ଭୁବନେଶ୍ବର : ଦୁଇ ଥର ଏସୀୟ କ୍ରୀଡ଼ା ପଦକ ବିଜୟିନୀ, ଅଲିମ୍ପିଆନ୍ ତଥା ଗତ ଏକ ଦଶନ୍ଧି ହେବ ଭାରତୀୟ ହକି ଦଳର ମଧ୍ୟଭାଗରେ ମହତ୍ବପୂର୍ଣ୍ଣ ଭୂମିକା ତୁଲାଇ ଆସୁଥିବା ପ୍ରତିଭାସଂପନ୍ନ ଓଡ଼ିଆ ତାରକା ଲିଲିମା ମିଞ୍ଜ୍ ଗୁରୁବାର ମାତ୍ର ୨୭ ବର୍ଷ ବୟସରେ ଅନ୍ତର୍ଜାତୀୟ ହକିରୁ ଅବସର ଘୋଷଣା କରିଛନ୍ତି। ତାଙ୍କ ଅବସର ପରେ ଭାରତୀୟ ହକିକୁ ସମୃଦ୍ଧ କରିଆସୁଥିବା ଚାରି ଓଡ଼ିଆ ଫାଭ୍ ଫୋର୍ଙ୍କ ମଧ୍ୟରୁ ଜଣଙ୍କ ଜାଜ୍ଜ୍ବଲ୍ୟମାନ କ୍ରୀଡ଼ା ଜୀବନରେ ଯବନିକା ପଡ଼ିଛି।
ସୁନିତା ଲାକ୍ରା, ନମିତା ଟପ୍ପୋ ଓ ଦୀପଗ୍ରେସ୍ ଏକ୍କାଙ୍କ ସହ ଲିଲିମାଙ୍କୁ ନେଇ ଗଠିତ ଏହି ଏଲିଟ୍ କ୍ଲବ୍ରୁ ସୁନିତା ପୂର୍ବରୁ ଅବସର ଘୋଷଣା କରିସାରିଥିଲେ। ଏବେ ଲିଲିମା ତାଙ୍କ ପଦାଙ୍କ ଅନୁସରଣ କରିଛନ୍ତି। ଦୀପଗ୍ରେସ୍ ଏବେ ବି ଭାରତୀୟ ଦଳର ପ୍ରମୁଖ ସଦସ୍ୟ ଥିଲା ବେଳେ ଓମାନର ମସ୍କଟଠାରେ ଖେଳାଯିବାକୁ ଥିବା ଏସିଆ କପ୍ ଲାଗି ଘୋଷିତ ସମ୍ଭାବ୍ୟ ଭାରତୀୟ ଦଳର ଉପଅଧିନାୟିକା ନିଯୁକ୍ତ ହୋଇଛନ୍ତି। ଅନ୍ୟପକ୍ଷରେ ସଂରକ୍ଷିତ ଖେଳାଳି ଭାବେ ଟୋକିଓ ଅଲିମ୍ପିକ୍ସ ଯାଇଥିବା ନମିତା ଟପ୍ପୋ ଏସିଆ କପ୍ ଦଳରେ ସ୍ଥାନ ପାଇ ନଥିଲେ ମଧ୍ୟ ଏବେ ବି ତାଙ୍କ ନିକଟରେ ଢେର ହକି ବାକି ଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ଲିଲିମାଙ୍କ ଅବସର ପରେ କିନ୍ତୁ ଜାତୀୟ ମହିଳା ହକିରେ ଓଡ଼ିଶାର ପ୍ରତିନିଧିତ୍ବରେ ଏକ ବିରାଟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି। ତେବେ ଆଗାମୀ ଭବିଷ୍ୟତ ଲାଗି ସମଗ୍ର ହକି ଦୁନିଆରୁ ଲିଲିମାଙ୍କ ପାଖକୁ ଶୁଭେଚ୍ଛା ଓ ଶୁଭକାମନାର ସୂଅ ଛୁଟିଛି।
‘‘ଗତ ଦଶନ୍ଧି ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର ଥିଲା। ଭାରତରେ ମହିଳା ହକିକୁ ମାଇଲଖୁଣ୍ଟ ମୋଡ଼ ଦେଇଥିବା ଦଳର ସଦସ୍ୟ ହେବାର ସମ୍ମାନ ଓ ସୁଯୋଗ ପାଇଥିବାରୁ ମୁଁ ନିଜକୁ ଧନ୍ୟ ମନେ କରୁଛି। ସାଥୀ ଖେଳାଳିଙ୍କ ସହ କଟାଇଥିବା ସୁଖଦୁଃଖର ମୁହୂର୍ତ୍ତ ମୋ ପାଇଁ ସବୁବେଳେ ସ୍ମରଣୀୟ ହୋଇରହିବ। ଜାତୀୟ ଦଳ ସଂପ୍ରତି ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ପ୍ରସ୍ତୁତି ଉପରେ ଅଧିକ ଧ୍ୟାନ ଦେଉଥିବାରୁ ଯୁବ ଓ ପ୍ରତିଭାବାନ ଖେଳାଳିଙ୍କ ପାଇଁ ବାଟ ଛାଡ଼ିବାର ଏହା ପ୍ରକୋଷ୍ଟ ସମୟ ବୋଲି ମୁଁ ଭାବୁଛି। ପ୍ରତି ଥର ପଡ଼ିଆ ଭିତରକୁ ଗଲା ବେଳେ ଦେଶ ପାଇଁ ଗୌରବ ଆଣିବା ଲାଗି ମୁଁ ମୋର ଶତପ୍ରତିଶତ ଦେଇଆସିଛି। ଏହା ହିଁ ମୋତେ ସବୁଠାରୁ ବେଶି ଖୁସି ଓ ଆତ୍ମସନ୍ତୋଷ ଦେଇଛି। ହକି ସବୁବେଳେ ମୋର ପ୍ରଥମ ପ୍ରେମ ହୋଇରହିବ। ସେଥିପାଇଁ ଆଗାମୀ ସମୟରେ ମୁଁ ଘରୋଇ ହକି ଖେଳିବା ଜାରି ରଖିବି। ସେହିଭଳି ଓଡ଼ିଶା ହକିର ବିକାଶ ଲାଗି କ୍ଷମତା ଓ ଦକ୍ଷତା ମୁତାବକ କାର୍ଯ୍ୟ କରିଚାଲିବି। ମୋ ଯାତ୍ରାର ସହଭାଗୀ ହୋଇ ଆସିଥିବା ଓଡ଼ିଶା ହକିପ୍ରେମୀଙ୍କୁ ମୁଁ ହୃଦୟର ଗଭୀରତମ କୋଣରୁ ଧନ୍ୟବାଦ ଦେବି। ଖରାପ ଓ ଭଲ ସମୟରେ ମୋ ପାଖରେ ପ୍ରାଚୀର ଭଳି ଛିଡ଼ା ହୋଇଥିବା ବନ୍ଧୁ ଓ ପରିବାରବର୍ଗକୁ ବି ଧନ୍ୟବାଦ ଜଣାଉଛି। ନୂଆ ଅଲିମ୍ପିକ୍ସ ଚକ୍ରରେ ଭଲ କରିବା ଲାଗି ମୋ ସାଥୀ ଖେଳାଳିମାନଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି’’ ବୋଲି ଲିଲିମା ତାଙ୍କ ଅବସରକାଳୀନ ଫେସବୁକ୍ ପୋଷ୍ଟରେ କହିଥିଲେ।
Follow Us