ଶୀତ ଟିକେ କମିଲା, ୨ରୁ ରାଜ୍ୟର ହେବ କୁଆପଥର ବର୍ଷା

ଶୀତ ଟିକେ କମିଲା, ୨ରୁ ରାଜ୍ୟର ହେବ କୁଆପଥର ବର୍ଷା

ଭୁବନେଶ୍ବର : ସାରା ରାଜ୍ୟରେ ପ୍ରବଳ ଶୀତ ହେଉଛି। କିନ୍ତୁ ଗତ ଦୁଇ ଦିନ ହେଲା ଯେଉଁଭଳି ଶୀତ ହେଉଥିଲା ତାହାଠାରୁ ଟିକେ କମ୍‌ ଆଜି ହୋଇଛି। ହେଲେ ରାଜ୍ୟବାସୀଙ୍କୁ ଜାଡ଼ରୁ ଉଦ୍ଧାର ମିଳିନି। ‌ମଙ୍ଗଳବାର ବି ୫ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ଥଣ୍ଡା ହେବ। ଏଥିପାଇଁ ପାଣିପାଗ ବିଭାଗ ପକ୍ଷରୁ କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ଅନୁଗୁଳ, କେନ୍ଦୁଝର, ଦେବଗଡ଼ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।

ଅପରପକ୍ଷେ ନୂଆବର୍ଷ ଦିନ ଥଣ୍ଡା ଟିକେ କମିବାକୁ ଥିଲେ ହେଁ ୧ତାରିଖରୁ କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ହେଲେ ୨ତାରିଖରୁ ରାଜ୍ୟର କେତେକ ସ୍ଥାନରେ କୁଆପଥର ବର୍ଷା ହେବ। ଏଥିପାଇଁ ୮ଜିଲ୍ଲା ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଖୋର୍ଦ୍ଧା, ସୋନପୁର, ମୟୂରଭଞ୍ଜ, ଭଦ୍ରକ, ବୌଦ୍ଧରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି। କେତେକ ସ୍ଥାନରେ ବର୍ଷାର ପରିମାଣ ବଢ଼ିବାର ସମ୍ଭାବନା ଥିବାରୁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତୁତ ରହିବାକୁ କୁହାଯାଇଛି। ୩ ଓ ୪ତାରିଖରେ ଉପକୂଳ ଓଡ଼ିଶା ସମେତ ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଅନୁଗୁଳ, ଢେଙ୍କାନାଳ, ନୟାଗଡ଼, କନ୍ଧମାଳ, ଗଜପତି ଜିଲ୍ଲାରେ ଘଡ଼ଘଡ଼ି, ବିଜୁଳି ସହ କୁଆପଥର ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

ଅପରପକ୍ଷେ ରବିବାର ସୋନପୁରରେ ସର୍ବନିମ୍ନ ତାପମାତ୍ରା ୩.୪ ଡିଗ୍ରି ରେକର୍ଡ ହୋଇଥିବା‌ ବେଳେ ସୋମବାର ଏହା ୫.୪ ଡିଗ୍ରି ରେକର୍ଡ ହୋଇଛି। ସେହିପରି ଅନୁଗୁଳରେ ଗତକାଲି ପାରଦ ୪.୬ଡିଗ୍ରିକୁ ଖସିଥିବାବେଳେ ଆଜି ଏହା ୫.୬ଡିଗ୍ରିକୁ ଉଠିଛି। ଏହି ସ୍ଥାନରେ ୧ରୁ ୨ଡିଗ୍ରି ପର୍ଯ୍ୟନ୍ତ ପାରଦ ଉପରକୁ ଉଠିଥିଲେ ହେଁ ଶୀତର ପ୍ରଭାବ କିଛି କମିନି। ସେହିପରି ଆଜି ୧୬ଟି ଜିଲ୍ଲାରେ ସର୍ବନିମ୍ନ ତାପମାତ୍ରା ୧୦ଡିଗ୍ରି ତଳେ ରେକର୍ଡ ହୋଇଛି। ବାଲେଶ୍ବରରେ ୮.୫, କଟକରେ ୯.୫, ବାରିପଦାରେ ୯.୪, ଝାରସୁଗୁଡ଼ାରେ ୮.୯, କେନ୍ଦୁଝରରେ ୭.୪, ସମ୍ବଲପୁରରେ ୮.୭, ସୁନ୍ଦରଗଡ଼ରେ ୮.୫, ତାଳଚେରରେ ୯.୪, ଭବାନିପାଟଣାରେ ୯, ବଲାଙ୍ଗୀରରେ ୮.୫, କୋରାପୁଟରେ ୯.୨, ଫୁଲବାଣୀରେ ୬.୩, ଟିଟିଲାଗଡ଼ରେ ୬.୫, ଦାରିଙ୍ଗବାଡିରେ ୭ଡିଗ୍ରି ରେକର୍ଡ ହୋଇଛି। ଭୁବନେଶ୍ବରରେ ୧୦.୬, ଚାନ୍ଦବାଲିରେ ୧୧.୧, ଗୋପାଳପୁରରେ ୧୩.୫, ପୁରୀରେ ୧୩ଡିଗ୍ରି ରେକର୍ଡ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe