ଆଲୋକୀକରଣ ବ୍ୟବସ୍ଥା ଠପ୍: କାମ କରୁନି ୯୦ ପ୍ରତିଶତ ବଲ୍‌ବ, ଜଳକା ସାଜିଛନ୍ତି ସରପଞ୍ଚ

ସହରାଞ୍ଚଳ ଭଳି ଗ୍ରାମାଞ୍ଚଳକୁ ଆଲୋକୀକରଣ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ପାଇଁ ପରିକଳ୍ପନା କରାଗଲା। ଏଥିପାଇଁ ପ୍ରତି ପଞ୍ଚାୟତରୁ ଲକ୍ଷଲକ୍ଷ ଟଙ୍କା ବିନିଯୋଗ ହେଲା।

ssffsfsf

ଦଶପଲ୍ଲା: ସହରାଞ୍ଚଳ ଭଳି ଗ୍ରାମାଞ୍ଚଳକୁ ଆଲୋକୀକରଣ କରିବା ପାଇଁ ପ୍ରତ୍ୟେକ ପଞ୍ଚାୟତରେ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ପାଇଁ ପରିକଳ୍ପନା କରାଗଲା। ଏଥିପାଇଁ ପ୍ରତି ପଞ୍ଚାୟତରୁ ଲକ୍ଷଲକ୍ଷ ଟଙ୍କା ବିନିଯୋଗ ହେଲା। ଲାଇଟ୍ ସଂଯୋଗ ପରେ ଏହାର ରକ୍ଷଣାବେକ୍ଷଣ ପାଇଁ ନିର୍ଦ୍ଧାରିତ ସମୟ ଅବଧି ରହିଥିବା କୁହାଗଲା। ଏନେଇ ପ୍ରତି ପଞ୍ଚାୟତରେ ୪୦ଟି ଲେଖାଏଁ ଲାଇଟ୍ ସଂଯୋଗ କରାଯିବା ସହ ଲକ୍ଷଲକ୍ଷ ଟଙ୍କା ପୈଠ କରାଗଲା। ପ୍ରତି ୬ ମାସରେ ଏବାବଦକୁ ବିଦ୍ୟୁତ୍ ବିତରଣ ସଂସ୍ଥା ମଧ୍ୟ ପଞ୍ଚାୟତଗୁଡ଼ିକରୁ ବିଲ୍ ଆଦାୟ କରୁଛି। ମାତ୍ର ଏବେ ପଞ୍ଚାୟତଗୁଡ଼ିକରେ ଆଉ ଜଳୁନି ବଲ୍‌ବ। ଏଥିପାଇଁ ପ୍ରତି ପଞ୍ଚାୟତରୁ ବିଲ୍ ପୈଠ ହୋଇ ସାରିଥିବା ବେଳେ ଏବେ ଏସବୁ ଲାଇଟ୍‌ର ରକ୍ଷଣାବେକ୍ଷଣ ବା ମରାମତି ପ୍ରତି ଦିଆଯାଉନି ଗୁରୁତ୍ବ। ଫଳରେ ଏବେ ପଞ୍ଚାୟତଗୁଡ଼ିକରେ ଆଲୋକୀକରଣ ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇ ପଡ଼ିଥିବା ଅନେକ ସରପଞ୍ଚ ଅଭିଯୋଗ ଆଣିଛନ୍ତି। ବିଶେଷକରି ଦେଖିବାକୁ ଗଲେ ରାଜ୍ୟର ପ୍ରତ୍ୟେକ ପଞ୍ଚାୟତକୁ ଆଲୋକୀକରଣ କରିବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏସବୁ ଷ୍ଟ୍ରିଟ୍ ଲାଇଟ୍ ୨୦୧୮/୧୯ ମସିହାରୁ ଲାଗିବା କଥା।

ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଏସବୁ ଷ୍ଟ୍ରିଟ୍ ଲାଇଟ୍ ସଂଯୋଗ ହୋଇଥିବା ବେଳେ ପ୍ରାୟ ୨ ବର୍ଷ ହେବ ଦଶପଲ୍ଲା ବ୍ଲକ୍‌ରେ ଏହାକୁ ସଂଯୋଗ କରାଯାଇଛି। ପ୍ରତି ପଞ୍ଚାୟତରେ ୪୦ଟି ଲାଇଟ୍ ହିସାବରେ ୨୦ଟି ଗ୍ରାମ ପଞ୍ଚାୟତରେ ପ୍ରାୟ ୮ ଶହ ଲାଇଟ୍ ସଂଯୋଗ ହୋଇଛି। ଏଥିପାଇଁ ପ୍ରତ୍ୟେକ ପଞ୍ଚାୟତରୁ ପ୍ରାୟ ୩ ଲକ୍ଷ ଟଙ୍କା ପୈଠ ହୋଇଥିବା ସରପଞ୍ଚମାନେ କହିଛନ୍ତି। ଏସବୁ ଲାଇଟ୍‌ର ରକ୍ଷଣାବେକ୍ଷଣ ଦାୟିତ୍ବ ସମ୍ପୃକ୍ତ ଠିକାସଂସ୍ଥା ୫ ବର୍ଷ ପର୍ଯ୍ୟନ୍ତ କରିବା ପାଇଁ କୁହାଯାଇଥିଲା। ହେଲେ ଲାଇଟ୍ ସଂଯୋଗକୁ କିଛିଦିନ ବିତି ନଥିବା ବେଳେ ଗୋଟିଏ ପରେ ଗୋଟିଏ ବଲ୍‌ବ ଅଚଳ ହେବାରେ ଲାଗିଛି। ଯାହାକି ବର୍ତ୍ତମାନ କେଉଁଠି ୫୦ ପ୍ରତିଶତ ତ ପୁଣି କେଉଁଠି ୯୦ ପ୍ରତିଶତ ବଲ୍‌ବ ଆଉ କାମରେ ଆସୁନି। 

ଏସମ୍ପର୍କରେ ପୂର୍ବରୁ ସରପଞ୍ଚମାନେ ପଞ୍ଚାୟତ ସମିତି ବୈଠକରେ ଅଭିଯୋଗ ଆଣିଥିଲେ। ଠିକାସଂସ୍ଥା ଆସି ନାମକୁ ମାତ୍ର କିଛି ସ୍ଥାନରେ ମରାମତି କରି ଯାଇଛି ଯେ ଯାଇଛି। ହେଲେ ଏବେ ଏସବୁ ଆଲୋକୀକରଣ ବ୍ୟବସ୍ଥା ପ୍ରତି କାହାରି ଆନ୍ତରିକତା ପ୍ରକାଶ ପାଉନଥିବା ସରପଞ୍ଚମାନେ ଅଭିଯୋଗ ଆଣିଛନ୍ତି। ଯାହାକି ଶିମିଳିସାହି ପଞ୍ଚାୟତ ସମେତ ଟାକରା, ବାଣିଗୋଛା, ଡିହଗାଁ, କୁଲୁରୁକୁମ୍ପା ଆଦି ପଞ୍ଚାୟତରେ ସମାନ ଅବସ୍ଥା ଥିବା ଅଭିଯୋଗ ହେଉଛି। ଠିକାସଂସ୍ଥା ଲକ୍ଷଲକ୍ଷ ଟଙ୍କା ନେଇ ଛୁ ମାରିଥିବା ବେଳେ ଏବେ ସରପଞ୍ଚମାନେ ପ୍ରମାଦ ଗଣୁଛନ୍ତି। ଏଦିଗରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe