ନିଷ୍ପତ୍ତିରେ ରହିଗଲା ସାପ କାମୁଡ଼ା ରୋଗୀଙ୍କ ପାଇଁ ହାଲୁକା ଷ୍ଟ୍ରେଚର

ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁକୁ କମାଇବା ଲାଗି ନୂଆ ରଣନୀତି ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସାପ କାମୁଡ଼ା ରୋଗୀଙ୍କୁ ଚଲାବୁଲା ବାରଣ ଥିବାରୁ ସେମାନଙ୍କୁ ଡାକ୍ତରଖାନା ଆଣିବା ଲାଗି ଏକ ହାଲୁକା ଷ୍ଟ୍ରେଚର ବ୍ୟବହାର କରାଯିବ।

stracher

Photograph: (Amazon.in)

ଭୁବନେଶ୍ବର: ରାଜ୍ୟରେ ସାପ କାମୁଡ଼ା ମୃତ୍ୟୁକୁ କମାଇବା ଲାଗି ନୂଆ ରଣନୀତି ଆପଣାଇବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ସାପ କାମୁଡ଼ା ରୋଗୀଙ୍କୁ ଚଲାବୁଲା ବାରଣ ଥିବାରୁ ସେମାନଙ୍କୁ ଡାକ୍ତରଖାନା ଆଣିବା ଲାଗି ଏକ ହାଲୁକା ଷ୍ଟ୍ରେଚର ବ୍ୟବହାର କରାଯିବ। ପ୍ରତି ଅଙ୍ଗନବାଡ଼ି କେନ୍ଦ୍ରରେ ଏହି ଷ୍ଟ୍ରେଚର ରଖିବା ଲାଗି ୨୦୨୨ ମସିହାରେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଥିଲା। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଜରିଆରେ ଏହାକୁ କାର୍ଯ୍ୟକାରୀ କରାଯିବ। ଏହା ଭିତରେ ୩ବର୍ଷ ବିତିଲାଣି। ତତ୍କାଳୀନ ସରକାର କିମ୍ବା ନୂଆ ସରକାର ଏହା ଉପରେ କୌଣସି ନିଷ୍ପତ୍ତି ନେଇନାହାନ୍ତି। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ ଦେଶରେ ପ୍ରତିବର୍ଷ ୩୦-୪୦ ଲକ୍ଷ ସାପ କାମୁଡ଼ା ମାମଲା ନଜରକୁ ଆସୁଛି। ଏଥିରେ ୫୦ହଜାର ଲୋକ ପ୍ରାଣ ହରାଉଛନ୍ତି। ବିଶ୍ବର ଦ୍ବିତୀୟ ସର୍ବାଧିକ ସାପ କାମୁଡ଼ା ମୃତ୍ୟୁ ଭାରତରେ ହେଉଛି। କେନ୍ଦ୍ରୀୟ ସ୍ବାସ୍ଥ୍ୟ ଅନୁଧ୍ୟାନ ବ୍ୟୁରୋ(ସିବିଏଚ୍‌ଆଇ) ପକ୍ଷରୁ ୨୦୧୬-୨୦୨୦ ମସିହା ଭିତରେ ହୋଇଥିବା ଅନୁଧ୍ୟାନରେ ଦେଶରେ ବର୍ଷକୁ ହରାହାରି ୩ଲକ୍ଷ ଲୋକଙ୍କୁ ସାପ କାମୁଡ଼ୁଛି। ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଆନ୍ଧ୍ର, ତାମିଲନାଡ଼ୁ, ଓଡ଼ିଶା ଓ ଉତ୍ତରପ୍ରଦେଶ ଭଳି ରାଜ୍ୟ ସାପ କାମୁଡ଼ା ମାମଲାରେ ଆଗରେ ରହିଛନ୍ତି। ତଥାପି ଦେଶରେ ପ୍ରତିବର୍ଷ ଯେତିକି ସଂଖ୍ୟକ ସାପ କାମୁଡ଼ା ମାମଲା ହେଉଛି ତହିଁରୁ ଅଧିକାଂଶ ରିପୋର୍ଟ ମଧ୍ୟ ହେଉନାହିଁ। ତେଣୁ ସରକାରଙ୍କ ପାଖରେ ଏନେଇ ସଂପୂର୍ଣ୍ଣ ତଥ୍ୟ ନାହିଁ। 

ସ୍ବତନ୍ତ୍ର ରିଲିଫ୍ କମିସନରଙ୍କ ଦ୍ବାରା ଜାରି ସୂଚନା ଅନୁସାରେ, ଓଡ଼ିଶାରେ ପ୍ରତି ବର୍ଷ ପ୍ରାୟ ହଜାର ଲୋକ ସାପ କାମୁଡ଼ାରେ ପ୍ରାଣ ହରାଉଛନ୍ତି। ୨୦୧୫ ମସିହାରେ ରାଜ୍ୟ ସରକାର ସାପ କାମୁଡ଼ାକୁ ଏକ ବିପର୍ଯ୍ୟୟ ବୋଲି ଘୋଷଣା କରିଛନ୍ତି। ଏଥିରେ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ୪ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରାଯାଉଛି। ମୟୂରଭଞ୍ଜ, ଗଞ୍ଜାମ, ବାଲେଶ୍ବର, କେନ୍ଦୁଝର, ସୁନ୍ଦରଗଡ଼ରେ ଅନ୍ୟ ଜିଲ୍ଲା ତୁଳନାରେ ଅଧିକ ସାପ କାମୁଡ଼ା ମୃତ୍ୟୁ ରେକର୍ଡ କରାଯାଉଛି। ରୋଗୀଙ୍କ ଚିକିତ୍ସା ପାଇଁ ପର୍ଯ୍ୟାପ୍ତ ପରିମାଣର ଆଣ୍ଟି ସ୍ନେକ୍ ଭେନମ୍ ଇଞ୍ଜେକସନ୍ ଯୋଗାଇ ଦିଆଯାଉଥିଲେ ହେଁ ସଚେତନତାର ଅଭାବ, ଅବହେଳା ଓ ଭୟ କାରଣରୁ ମୃତ୍ୟୁ ଘଟୁଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଉଛି। 

ସ୍ବାସ୍ଥ୍ୟ ବିଭାଗରୁ ମିଳିଥିବା ସୂଚନା ମୁତାବକ ରାଜ୍ୟରେ ଯେତିକି ସାପ କାମୁଡ଼ା ଘଟଣା ଘଟୁଛି ତହିଁରୁ ପ୍ରାୟ ୮୦% ଅଣ ବିଷଧର ସାପ କାମୁଡ଼ିବା କାରଣରୁ ହେଉଛି। ୨୫-୩୦% ସାପ କାମୁଡ଼ା ମୃତ୍ୟୁ କିଛି ଘଣ୍ଟା ଭିତରେ ହୋଇଥାଏ। ଏହି ସମୟ ଭିତରେ ସାପ ବିଷ ଶରୀରକୁ ବ୍ୟାପି ନ ଥାଏ, ହେଲେ ଲୋକମାନେ ଛାନିଆରେ ପ୍ରାଣ ହରାଉଛନ୍ତି। କେଉଁଟା ବିଷାକ୍ତ ସାପ ଓ କେଉଁଟି ନୁହେଁ ସେ ନେଇ ଲୋକଙ୍କ ଭିତରେ ସଚେତନତା ବଢ଼ାଇବାକୁ ପଡ଼ିବ। ସାପ କାମୁଡ଼ିଥିବା ଲୋକ ଚଲାବୁଲା କରିବା ଉଚିତ ନୁହେଁ। ସେମାନଙ୍କୁ ଷ୍ଟ୍ରେଚର ସହାୟତାରେ ଡାକ୍ତରଖାନା ଆଣିବା ଜରୁରି। ରାଜ୍ୟରେ ବହୁତ ଲୋକ ଗୁଣିଆ ଓ ଅନ୍ୟାନ୍ୟ କୁସଂସ୍କାର ଉପରେ ବିଶ୍ବାସ କରୁଛନ୍ତି। ଫଳରେ ଏହି ଚିକିତ୍ସା ବେଳେ ରକ୍ତରେ ବିଷର ସଞ୍ଚାର ‌ଅଧିକ ହୋଇଥାଏ ଓ ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ୁଛନ୍ତି।
ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀ, ରାଜ୍ୟରେ ପର୍ଯ୍ୟାପ୍ତ ପରିମାଣର ସାପ କାମୁଡ଼ା ଇଞ୍ଜେକସନ୍ ଉପଲବ୍ଧ ରହିଛି। ଜିଲ୍ଲାସ୍ତରରେ ମଧ୍ୟ ଏହାକୁ ଉପଲବ୍ଧ କରାଯାଇଛି। ତେବେ ପ୍ରତି ଗାଁରେ ହାଲୁକା ଷ୍ଟ୍ରେଚର ରଖିବା ନିଷ୍ପତ୍ତି ସ୍ବାସ୍ଥ୍ୟ ବିଭାଗରେ ବର୍ତ୍ତମାନ ଉପଲବ୍ଧ ନାହିଁ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe