ଫଳକରେ ସୀମିତ ବିଜୁ ପଟ୍ଟନ‌ାୟକ ସ୍ମାରକୀ ହସ୍ପିଟାଲ: ଏମ୍‌ଓୟୁ କରି ମୁହଁ ମୋଡ଼ିଲେ

Advertisment
ଫଳକରେ ସୀମିତ ବିଜୁ ପଟ୍ଟନ‌ାୟକ ସ୍ମାରକୀ ହସ୍ପିଟାଲ: ଏମ୍‌ଓୟୁ କରି ମୁହଁ ମୋଡ଼ିଲେ

କେନ୍ଦୁଝର: କେନ୍ଦୁଝରରେ ପିପିପି ମୋଡ୍‌ରେ ଏକ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ ପାଇଁ ସହଯୋଗ ହେଲ୍‌ଥ କେୟାର ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ନାମକ ଏକ ଘରୋଇ ସଂସ୍ଥା ସହ ରାଜ୍ୟ ସରକାର ଏମ୍‌ଓୟୁ ସ୍ୱାକ୍ଷର କରିଥିଲେ। ସରକାର ଜମି ଯୋଗାଇଲେ ଏବଂ କିଛି ଅନୁଦାନ ବି ଦେଲେ। ଏହି ସମୟ ମଧ୍ୟରେ ଡିଏମ୍‌ଏଫ୍‌ ଅର୍ଥରେ ଏକ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ କାର୍ଯ୍ୟକ୍ଷମ ହେଲା । କିନ୍ତୁ ସହଯୋଗ ଫାଉଣ୍ଡେସନ୍‌ର ମେଡିକାଲ କଲେଜ ଭୂଇଁରୁ ଉଠିପାରିଲା ନାହିଁ। ଏଠାରେ ସରକାରୀ ଜମିରେ ପାଚେରି ବୁଲାଯାଇଥିବା ବେଳେ ଫଳକଟିଏ ରହିଛି। ଏହି ମେଡିକାଲ କଲେଜ ଆଉ ହେବ କି ନାହିଁ? ସରକାର ଯୋଗାଇ ଦେଇଥିବା ଜମି ଓ ଅର୍ଥ ଫେରସ୍ତ ଆସିଛି କି ନାହିଁ ଜଣାପଡ଼ି ନାହିଁ।ଏ ସଂପର୍କରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ମଧ୍ୟ କିଛି ଜାଣି ନଥିବା କହିଛନ୍ତି।

ବାରମ୍ବାର ଦାବି ପରେ କେନ୍ଦୁଝର ଜିଲ୍ଲାରେ ଏକ ଘରୋଇ ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣପାଇଁ ସରକାର ଏମ୍‌ଓୟୁ ସ୍ବାକ୍ଷର କରିଥିଲେ। ପିପିପି ମୋଡର‌ରେ ଏହାକୁ ପ୍ରତିଷ୍ଠା କରିବା ପାଇଁ ୨୦୧୦ ନଭେମ୍ବର ୨୬ରେ ସହଯୋଗ ହେଲ୍‌ଥ କେୟାର ଆଣ୍ଡ ରିସର୍ଚ୍ଚ ଫାଉଣ୍ଡେସନ ନାମକ ଏକ ଘରୋଇ ସଂସ୍ଥା ସହ ଏମ୍‌ଓୟୁ ସ୍ୱାକ୍ଷର କରାଯାଇଥିଲା। ଏମ୍‌ଓୟୁ ଅନୁସାରେ, ୨୦୧୫ ସୁଦ୍ଧା ଏହି ମେଡିକାଲ କଲେଜରେ ନାମଲେଖା ସାଙ୍ଗକୁ ରୋଗୀସେବା ଆରମ୍ଭ କରିବା ପାଇଁ ଯୋଜନା ରହିଥିଲା। ପ୍ରସ୍ତାବିତ ମେଡିକାଲ କଲେଜ  ୨୧୦କୋଟି ଟଙ୍କାରେ ନିର୍ମାଣ ହେବାକୁ ଥିବାବେଳେ ଏହାର ନାମ ବିଜୁ ପଟ୍ଟନାୟକ ସ୍ମାରକୀ ହସ୍ପିଟାଲ ଏବଂ ବିଜୁ ପଟ୍ଟନାୟକ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ରହିବ ବୋଲି ସ୍ଥିର ହୋଇଥିଲା। ଏମ୍‌ଓୟୁ ସ୍ବାକ୍ଷର ହେବାର ତିନିବର୍ଷ ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୧୩ ଜାନୁଆରି ୩୧ରେ ଏହାର ଶିଳାନ୍ୟାସ କରିଥିଲେ। ଏହି ମେଡିକାଲ କଲେଜରେ ୫୦୦ ସାଧାରଣ ଶଯ୍ୟା, ୧୦୦ଟି ଏକକ ଶଯ୍ୟା ଥିବା କ୍ୟାବିନ୍‌, ୩୦ଟି ଜରୁରୀକାଳୀନ ଟ୍ରମା ଶଯ୍ୟା ଓ ୫୦ ଶଯ୍ୟାର ଆଇସିୟୁ କରାଯିବାକୁ ଯୋଜନା ହୋଇଥିଲା। ୧୦୦ଟି ଏମ୍‌ବିବିଏସ୍ ସିଟ୍‌, ନର୍ସିଂ କଲେଜର ୬୦ଟି ବିଏସ୍‌ସି ନିର୍ସିଂ ସିଟ୍‌ , ଫାର୍ମା କଲେଜରେ ୫୦ଟି ସିଟ୍‌, ପାରା ମେଡିକାଲ ଇନଷ୍ଟିଚ୍ୟୁଟ୍‌ରେ ବିଭିନ୍ନ ବିଭାଗରେ ୫୦ଟି ସିଟ୍ ରହିବ ବୋଲି କୁହାଯାଉଥିଲା।

ଏଥିପାଇଁ ରାଜ୍ୟ ସରକାର କେନ୍ଦୁଝର ପୌରାଞ୍ଚଳର ବ୍ରାହ୍ମଣୀଗାଁଠାରେ ୨୦ ଏକର ମୂଲ୍ୟବାନ ସରକାରୀ ଜମି ଯୋଗାଇ ଦେବା ସହ ୧୦ କୋଟି ଟଙ୍କା ସହଯୋଗ ଫାଉଣ୍ଡେସନକୁ ଦେଇଥିଲେ। ଏହାବାଦ୍‌ ଫାଉଣ୍ଡେସନ ଆଉ ୩୦ ଏକର ଜାଗା କିଣି କର୍ମଚାରୀ କ୍ୱାର୍ଟର୍ସ ସାଙ୍ଗକୁ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଲକ୍ଷ୍ୟ ରଖିଥିଲା। ପରେ ସହଯୋଗ ଫାଉଣ୍ଡେସନ ଆଉ ମେଡିକାଲ କଲେଜ ନିର୍ମାଣ କଲା ନାହିଁ। କେବଳ ଫଳକ ଓ ଫାଟକରେ ସୀମିତ ରହିଗଲା ବିଜୁ ପଟ୍ଟନାୟକ ସ୍ମାରକୀ ହସ୍ପିଟାଲ ଓ ମେଡିକାଲ କଲେଜ। ଏବେ ଏହି ସ୍ଥାନରେ ବିରାଟ ପାଚେରି ନିର୍ମାଣ ହୋଇଥିବା ବେଳେ ଫାଟକରେ ତାଲା ଝୁଲୁଛି।
ଏ ସମ୍ପର୍କରେ ସିଡିଏମ୍‌ଓ ଡ. କିଶୋର କୁମାର ପୃଷ୍ଟିଙ୍କୁ ପଚାରିବାରୁ, ଏ ସମ୍ପର୍କରେ ସେ ଅବଗତ ନଥିବା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe