ଶୁଖିଲା ପଡ଼ିଛି ଲିଙ୍ଗରା ନାଳ: ଜଳାଭାବ ଜଳଜଳ, ୧୦ ହଜାରରୁ ଅଧିକ ଲୋକ ପ୍ରଭାବିତ

ମାର୍ଚ୍ଚ ପ୍ରଥମ ସପ୍ତାହରୁ ଜଳାଭାବ। ଶୁଖି ଗଲାଣି ନାଳ ଓ ନଦୀ। ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳ ଏହାର ଏକ ଉଦାହରଣ। ଲୋକଙ୍କ ପାଇଁ ଆଶୀର୍ବାଦ କୁହାଯାଉଥିବା ଏହି ନାଳ ତାର ପୂର୍ବ ସୁନାମ ହରାଇ ବସିଛି।

ffhvbbg

ଅନୁଗୁଳ: ମାର୍ଚ୍ଚ ପ୍ରଥମ ସପ୍ତାହରୁ ଜଳାଭାବ। ଶୁଖି ଗଲାଣି ନାଳ ଓ ନଦୀ। ଅନୁଗୁଳ ସହର ଦେଇ ଯାଇଥିବା ଲିଙ୍ଗରା ନାଳ ଏହାର ଏକ ଉଦାହରଣ। ଲୋକଙ୍କ ପାଇଁ ଆଶୀର୍ବାଦ କୁହାଯାଉଥିବା ଏହି ନାଳ ତାର ପୂର୍ବ ସୁନାମ ହରାଇ ବସିଛି। ଦିନେ ଏହି ନାଳ ଲୋକଙ୍କ ଜୀବନରେଖା ପାଲଟିଥିଲା। କିନ୍ତୁ ଏବେ ଖରା ଆରମ୍ଭରୁ ଲିଙ୍ଗରା ନାଳ ଶୁଖିଲା। ଫଳରେ ହଜାର ହଜାର ଲୋକ ଏଥି ପାଇଁ ପ୍ରଭାବିତ ହେଉଛନ୍ତି। 

ସୂଚନା ମୁତାବକ, ଅନୁଗୁଳ ସହର ଉପକଣ୍ଠ ଡେରେଜାଙ୍ଗ ଡ୍ୟାମ୍‌ରୁ ଲିଙ୍ଗରା ନାଳ ବାହାରିଥିବା ବେଳେ ଏହି ନାଳ ଉପରେ ଦୁଇଟି ଜିଲ୍ଲାର ଲୋକ ନିର୍ଭର କରିଥା’ନ୍ତି। ଅନୁଗୁଳ ସମେତ ଢେଙ୍କାନାଳ ଜିଲ୍ଲାର ଚାଷୀଙ୍କ ପାଇଁ ଲିଙ୍ଗରା ନାଳର ଜଳ ବେଶ୍‌ ସହାୟକ ହୋଇଥାଏ। ଏହି ନାଳ ଅନୁଗୁଳର ପରତରା, କୁସାସିଂହା, କରଡ଼ାଗାଡ଼ିଆ, ଛେଳିଆପଡ଼ା, ବେନ୍ତପୁର, କାଙ୍ଗୁଲା, ଅଙ୍ଗାରବନ୍ଧ, ଅରାହାଟ, ବଉଳିଗଡ଼ ଦେଇ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଖଡ଼ଗପ୍ରସାଦ ଗାଁ ନିକଟରେ ଥିବା ବ୍ରାହ୍ମଣୀ ନଦୀରେ ମିଶିଛି। ଫଳରେ ଦୁଇ ଜିଲ୍ଲାର ପ୍ରାୟ ୪୦ଟି ଗାଁ ଏହି ନାଳର ଜଳକୁ ବିଭିନ୍ନ କ୍ଷେତ୍ରରେ ବ୍ୟବହାର କରୁଛନ୍ତି। ଅନୁଗୁଳ ଜିଲ୍ଲା ସଦର ବ୍ଲକ୍‌ ଓ ବଅଁରପାଳ ବ୍ଲକର ଚାଷୀମାନେ ଲିଙ୍ଗରା ନାଳର ଜଳକୁ ଚାଷ ପାଇଁ ବ୍ୟବହାର କରିଆସୁଛନ୍ତି। ସେହିପରି ବିଭିନ୍ନ ସ୍ଥାନରେ ଚାଷ ଜମିକୁ ଜଳ ସେଚନ ପାଇଁ ନାଳ ଉପରେ ଉଠା ସେଚ ପ୍ରକଳ୍ପ ମଧ୍ୟ ନିର୍ମାଣ କରାଯାଇଛି। ଏହି ନାଳର ଜଳକୁ ବ୍ୟବହାର କରି ଚାଷୀମାନେ ଖରାଦିନରେ ମକା, ବାଦାମ, ଡାଲି ଜାତୀୟ ଶସ୍ୟ ସହିତ ବିଭିନ୍ନ ପ୍ରକାରର ପନି ପରିବା ଚାଷ  କରିଥା’ନ୍ତି। କିନ୍ତୁ ଏବେ ଜଳାଭାବ ପାଇଁ ଚାଷୀ ହାତବାନ୍ଧି ବସିଛି।

ଜିଲ୍ଲାରେ ଗୋଟିଏ ପରେ ଗୋଟିଏ କାରଖାନା ସ୍ଥାପନା ହେବାରୁ କିଛି ବର୍ଷ ହେଲା ଏହି ନାଳର ଜଳସ୍ତର କମିବାରେ ଲାଗିଛି। ଏହି ନାଳରେ ଲୋକମାନେ ଗାଧୋଇବା ସହିତ ଗୃହ ପାଳିତ ପଶୁମାନେ ଏହାର ଜଳକୁ ପାନୀୟ ରୂପେ ବ୍ୟବହାର କରିଥାନ୍ତି। ବର୍ଷା ଦିନରେ ଏହି ନାଳରେ ବନ୍ୟା ପରିସ୍ଥିତି ଉପୁଜୁଥିବା ବେଳେ ଖରାଦିନରେ ଶୁଖିଲା ପଡ଼ୁଛି। ଫଳରେ ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ୩ଟି ବ୍ଲକର ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଏହା ଦ୍ବାରା ପ୍ରଭାବିତ ହେଉଥିବା ଦେଖିବାକୁ ମିଳୁଛି। ଚଳିତ ବର୍ଷ ଗ୍ରୀଷ୍ମ ପ୍ରବାହ ପ୍ରଖର ହେବା ନେଇ କୁହାଯାଉଥିବା ବେଳେ ଲୋକଙ୍କ ଜୀବନରେଖା ଲିଙ୍ଗରା ନାଳ ଶୁଖିଲା ପଡ଼ିବା ଉତ୍କଟ ଜଳ ସମସ୍ୟାର ଆଶଙ୍କା ସୃଷ୍ଟି କରିଛି। ସୂଚନାଯୋଗ୍ୟଯେ, ୧୯୬୦ ମସିହାରେ ଜଳ ସେଚନ ପାଇଁ ଡେରେଜାଙ୍ଗ ଡ୍ୟାମ୍‌ ନିର୍ମାଣ ହୋଇଥିଲା। ୧୯୭୭-୭୮ ମସିହାରେ ଏହି ଡ୍ୟାମ୍‌କୁ କାର୍ଯ୍ୟକ୍ଷମ କରାଯାଇ ବିଭିନ୍ନ କେନାଲ ଓ ନାଳ ଦ୍ବାରା ଜଳ ନିଷ୍କାସନର ବ୍ୟବସ୍ଥା କରାଯାଇଥିଲା। ଡ୍ୟାମ୍‌ରେ ଥିବା ୬ଟି ଫାଟକ ଦେଇ ଲିଙ୍ଗରା ନାଳରେ ବନ୍ୟାଜଳ ନିଷ୍କାସିତ ହେବାର ବ୍ୟବସ୍ଥା ରହିଛି। ସେପଟେ ଚିରୋସ୍ରତା ବଉଳି ନାଳ ଲିଙ୍ଗରା ନାଳରେ ବଅଁରପାଳ ବ୍ଲକ ବଉଳିଗଡ଼ଠାରେ ମିଶି ଶେଷରେ ବ୍ରାହ୍ମଣୀ ନଦୀରେ ମିଶିଛି। ତେବେ ଗ୍ରୀଷ୍ମ ଆରମ୍ଭରୁ ନାଳ ଶୁଖିବା ଘଟଣା ଶୁଭ ସଙ୍କେତ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe