର୍ଯ୍ୟକ୍ରମରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ, କୁଚିଣ୍ଡା ବିଧାୟକ କିଶୋର ନାୟକ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ବରୀ ପାଣିଗ୍ରାହୀ, ସମ୍ବଲପୁର ଜିଲ୍ଲାପାଳ ଶୁଭମ୍ ସାକସେନା, ଏସ୍‌ପି ବି ଗଂଗାଧର, ଓଟିଡିସି ଜେନେରାଲ ମ୍ୟାନେଜର ଶାନ୍ତନୁ ମହାନ୍ତି, ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁକାନ୍ତ ତ୍ରିପାଠୀ, ସମ୍ବଲପୁର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ହେମନ୍ତ ପ୍ରଧାନଙ୍କ ସମେତ ପୁଲିସ୍‌ ଓ ପ୍ରଶାସନର ଅଧିକାରୀ ମାନେ ଉପସ୍ଥିତ ଥିଲେ। ମାଁ ସମଲେଶ୍ୱରୀ ମନ୍ଦିର ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ କୁମାର ବାବୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe